କଟକ,୧୯/୦୪: କଟକ ମହାନଗର ନିଗମ(ସିଏମ୍ସି) ଅଧୀନ ବହୁ ବସ୍ତିବାସିନ୍ଦାଙ୍କ ଭାଗ୍ୟ ପ୍ରାୟ ବର୍ଷେ ହେବ ଝୁଲିରହିଛି । କାରଣ ପୂର୍ବ ସରକାରଙ୍କ ଜାଗା ମିସନ ଅଧୀନରେ ୫୯ଟି ୱାର୍ଡର ମାତ୍ର ୧୧୪୮ଟି ପରିବାରଙ୍କୁ ଲ୍ୟାଣ୍ଡ୍ ରାଇଟ୍ ସାର୍ଟିଫିକେଟ୍(ଏଲ୍ଆର୍ସି) ତଥା ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଅପରପକ୍ଷରେ ଯୋଗ୍ୟ ତାଲିକାର ଅଧା ହିତାଧିକାରୀଙ୍କୁ ଏଯାବତ୍ ସେମାନଙ୍କ ଭୂମି ପ୍ରମାଣପତ୍ର ମିଳିପାରିନାହିଁ । ସର୍ଭେ ଶେଷ ହୋଇ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ନୂତନ ସରକାରଙ୍କ ଦ୍ୱାରା ଜାଗା ମିସନ ଯୋଜନାର ନୂଆ ରୂପରେଖକୁ ଚାହିଁବସିଛନ୍ତି ୧୨୭୯ଟି ପରିବାର । ଫଳରେ ସେମାନଙ୍କ ଭାଗ୍ୟ ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ଝୁଲି ରହିଛି ।
ରାଜ୍ୟରେ ପୂର୍ବତନ ସରକାରଙ୍କ ଦ୍ୱାରା ବସ୍ତିବାସିନ୍ଦାଙ୍କୁ ନୂଆ ଜୀବନଯାପନ କରିବା ଉଦ୍ଦେଶ୍ୟରେ ଜାଗା ମିସନ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏଥିରେ ସହରରେ ଅନେକ ବସ୍ତି ଉଚ୍ଛେଦ ହେବା ସହ ବସ୍ତିବାସିନ୍ଦାଙ୍କୁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ରାଶି ସହ ରହିବାକୁ ଜାଗା ପ୍ରଦାନ କରାଯାଇ ଥଇଥାନ କରାଯାଇଥିଲା । ତାହାବାଦ୍ ସରକାରୀ ଜମିରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଭୂମି ପ୍ରମାଣପତ୍ର ଦିଆଯିବା ନେଇ ଘୋଷଣା ହୋଇଥିଲା । ସେମାନଙ୍କୁ ନିର୍ଦ୍ଧିଷ୍ଟ ଜାଗାର ଏକ ପ୍ରକାରର ମାଲିକାନା ମିଳିପାରିବ ବୋଲି କୁହାଯାଇଥିଲା । ଏମିତିକି ଏହି ପ୍ରମାଣପତ୍ର ମାଧ୍ୟମରେ ଆଗାମୀ ଦିନରେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମଧ୍ୟ ଲାଭ ଉଠାଇ ଘର ତୋଳିପାରିବେ । ଯଦି ବସ୍ତି ଉଚ୍ଛେଦ ହୁଏ ତେବେ ସେତିକି ପରିମାଣର ଜାଗା ସରକାର ପ୍ରଦାନ କରିବେ ଏହି ପ୍ରମାଣପତ୍ର ମାଧ୍ୟମରେ । ତେଣୁ ସିଏମ୍ସି ଅଧୀନରେ ପଞ୍ଜିକୃତ ଥିବା ୨୬୨ଟି ବସ୍ତିରେ ସର୍ଭେ ହୋଇଥିଲା । ସେଥିରେ ପ୍ରାୟ ୩୦ ହଜାର ପରିବାର ତଥା ଘରର ସର୍ଭେ କରାଯାଇଥିଲା । ଏଥିରେ ମାତ୍ର ୮୮ଟି ବସ୍ତି ସରକାରଙ୍କ ବିଭିନ୍ନ ବିଭାଗର ଜମି ଉପରେ ଗଢ଼ି ଉଠିଥିବା ଜଣାପଡ଼ିଥିଲା ।
ସେଥିରୁ ପୁଣି ମାତ୍ର ୩୩ଟି ବସ୍ତି ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନର ଜାଗାରେ ରହିଥିବା ସର୍ଭେ ରିପୋର୍ଟରୁ ପ୍ରକାଶ ପାଇଥିଲା । ଏଥିରେ ୧ନମ୍ବର ୱାର୍ଡର ରାଧାକିଶୋରପୁର, ଶତାବ୍ଦୀ ନଗର, ୩ନମ୍ବର ୱାର୍ଡର ଧବଳେଶ୍ୱରଗଡ଼ା ହରିଜନ ସାହି, ୭ନମ୍ବର ୱାର୍ଡର ଦୁଇଟି ସତୀ ଗୁମ୍ପା ବସ୍ତି, ୮ନମ୍ବର ୱାର୍ଡର ନିମ ବସ୍ତି ଭଳି ୫୯ଟି ୱାର୍ଡର ୩୩ଟି ବସ୍ତିରେ ୪ହଜାର ୮୫ଟି ଘରକୁ ସର୍ଭେ କରାଯାଇଥିଲା । ସେଥିରୁ ଏଲ୍ଆର୍ସି ପାଇବା ପାଇଁ ୨୭୨୭ଟି ଘର ମାଲିକ ଯୋଗ୍ୟ ବିବେଚିତ ହୋଇଥିଲେ । ତେଣୁ ଗତ ବର୍ଷ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇ ୫୯ଟି ୱାର୍ଡର ମାତ୍ର ୧୧୪୮ଟି ଘର ତଥା ପରିବାରକୁ ଏହି ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ସରକାରଙ୍କ ପରିବର୍ତ୍ତନ ପରେ ଏବେ ଜାଗା ମିସନ ଯୋଜନାର ନୂଆ ରୂପରେଖ ପାଇଁ ