ରାୟଗଡ଼ା ,୧୨।୫ : ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମ ନିକଟସ୍ଥ ବୁଦ୍ଧ ପାହାଡରେ। ଏ ନେଇ ଭଗତ ସିଂହ ଆସୋସିଏସନ ତରଫରୁ ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।
ଆଜି ହେଉଛି ପବିତ୍ର ବୁଦ୍ଧ ପୂର୍ଣ୍ଣିମା। ଶାନ୍ତିର ଭଗବାନଙ୍କ ନାମରେ ବୁଦ୍ଧ ସାରା ବିଶ୍ୱରେ ପରିଚିତ ଥିବା ବେଳେ କିଛି ଦୁର୍ବୃତ୍ତ ଏପରି ଘଟଣା ଘଟାଇଛନ୍ତି । ଯାହାକୁ ଭଗତ ସିଂହ ଆସୋସିଏସନ ତୀବ୍ର ନିନ୍ଦା କରିଛି। ଆସୋସିଏସନ କହିବାନୁସାରେ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ବୁଦ୍ଧ ପାହାଡରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ ସହ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ରବିବାର ରାତିରେ କିଛି ଦୁର୍ବୃତ୍ତ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ସେଠାରେ ଥିବା ସାଉଣ୍ଡ ସିଷ୍ଟମ ଓ ଛୋଟିଆ ପିତ୍ତଳର ବୁଦ୍ଧ ମୂର୍ତ୍ତିକୁ ଚୋରାଇ ନେଇଯାଇଛନ୍ତି। ବୁଦ୍ଧଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସରେ ଆଞ୍ଚ ଆଣିବା ପାଇଁ ସେମାନେ ପ୍ରୟାସ କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗାମୀ ଦିନରେ ଭଗତସିଂହ ଆସୋସିଏସନ ଓ ଆମ୍ବେଦକର ଆସୋସିଏସନ ତରଫରୁ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।