ଭୁବନେଶ୍ୱର,୧୩/୦୫: ସୀମାନ୍ତରେ ପାକିସ୍ତାନୀ ସେନା ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି । ହେଲେ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁର ସବୁ ମନ୍ଦ ପ୍ରୟାସକୁ ବିଫଳ କରୁଥିବା ଆମ ସାହସୀ ଭାରତୀୟ ସେନା ପାଇଁ ଆମେ ଗର୍ବିତ । ଏହିଭଳି ଏକ ସମ୍ବେଦନଶୀଳ ମୁହୂର୍ତ୍ତକୁ ଆଖିରେ ରଖି ଆମେ ଆମ ଆଗାମୀ ଚଳଚ୍ଚିତ୍ର "ରାଣ୍ଡୀପୁଅ ଅନନ୍ତା’ର ସମସ୍ତ ପ୍ରଚାର, ପ୍ରସାର କାର୍ଯ୍ୟକୁ ବନ୍ଦ କରୁଛୁ ବୋଲି ମୁଖ୍ୟ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ।
ସେ କହିଛନ୍ତି, ମାଟି ଓ ମା’କୁ ରକ୍ଷା କରିବା ପାଇଁ ଦରକାର ପଡ଼ିଲେ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇବାକୁ ପଡୋ ସେଇ ବାର୍ତ୍ତା ସମାଜକୁ ଦେବା ପାଇଁ ବ୍ୟାସ କବି ଲେଖିଥିଲେ "ରାଣ୍ଡୀପୁଅ ଅନନ୍ତା’ । ଆଜି ଠିକ୍ ସେହିପରି ଭାରତର ବୀର ଯବାନ ଜୀବନକୁ ଖାତିର ନ କରି ପାକିସ୍ଥାନର ଗୁଳିର ଜବାବ ବିନାଶକାରୀ ଗୋଳାରେ ଦେଇ ଶତ୍ରୁର ଆଡ୍ଡା ଧ୍ୱଂସ କରିଦେଇଛନ୍ତି । ସେମିତି ସାହସୀ ସେନାକୁ ଆମେ ନମନ କରୁଛୁ । "ଅନନ୍ତା’ ଏକ ଚିନ୍ତାଧାରା, ଏକ କ୍ରାନ୍ତି ଯାହା ଆମ ସମସ୍ତଙ୍କ ଭିତରେ ଅଛି । ଆବଶ୍ୟକ ପଡ଼ିଲେ ଆମେ ସମସ୍ତେ ଜୀବନ ଦେଇପାରିବା ମାଟି ଓ ମା’ ପାଇଁ । ଆସନ୍ତା ରଜରେ ଚଳଚ୍ଚିତ୍ରରେ ଆମେ ଆସିବୁ ଏବଂ ଖୁବ୍ଶୀଘ୍ର ସବୁ ପ୍ରଚାର, ପ୍ରସାର ଆରମ୍ଭ କରିବୁ । ଆସନ୍ତୁ ଆମ ବୀର ଯବାନ ଏବଂ ଏଲ୍ଓସି ନିକଟରେ ରହୁଥିବା ନିରୀହ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ବୋଲି ସବ୍ୟସାଚୀ କହିଛନ୍ତି ।