ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ମହାନଦୀ ପାଇଁ ପୁଣି ବିପଦ: ସାନ କେଲୋ ନଦୀରେ ଛତିଶଗଡ଼ର ବ୍ୟାରେଜ୍‌, ପ୍ରଭାବିତ ହେବ ହୀରାକୁଦ ନଦୀବନ୍ଧ

Published By : Prameya | May 12, 2025 2:47 PM

ଜାମଗାଁ,୧୨/୦୫: ଛତିଶଗଡ଼ ପୂର୍ବରୁ ମହାନଦୀର ତଣ୍ଟି ଚିପି ଦେଇଛି । ମହାନଦୀର ମୁଖ୍ୟ ସ୍ରୋତରେ  ବହୁ ସଂଖ୍ୟାରେ ବ୍ୟାରେଜ୍‌ ନିର୍ମାଣ ପରେ ଏବେ ଶାଖା  ନଦୀ ଉପରେ ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି ।  ଟ୍ରିବ୍ୟୁନାଲ୍‌ରେ ଅନ୍ତରୀଣ ରହିତାଦେଶ ଜାରି ହୋଇ  ନ ଥିବାରୁ ଏହା ଛତିଶଗଡ଼ ସରକାର ପାଇଁ ସୁବର୍ଣ୍ଣ  ସୁଯୋଗ ସୃଷ୍ଟି କରିଛି । ଯେଭଳି ଓଡ଼ିଶାକୁ ମୁନ୍ଦାଏ ପାଣି  ନ ଦେବା ପାଇଁ ଛତିଶଗଡ଼ ସରକାର ପ୍ରତିଜ୍ଞା କରିଛି  ବୋଲି ବୁଦ୍ଧିଜୀବୀ ମହଲରେ ଜୋର୍‌ ଚର୍ଚ୍ଚା ହେଉଛି । 

ମହାନଦୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ବଡ଼  କେଲୋ ନଦୀରେ ଛତିଶଗଡ଼ ସରକାର ବନ୍ଧ ତିଆରି କରି  ପାଣି ଅଟକାଇ ସାରିଛି । ଏବେ ସାନ କେଲୋ ନଦୀର  ପାଣି ବି ଶୋଷିବାକୁ ଷଡ଼ଯନ୍ତ୍ର ଆରମ୍ଭ କଲାଣି । ଛତିଶଗଡ଼  ରାୟଗଡ଼ ଜିଲ୍ଲାର ବେଲେରିଆଠାରେ ସାନ କେଲୋ ନଦୀ  ଉପରେ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ପ୍ରକଳ୍ପ ନିର୍ମାଣ ହେବା ପରେ ଝାରସୁଗୁଡ଼ା ଜିଲ୍ଲାର  ଲଖନପୁର ବ୍ଲକର ପ୍ରାୟ ୩ଟି ପଞ୍ଚାୟତରେ ଉତ୍କଟ  ଜଳାଭାବ ସ୍ଥିତି ସୃଷ୍ଟି ହେବା ଜଳଜଳ ଦେଖା ଦେଲାଣି । 

ମହାନଦୀ ଓଡ଼ିଶାକୁ ପ୍ରବେଶ କରିବା ପରେ ଏହାର ଦ୍ୱିତୀୟ ଶାଖା ନଦୀ ଭାବେ ସାନ କେଲୋ ଛତିଶଗଡ଼ରୁ  ଆସି ଲଖନପୁର ବ୍ଲକର ଛୁଇଁପାଲି ଗାଁ ନିକଟରେ  ହୀରାକୁଦ ଜଳଭଣ୍ଡାରରେ ମିଶିଛି । ବର୍ଷତମାମ ଏଠାରେ  ପାଣି ଧାର ବୋହିଥାଏ । ଭିଖମପାଲି, ଅତାବିରା, ବାଦିମାଲ ସମେତ ଆଖପାଖର ଅନେକ ପଞ୍ଚାୟତ  ନଦୀ ପାଣି ଉପରେ ନିର୍ଭରଶୀଳ । ପୂର୍ବରୁ ବଡ଼ କେଲୋ  ନଦୀରେ ଛତିଶଗଡ଼ ସରକାର ରାୟଗଡ଼ ଜିଲ୍ଲାର ତମନାର  ନିକଟରେ ବନ୍ଧ ବାନ୍ଧି ସାରିଥିବାବେଳେ ଏବେ ସାନ  କେଲୋ ନଦୀର ତଣ୍ଟି ଚିପିବା ପ୍ରକ୍ରିୟା ଆରମ୍ଭ କଲାଣି । 

