ଭୁବନେଶ୍ୱର,୧୨/୦୫: ରାଜ୍ୟରେ କମିଟି ଗଢ଼ା ହେବା ପୂର୍ବରୁ ଜିଲ୍ଲାରେ ଦଳର ସ୍ଥିତିକୁ ସଜାଡ଼ୁଛି କଂଗ୍ରେସ । ପ୍ରତି ଜିଲ୍ଲାକୁ ଗସ୍ତ କରୁଛନ୍ତି ଖୋଦ ପିସିସି ସଭାପତି ଭକ୍ତଚରଣ ଦାସ । ପୁଣି କେବେ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ସହ ପ୍ରଭାରୀ ରୋଜାଲିନ୍ ତିର୍କୀଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି । ଗସ୍ତ ବେଳେ ପୂର୍ବରୁ ଥିବା ଜିଲ୍ଲା କଂଗ୍ରେସ ସଭାପତି ଓ ବରିଷ୍ଠ ନେତାଙ୍କ ସାଙ୍ଗଠନିକ ଦକ୍ଷତାକୁ ପରଖୁଛନ୍ତି । ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ କମିଟି ଘୋଷଣା ପୂର୍ବରୁ ନେତାଙ୍କ ଦମ୍ ଦେଖୁଛନ୍ତି । ଆଗାମୀ ଦିନରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ଲଢ଼ୁଆ ଓ ଟାଣୁଆ ନେତାଙ୍କୁ ବାଛି ବାଛି ମଇଦାନରେ ଲଢ଼ିବାକୁ ପ୍ରସ୍ତୁତ କରୁଛନ୍ତି ଭକ୍ତ ।
ଭକ୍ତ ପିସିସି ସଭାପତି ହେବାକୁ ୩ ମାସ ହେଲାଣି । ତଥାପି ରାଜ୍ୟ କଂଗ୍ରେସ କମିଟି ଗଢ଼ା ଯାଇପାରୁନି । ଭକ୍ତ ଫେବ୍ରୁଆରୀ ୧୧ରେ ପିସିସି ସଭାପତି ହୋଇଥିବା ବେଳେ ଏପ୍ରିଲ ୧୫ ବେଳକୁ ଏଆଇସିସି ପିସିସି କମିଟି ଅନୁମୋଦନ କରିବା ପରିବର୍ତ୍ତେ ଏକ ରାଜନୈତିକ ବ୍ୟପାର କମିଟି ଗଢ଼ି ଓଡ଼ିଶା ନେତାଙ୍କୁ ସନ୍ତୁଷ୍ଟ ହୋଇ କାମ କରିବାକୁ ବାର୍ତ୍ତା ଦେଇଥିଲା । ତେବେ କମିଟି ଗଢ଼ିବା ନେଇ ପ୍ରଭାରୀ ଲଲ୍ଲୁ କହିଥିଲେ, ସମସ୍ତ ଜିଲ୍ଲା ଗସ୍ତ ପରେ ହିଁ କମିଟି ଗଢ଼ାଯିବ । ଫଳରେ ଏବେ ପିସିସି ସଭାପତି ଭକ୍ତ, ପ୍ରଭାରୀ ଲଲ୍ଲୁ ଓ ସହ ପ୍ରଭାରୀ ରୋଜାଲିନ୍ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ସେଠାରେ ପୂର୍ବରୁ ଥିବା ଜିଲ୍ଲା କଂଗ୍ରେସ ସଭାପତିଙ୍କ ପାରିବା ପଣିଆକୁ ଯାଞ୍ଚ କରୁଛନ୍ତି । ପୁଣି ସେହି ପୂର୍ବତନ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ ଦେଲେ ଭଲ ହେବ, ନା ନୂଆ ଜିଲ୍ଲା କଂଗ୍ରେସ ସଭାପତି କରାଯିବ, ପଚାରି ବୁଝୁଛନ୍ତି । ପ୍ରତି ଜିଲ୍ଲାରେ ଗସ୍ତ ସମୟରେ ରାଲି ଓ ସମାବେଶ କରାଯାଉଛି । ଯାହା ଦ୍ୱାରା ସେଠାକାର ନେତାଙ୍କର ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ସମ୍ପର୍କରେ ଜାଣି ପାରୁଛନ୍ତି ।
ଭକ୍ତ ପିସିସି ସଭାପତି ହେବା ମାତ୍ରେ ଭୁବନେଶ୍ୱର ବିମାନବନ୍ଦରରୁ ପୁରୀ ଜଗନ୍ନାଥ ମନ୍ଦିର ଗସ୍ତ କରିଥିଲେ । ଉଭୟ ଜିଲ୍ଲାର ନେତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଦାୟିତ୍ୱ ଦେଇଥିଲେ । ସେଠାରେ ସଙ୍ଗଠନ ପରଖିଥିଲେ । ନିକଟରେ କଟକ ଜିଲ୍ଲା ଗସ୍ତ କରିଥିଲେ । ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇଥିଲେ । ସେହି ବାହନାରେ କଟକରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ସଙ୍ଗଠନକୁ ଦେଖିଥିଲେ । ଗତ ସପ୍ତାହରେ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରି ମଶାଲ ଶୋଭାଯାତ୍ରାରେ ଭାଗ ନେଇଥିଲେ । ପରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବା ସହ ସହିଦ ବାଜି ରାଉତ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୂର୍ବତନ ପିସିସି ସଭାପତି କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଅନୁଗୁଳ ଜିଲ୍ଲାରେ ମଧ୍ୟ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇଥିଲେ । ନ୍ୟାୟ ପଥ କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲା ଯାଇଥିଲେ । ପୁରୀ ଜିଲ୍ଲାର ନିମାପଡ଼ା ଓ ବ୍ରହ୍ମଗିରିର କଂଗ୍ରେସ ନେତାଙ୍କୁ ଡକାଇ ପିସିସି କାର୍ଯ୍ୟାଳୟରେ ବୈଠକ କରିଥିଲେ ।
ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପଖଣ୍ଡସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ପିସିସି ସଭାପତି । ଧର୍ମଗଡ଼ରେ କର୍ମୀ ସମ୍ମିଳନୀ ହୋଇଥିଲା । ଗଞ୍ଜାମ ଜିଲ୍ଲା ପାଟପୁର ଗସ୍ତ କରିଥିଲେ । ମୟୂରଭଞ୍ଜରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସଙ୍ଗଠନ ସ୍ଥିତି ସମ୍ପର୍କରେ ବୁଝିଥିଲେ । ବାଲେଶ୍ୱର ଗସ୍ତ ବେଳେ ପୂର୍ବରୁ ଲୋକସଭା ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ଓ ପୂର୍ବର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନିକଟରୁ ସାଙ୍ଗଠନିକ ସ୍ଥିତି ଜାଣିଥିଲେ । ଭଦ୍ରକ ସହରରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ(ବୁଲୁ)ଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଓ ବୁଲୁଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଯାଜପୁରକୁ ବାରମ୍ବାର ଗସ୍ତ କରିବା ସହିତ ବନ୍ଦିତା ପଟ୍ଟନାୟକ, ଦେବାଶିଷ ନାୟକଙ୍କ ସମେତ ଅନ୍ୟମାନଙ୍କୁ ଦଳର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଆହ୍ୱାନ ଦେଇଥିଲେ ।