ମାଲକାନଗିରି, ୧୮/୪ (ରତ୍ନାକର ଦାଶ ) : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ପାହାଡ଼ ତଳି ଭୀମାରଙ୍ଗିଣୀ ଗାଁ। ପାହାଡ଼ତଳି ଆଦିବାସୀ ଗାଁର ଦୁଃଖ ଦିନକୁ ଦିନ ବଢ଼ି ଚାଲିଛି । ଗ୍ରାମବାସୀ ପାଇ ପାରୁ ନାହାନ୍ତି ସ୍ଵଛ ପାନୀୟ ଜଳ , ଗାଁକୁ ନାହିଁ ପକ୍କା ରାସ୍ତା, ବିଦ୍ୟୁତ ଓ ମୋବାଇଲ ସେବା ଅପହଞ୍ଚ ପାଲଟି ଯାଇଛି । ସେମାନଙ୍କର ନାଳର ଚୁଆ ପାଣିରେ ଶୋଷ ମେଣ୍ଟୁଛି । ବିଦ୍ୟୁତ ବ୍ୟବସ୍ଥା ନ ଥିବାରୁ ଡିବିରୀ ଆଲୁଅରେ ଗାଁର ପିଲା ପାଠ ପଢୁଛନ୍ତି ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସିନ୍ଦ୍ରିମାଳ ପଞ୍ଚାୟତସ୍ଥ ଭୀମାରାଙ୍ଗିଣୀ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମାଲକାନଗିରି ଜିଲ୍ଲା ସଦରମହକୁମାଠାରୁ ପ୍ରାୟ ୧୫କିଲୋମିଟର ଦୂରରେ ପାହାଡ଼ ତଳେ ରହିଛି ଭୀମରଙ୍ଗିଣୀ ଗାଁ । ଉକ୍ତ ଗାଁକୁ ଯିବା ଲାଗି ସିଧାସଳଖ ପକ୍କା ରାସ୍ତା ଟିଏ ନାହିଁ । ପ୍ରତିଦିନ ଗ୍ରାମବାସୀ ମାଟି ରାସ୍ତା ଅତିକ୍ରମ କରି ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ନିତିଦିନିଆ କାର୍ଯ୍ୟ ଲାଗି ବ୍ଲକ ଓ ଜିଲ୍ଲା ସଦରମହକୁମାକୁ ଯାତାୟାତ କରିଥାନ୍ତି । ବର୍ଷା ଦିନେ ରାସ୍ତା କାଦୁଅ ପାଣିରେ ଭର୍ତ୍ତି ହୋଇଥାଏ, ଯାତାୟତରେ ବାଧା ହୋଇଥାଏ । ଉକ୍ତ ଗ୍ରାମରେ ପ୍ରାୟ ୨୭୦ରୁ ଊର୍ଦ୍ଧ୍ବ କୋୟା, ପରଜା ଆଦିବାସୀ ସହ କିଛି ହରିଜନ ପରିବାର କେଉଁ ଆବାହନ କାଳରୁ ବସବାସ କରି ଆସୁଛନ୍ତି । ପୂର୍ବରୁ ଏହି ଗାଁକୁ ଆରଡି ବିଭାଗ ପକ୍ଷରୁ ମେଟାଲ ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତାଟି ଦୀର୍ଘ ୧୨ବର୍ଷରୁ ଊର୍ଦ୍ଧ୍ବ ମରାମତ କରା ନ ଯିବାରୁ ମେଟାଲ ପଥର ଉଠି ରାସ୍ତା ମରଣ ଜନ୍ତା ପାଲଟି ଯାଇଛି । ଏହା ବ୍ୟତିତ ପାନୀୟ ଜଳଠାରୁ ଆରମ୍ଭ କରି ବିଦ୍ୟୁତ୍ ଓ ମୋବାଇଲ ନେଟୱର୍କ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି।
ଭୀମାରାଙ୍ଗିଣା ଗ୍ରାମଠାରୁ ବିଏଲପୁର ପଞ୍ଚାୟତକୁ ସଂଯୋଗ କରିବା ଲାଗି ୧୫କିମି ମୁଖ୍ୟ ପକ୍କା ରାସ୍ତା ନାହିଁ। ଭୀମାରାଙ୍ଗିଣୀ ଗାଁରେ ରହିଛି ୫ଟି ନଳକୂପ। ସେଥି ମଧ୍ୟରୁ ଅନେକ ଅଚଳ ହୋଇପଡ଼ିଛି । ବଳକା ନଳକୂପରେ ଆଇରନ ଯୁକ୍ତ ଜଳ ବାହାରିବା କାରଣରୁ ଗ୍ରାମର ମହିଳାମାନେ ଗ୍ରାମ ନିକଟରେ ଥିବା ବାଲି ଯୋଡ଼ି ନାଳ ନିକଟରେ ଚୁଆ ଖୋଳି ସେଥିରୁ ଜଳ ସଂଗ୍ରହ କରି ପାନୀୟ ସହିତ ରୋଷେଇ ଓ ଘରର ନିତିଦିନିଆ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ବର୍ଷା