ଜଳସେଚନ ନାଁରେ ଶିଳ୍ପ ଶୋଷ ମେଣ୍ଟାଇବାକୁ  ଛୋଟ ଛୋଟ ନାଳକୁ ବି ସେଠାକାର ସରକାର କବ୍‌ଜା  କରିବାରେ ଲାଗିଛନ୍ତି । ବର୍ତ୍ତମାନ ବେଲେରିଆଠାରେ  କିଛି ମାସ ହେଲା ଛତିଶଗଡ଼ ସରକାର ଏକ ବ୍ୟାରେଜ୍‌  ନିର୍ମାଣ କାମ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଏହାର ଫାଉଣ୍ଡେସନ୍‌ କାମ ପ୍ରାୟତଃ ସରିଗଲାଣି । ମୋଟ ୬  କୋଟି ୧୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା  ପ୍ରାୟ ୧ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ  କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।  ରାୟଗଡ଼ ଜିଲ୍ଲାର ଜମଗାଁରେ ଥିବା ଏକ ଇସ୍ପାତ ଓ  ସ୍ପଞ୍ଜ ଆଇରନ୍‌ କାରଖାନା ସମ୍ପ୍ରସାରଣ କାମ ଆରମ୍ଭ  କରିଛି । ଉକ୍ତ ସଂସ୍ଥାର ପାଣି ଚାହିଦା ମେଣ୍ଟାଇବାକୁ  ବ୍ୟାରେଜ୍‌ ନିର୍ମାଣ କରାଯାଉଥିବା ନେଇ ସ୍ଥାନୀୟ  ଲୋକେ ଆଶଙ୍କା କରୁଛନ୍ତି । ଏହା ପୂର୍ବରୁ ବଡ଼ କେଲୋ  ନଦୀରେ ଦୀର୍ଘ ଦେଢ଼ ଦଶନ୍ଧି ତଳୁ ବନ୍ଧ ନିର୍ମାଣ ହୋଇ  ୪ରୁ ଅଧିକ ଶିଳ୍ପ ସଂସ୍ଥାକୁ ଅବିରତ ଜଳଯୋଗାଣ  ଚାଲିଥିଲେ ହେଁ ଅଦ୍ୟାବଧି କେନାଲ ଜଳସେଚନ  ଆରମ୍ଭ ହୋଇପାରିନାହିଁ । ଏଭଳି ସ୍ଥିତିରେ ସାନ କେଲୋରେ ବ୍ୟାରେଜ୍‌ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ  ହେବା ପରେ ଝାରସୁଗୁଡ଼ାର ୩ ପଞ୍ଚାୟତର ୧୫ରୁ  ଅଧିକ ଗାଁ ଭୟଙ୍କର ଜଳକଷ୍ଟର ସମ୍ମୁଖୀନ ହେବାର  ଆଶଙ୍କା ଦେଖାଦେଲାଣି । ଏହି ପ୍ରକଳ୍ପ ଦ୍ୱାରା ଏକାଧିକ  ଉଠା ଜଳସେଚନ ପ୍ରକଳ୍ପ ଅକାମୀ ହେବା ଆଶଙ୍କା  ଘାରିଲାଣି । ବାଉଁସେନପାଲି, ଭିକମପାଲି, ଚିଖିଲାପାଲି, ଛୁଇଁପାଲି, କଦମଘାଟ ଆଦି ସ୍ଥାନର ଉଠା ଜଳସେଚନ  ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଘେରକୁ ଆସିଗଲାଣି ।  ଏ ନେଇ ଚାଷୀ ମହଲରେ ଭାଳେଣି ପଡ଼ିଲାଣି । 

ସେପଟେ ପ୍ରକଳ୍ପ ଦ୍ୱାରା ହୀରାକୁଦ ବି ଗୁରୁତର  ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।  ବିଶେଷ କରି ଅଣମୌସୁମୀ ଅବଧିରେ ଏହାର  ଗୁରୁତ୍ୱର ପ୍ରଭାବ ଲୋକଙ୍କୁ ଭୋଗିବାକୁ ପଡ଼ିବା ଏକ  ପ୍ରକାର ଥୟ। କାରଣ, ମହାନଦୀ ମୁଖ୍ୟ ସ୍ରୋତରେ  କଲମାରୁ ଖରା ଦିନରେ ଟୋପାଏ ବି ପାଣି ଆସୁନାହିଁ ।  ଏହି ପରିପ୍ରେକ୍ଷୀରେ ଶାଖା ନଦୀଗୁଡ଼ିକରେ ପାଣି  ଅଟକାଇଲେ ଚାଷୀ, ମତ୍ସ୍ୟଜୀବୀ ସିଧାସଳଖ ପ୍ରଭାବିତ ହେବେ । ଗୃହପାଳିତ ପ୍ରାଣୀଙ୍କ ଉପରେ ଏହାର  ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା  ପ୍ରକାଶ ପାଇଛି । ଏନେଇ ଭିକମପାଲି ସରପଞ୍ଚ  ପଦ୍ମିନୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ  ପ୍ରକଳ୍ପ ହେଲେ ଆମ ଅଞ୍ଚଳ ଶୁଖିଲା ପଡ଼ିବ । ହଜାର  ହଜାର ଚାଷ ଜମି ଭୟଙ୍କର ମରୁଡ଼ିର ଶିକାର ହେବ ।  ତୁରନ୍ତ ଏହାକୁ ବନ୍ଦ କରିବାକୁ ଓଡ଼ିଶା ସରକାର  ପଦକ୍ଷେପ ନିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.