ନୂଆଦିଲ୍ଲୀ,୧୨/୦୫: ଭାରତକୁ ଝଟକା । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିବାର ୫ଦିନ ପରେ ଅନ୍ୟ ପ୍ରସିଦ୍ଧ ବ୍ୟାଟର ବିରାଟ କୋହଲି ମଧ୍ୟ ଅବସର ନେଇଛନ୍ତି । ବିସିସିଆଇକୁ ଅବସର ବିଷୟ ଜଣାଇଥିଲେ । ନିଷ୍ପତ୍ତି ବଦଳାଇବାକୁ ବିସିସିଆଇ ଅନୁରୋଧ କରିଥିଲା । ହେଲେ କୋହଲି ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ଇନଷ୍ଟାରେ ପୋଷ୍ଟ କରି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି କିଙ୍ଗ୍ କୋହଲି । ପୂର୍ବରୁ ଟି-୨୦ରୁ ଅବସର ନେଇଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦୁଇ ଅଭିଜ୍ଞ ଖେଳାଳିଙ୍କ ଅବସର ନେବା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ବିରାଟଙ୍କୁ ଏବେ କେବଳ ଦିନିକିଆରେ ଦେଖିବାକୁ ମିଳିବ ।
ଆସନ୍ତା ମାସରେ ଭରାତୀୟ କ୍ରିକେଟ୍ ଦଳ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ । ଏହି ସିରିଜ ଜରିଆରେ ୨୦୨୫/୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସଂସ୍କରଣ ଆରମ୍ଭ ହେବ । କୋହଲି ବର୍ତ୍ତମାନ ଟେଷ୍ଟ ଦଳର ସବୁଠୁ ସିନିୟର ଖେଳାଳି । ତେଣୁ ଇଂଲଣ୍ଡ ଗସ୍ତରେ ଦଳ ତାଙ୍କ ଅଭିଜ୍ଞତା ଆବଶ୍ୟକ କରିଥାନ୍ତା । ହେଲେ ଇଲଂଣ୍ଡ ସିରିଜ ପୂର୍ବରୁ ସେ ସନ୍ନ୍ୟାସ ନେଇଛନ୍ତି ।
ଇନଷ୍ଟାଗ୍ରାମ ପୋଷ୍ଟରେ କୋହଲି ଲେଖିଛନ୍ତି,''୨୬୯ ସାଇନିଂ ଅଫ୍ । ୨୬୯ ତାଙ୍କର ଟେଷ୍ଟ କ୍ୟାପ୍ ନମ୍ବର । ଟେଷ୍ଟ କ୍ରିକେଟରେ ପ୍ରଥମ ଥର ବ୍ୟାଗୀ ବ୍ଲୁ କ୍ୟାପ ପିନ୍ଧିବାରେ ୧୪ ବର୍ଷ ହୋଇ ସାରିଛି । ସଚ୍ଚୋଟତାର ସହ କହିଲେ ମୁଁ କେବେ ବି ଭାବି ନଥିଲି ଏହି ଆରମ୍ଭ ମୋତେ ଏକ ଲମ୍ବା ଯାତ୍ରାରେ ନେଇଯିବ । ଏହା ମୋର ପରୀକ୍ଷା ନେଇଛି । ମୋତେ ଗଢିଛି ଶିକ୍ଷା ବି ଦେଇଛି । ଯାହାକୁ ମୁଁ ସାରା ଜୀବନ ସାଥୀରେ ରଖିବି । ଧଳା ଜର୍ସିରେ ଖେଳିବା ଏକ ସୁନ୍ଦର ଅନୁଭୂତି । ଛୋଟ ଛୋଟ ମୂହୁର୍ତ୍ତ ଯାହା ଦେଖାଯାଏ ନାହିଁ କିନ୍ତୁ ସାରା ଜୀବନ ସାଥୀରେ ରହେ । ମୁଁ ଏହି ଫର୍ମାଟରୁ ଦୂରରେ ରହୁଛି ହେଲେ ସହଜ ନୁହେଁ । ମୁଁ ଏଥିରେ ମୋର ସବୁ କିଛି ଦେଇଛି । ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ସାଇନିଂ ଅଫ୍ ୨୬୯ ।''
Virat Kohli announces retirement from Test Cricket
— ANI (@ANI) May 12, 2025
"It’s been 14 years since I first wore the baggy blue in Test cricket. Honestly, I never imagined the journey this format would take me on. It’s tested me, shaped me, and taught me lessons I’ll carry for life...I’ll always look… pic.twitter.com/4Fs8bmU2HU
କୋହଲିଙ୍କ ଟେଷ୍ଟ କ୍ୟାରିୟର- ୨୦୧୧ରେ ଟେଷ୍ଟରେ ପଦାର୍ପଣ କରିଥିଲେ କୋହଲି । ବିରାଟ କୋହଲି ୧୪ବର୍ଷର ଟେଷ୍ଟ କ୍ୟାରିୟର ମଧ୍ୟରେ ୧୨୩ଟି ଟେଷ୍ଟ ଖେଳି ୪୬.୮୫ ହାରରେ ୯୨୩୦ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ରହିଛି । ସେ ୬୮ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଓ ଏଥିରୁ ଦଳକୁ ୪୦ଟି ମ୍ୟାଚ୍ ଜିତାଇଛନ୍ତି । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ କୋହଲି ପର୍ଥ ଟେଷ୍ଟରେ ଶତକ ଅର୍ଜନ କରିଥିଲେ । ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଶତକ କରିଥିଲେ । ୨୦୧୯ରେ ଦକ୍ଷିଣ ଆଫ୍ରିକା (ପୁନେ ଟେଷ୍ଟ) ବିପକ୍ଷରେ କୋହଲି ଅପରାଜିତ ୨୫୪ରନ୍ର ଇନିଂସ ଖେଳିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟର୍ର ସର୍ବ ବୃହତ ଇନିଂସ ରହିଥିଲା ।
ସଫଳ ଟେଷ୍ଟ ଅଧିନାୟକ- ରନ୍ ମେସିନ୍ ବିରାଟ କୋହଲିଙ୍କର ସଫଳ ଟେଷ୍ଟ ଅଧିନାୟକ ଭାବେ ଚମତ୍କାର ରେକର୍ଡ ରହିଛି । ସେ ୪୦ଟି ଟେଷ୍ଟରେ ଭାରତକୁ ବିଜୟୀ କରାଇଛନ୍ତି । ଭାରତର ସବୁଠୁ ସଫଳ ଅଧିନାୟକ ତାଲିକାରେ କୋହଲି ଆଗରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୬୦ଟି ଟେଷ୍ଟରେ ନେତୃତ୍ୱ ନେଇ ୨୭ଟି ଟେଷ୍ଟ ଜିତାଇଥିବାବେଳେ ସୌରଭ ଗାଙ୍ଗୁଲି ୪୯ଟି ଟେଷ୍ଟରେ ନେତୃତ୍ୱ ନେଇ ୨୧ଟି ଟେଷ୍ଟ ଜିତାଇଛନ୍ତି । ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ତାଲିକାରେ ମଧ୍ୟ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି । ରୋହିତଙ୍କ ଅବସର ପରେ ହୁଏତ କୋହଲିଙ୍କୁ ଇଂଲଣ୍ଡ ବିପକ୍ଷରେ ନେତୃତ୍ୱ ମିଳିଥାନ୍ତା । ମାତ୍ର ସେ ବି ଅବସର ଘୋଷଣା କରିଛନ୍ତି ।