କାମାକ୍ଷାନଗର,୧୨।୫: ଶିକାର ପାଇଁ ବୋମା ଭିଡୁଥିବା ବେଳେ ଅଘଟଣ l ବୋମା ବିସ୍ଫୋରଣ ଘଟି ଜଣେ ମୃତ ଓ ଦୁଇ ଗୁରୁତର l ଏପରି ଅଭାବନୀୟ ଘଟଣା ଘଟିଛି କଙ୍କଡାହାଡ଼ ଥାନା ଝାଟକିପଶି ଗାଁରେ l
ଗାଁରେ କିଛି ଲୋକ ସୋମବାର ଅପରାହ୍ନରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବୋମା ଭିଡୁଥିବା ବେଳେ ହଠାତ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା l ଫଳରେ ସେଠାରେ ବୋମା ଭିଡୁଥିବା ତିନି ଜଣଙ୍କ ଶରୀରରେ ଗଭୀର ଆଘାତ ଲାଗିଛି l ବୋମା ଶବ୍ଦ ଓ ଧୂଆଁ ଦେଖି ସ୍ଥାନୀୟ ଲୋକ ଗୁରୁତରମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲକୁ ଆଣୁଥିଲେ l ମାତ୍ର ମେଡିକାଲ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ୧୦୮ ଆମ୍ବୁଲାନ୍ସର ଚକା ଫାଟିଯିବl ଫଳରେ ଗୁରୁତର ମାନଙ୍କୁ ମେଡିକାଲ ରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା l ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ ମେଡିକାଲ ଅଣାଯାଇଥିବାବେଳେ ମେଡିକାଲରେ ଦେବେନ୍ଦ୍ର ଟିଉଙ୍କ ମୃତ୍ୟୁ ହୋଇଛି l ଅନ୍ୟ ଦୁଇ ଗୁରୁତର ଭଞ୍ଜ ନାୟକ ଓ ବୁଲୁ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।