ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ AEE ରାମଚନ୍ଦ୍ର ଶତପଥୀ ଗିରଫ: କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

Published By : Prameya | April 17, 2025 1:38 PM

ଢେଙ୍କାନାଳ/ଆଠମଲ୍ଲିକ, ୧୭/୦୪:ଆଉ  ଅଢ଼େଇ ମାସ ପରେ ସରକାରୀ ଚାକିରି ଜୀବନରୁ  ଅବସର ନେଇଥାନ୍ତେ । ମାତ୍ର ଏହା ପୂର୍ବରୁ ଆୟ  ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ  ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ  (ଏଇଇ) ରାମଚନ୍ଦ୍ର ଶତପଥୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁକୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିିଳିଛି।  

ଭିଜିଲାନ୍ସ ଚଢ଼ାଉ ବେଳେ ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ-୧୫  ଗାୟତ୍ରୀନଗରସ୍ଥିତ ୫ ହଜାର ବର୍ଗଫୁଟ୍‌ର ଦ୍ୱିତଳ  କୋଠା, ୨୨ଟି ବାସୋପଯୋଗୀ ମୂଲ୍ୟବାନ ପ୍ଲଟ୍‌,  କୋଟିଏ ୧୬ ଲକ୍ଷ ୬୬ ହଜାର ଟଙ୍କାର ବ୍ୟାଙ୍କ୍‌,  ବୀମା ଓ ଡାକ ଜମା, ୩୫୦ ଗ୍ରାମ୍‌ର ସୁନାଗହଣା, ଜୁନାଗଡ଼ରେ ରହୁଥିବା ଡାକ୍ତର ଜ୍ୱାଇଁଙ୍କ ଘରୁ  ନଗଦ ୨୩ ଲକ୍ଷ ୯୫ ହଜାର ଟଙ୍କା, ଦୁଇଟି କାର୍‌  ଏବଂ ୧୭ ଲକ୍ଷରୁ ଅଧିକ ମୂଲ୍ୟର ଆସବାବ  ଭିଜିଲାନ୍‌ସ ଠାବ କରିଛି । ପ୍ଲଟ୍‌ଗୁଡ଼ିକର ମୂଲ୍ୟ  ୬୦ ଲକ୍ଷ ବୋଲି ଆକଳନ କରାଯାଇଥିଲେ ମଧ୍ୟ  ଅପେକ୍ଷାକୃତ କମ୍‌ ମୂଲ୍ୟରେ ପଞ୍ଜିକୃତ ହୋଇଥିବାରୁ  ଭିଜିଲାନ୍‌ସ ଏହାର ପ୍ରକୃତ ମୂଲ୍ୟ ଅନୁଧ୍ୟାନ କରୁଛି ।  

ବୁଧବାର ଭୋର୍‌ରେ ରାମଚନ୍ଦ୍ର ଆଠମଲ୍ଲିକ ଯିବାକୁ  ପ୍ରସ୍ତୁତ ହେଉଥିବାବେଳେ ଢେଙ୍କାନାଳ ଗାୟତ୍ରୀନଗରସ୍ଥିତ  ବାସଭବନରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌ । ଗୋଟିଏ  ଟିମ୍‌ ଯାଞ୍ଚ ଚଳାଇଥିବା ବେଳେ ଅନ୍ୟ ଏକ ଟିମ୍‌  ରାମଚନ୍ଦ୍ରଙ୍କୁ ସାଥୀରେ ନେଇ ଆଠମଲ୍ଲିକ ଯାଇଥିଲା । ଆଠମଲ୍ଲିକ ଟାଉନ୍‌ସ୍ଥିତ ସରକାରୀ ବାସଭବନ,  କାର୍ଯ୍ୟାଳୟ, ଢେଙ୍କାନାଳ ସଦର ବ୍ଲକ୍‌ ବଣସିଂହ ଗ୍ରାମସ୍ଥିତ  ପୈତୃକ ଘର, କଳାହାଣ୍ଡି ଜୁନାଗଡ଼ସ୍ଥିତ ତାଙ୍କ ଡାକ୍ତର  ଜ୍ୱାଇଁଙ୍କ ବାସଭବନ, ଭବାନୀପାଟଣାସ୍ଥିତ ସାନ ଜ୍ୱାଇଁଙ୍କ  ବାସଭବନ, ଗଁଦିଆ ବ୍ଲକ୍‌ କରମୂଳସ୍ଥିତ ସମ୍ପର୍କୀୟଙ୍କ ଘର, ବାରଙ୍ଗ ତ୍ରିଶୁଳିଆସ୍ଥିତ ନିର୍ମାଣଧୀନ କୋଠା  ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଜ୍ୱାଇଁ  ଡା. ତପନ କୁମାର ତ୍ରିପାଠୀ ଜୁନାଗଡ଼ ସିଏଚ୍‌ସିରେ  ମେଡିକାଲ ଅଫିସର୍‌ ଅଛନ୍ତି । ତାଙ୍କ ଘରୁ ମିଳିଥିବା  ବିପୁଳ ପରିମାଣର ନଗଦ ଅର୍ଥ ଉତ୍ସ ସମ୍ପର୍କରେ ଡା.  ତ୍ରିପାଠୀ ଠିକ୍‌ ତଥ୍ୟ ଦେଇ ନ ପାରିବାରୁ ଭିଜିଲାନ୍ସ  ଟଙ୍କା ଜବତ କରିଛି । 

ଓଡ଼ିଶା  ଭିଜିଲାନ୍ସର ମୋଟ ୮ଟି ଟିମ୍‌ ଚଢ଼ଉ କରିଥିବା ବେଳେ ୭ ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର ଓ ଅନ୍ୟ  କର୍ମଚାରୀ ସାମିଲ ହୋଇଥିଲେ । ରାମଚନ୍ଦ୍ରଙ୍କୁ ଭିଜିଲାନ୍ସ  ବିଭାଗ ହେପାଜତକୁ ନେଇ ପଚରାଉଚରା କରିଥିଲା। ଆଜି ତାଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲଣ କରାଯିବା

ରାମଚନ୍ଦ୍ର ଶତପଥୀ ୧୯୮୯ରୁ କନିଷ୍ଠ ଯନ୍ତ୍ରୀ  ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିଲେ ।  ୨୦୨୦ ପର୍ଯ୍ୟନ୍ତ ସେ ମାଲକାନଗିରି, କେନ୍ଦ୍ରାପଡ଼ା,  ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ  କାର୍ଯ୍ୟ କରିଛନ୍ତି । ୨୦୨୦ରେ ସେ ସହକାରୀ ଯନ୍ତ୍ରୀ  ଭାବେ ପଦୋନ୍ନତି ପାଇ କଣିହାଁ ବ୍ଲକ୍‌ରେ କାର୍ଯ୍ୟ  କରିଥିଲେ । ୨୦୨୨ରେ ସହକାରୀ ନିର୍ବାହୀ ଯନ୍ତ୍ରୀ  ଭାବେ ଆଠମଲ୍ଲିକ ବ୍ଲକ୍‌ରେ ଯୋଗ ଦେଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.