ଓ ଶୀତ ଦିନେ ଭାଲୁ, ସାପ, ବନ୍ୟ ଜନ୍ତୁଙ୍କ ଭୟ ଲାଗି ରହିଛି । ଗାଁରେ ସୋଲାର ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା । କିଛି ଦିନ ଚାଲିବା ପରେ ତାହା ଖରାପ ହୋଇ ବନ୍ଦ ରହିଛି । ତୁରନ୍ତ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ଚୁଆରୁ ପାଣି ସଂଗ୍ରହ କରୁଥିବା ଫୁଲମିତି ସୋଡି, ସମାରୀ କବାସୀ, ବତୀ ସୋଡି, ଲକ୍ଷ୍ମୀ ସିଶା, ଡମନୁ ଶିଶା ପ୍ରମୁଖ ମହିଳାମାନେ କହିଛନ୍ତି ।
ଭୀମାରାଙ୍ଗିଣୀ ଗ୍ରାମର ଘର ସଂଖ୍ୟା ୨୭୦ରହିଥିବାବେଳେ ଗତ ଦେଢ ବର୍ଷେ ତଳେ ଏକ ମୋବାଇଲ ଟାୱାର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା । ତାହା କାର୍ଯ୍ୟକ୍ଷମ ନ ହେବାରୁ ଗ୍ରାମବାସୀ ମୋବାଇଲ ସେବାରୁ ବଞ୍ଚିତ ହୋଇଛନ୍ତି । ଭୀମାରାଙ୍ଗିଣୀ ଗ୍ରାମର ହରିଜନପଡ଼ା ସାହିରେ ୬ଟି ଘରକୁ ଅଦ୍ୟାବଧି ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଫଳରେ ପାଠ ପଢ଼ୁଥିବା ପିଲାମାନେ ରାତିରେ ଡିବିରୀ ଆଲୁରେ ପଢିଥାନ୍ତି । ବଜାରରେ ଠିକ୍ ଭାବେ କିରୋସିନୀ ତେଲ ମିଳୁନଥିବାବେଳେ ଚୋରାରେ ୨୦୦ଟଙ୍କା ଦେଇ କିରୋସିନ କିଣି ଡିବିରୀ ଆଲୁଅରେ ଘରର ଅନ୍ଧାର ଦୂର କରିଥାନ୍ତି । ଗାଁରେ ଉପର ସାହି, ତଳ ସାହି, ମଝି ସାହି ରହିଛି ଏହି ସାହି ଗୁଡିକରେ ମଧ୍ୟ ଅନୁରୂପ ସମସ୍ୟା ରହିଛି । ଗାଁକୁ ପକ୍କା ରାସ୍ତା, ପାନୀୟ ଜଳ, ମୋବାଇଲ ନେଟ ୱାର୍କ ସେବା ଓ ହରିଜନ ସାହିକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଜିଲ୍ଲାପାଳ, ବ୍ଲକ ବିଡିଓଙ୍କୁ ଦରଖାସ୍ତ ଦେଇଥିଲେ ମଧ୍ୟ କିଛି କାର୍ଯ୍ୟକାରି ହେଉନଥିବାର ଗ୍ରାମର ୱାର୍ଡ଼ମେମ୍ବର ଦନେଇ ହନ୍ତାଳ, ଗ୍ରାମ ମୁଖିଆ କେଶବ ଶିଶା, କାର୍ତ୍ତିକ ମାଟମ, ଲଇଛନ ଶିଶା ଅଭିଯୋଗ କରିଛନ୍ତି । ଏବେ ବି ଭୀମାରଙ୍ଗିଣୀ ଗ୍ରାମଟି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି । ଗାଁର ସମସ୍ୟା ସମ୍ପର୍କରେ ଆମେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲୁ, ଭୀମା ରାଙ୍ଗିଣୀ ଗ୍ରାମ ସମସ୍ୟା ଅନୁଧ୍ୟାନ କରିବା ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର ସେ ଗାଁକୁ ପଠାଯାଇ ରାସ୍ତା, ପାନୀୟ ଜଳ ଓ ଅନ୍ୟାନ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କାରି କରାଯିବ ବୋଲି ଏଡିଏମ ଶ୍ରୀ ପ୍ରଧାନ କହିଛନ୍ତି। ଖାଲି ଦେଖିବାକୁ ରହିଲା କେବେ ପାହାଡ଼ ତଳି ଭୀମାରାଙ୍ଗିଣୀ ଗାଁର ଦୁଃଖ ଦୂର ହେଉଛି ।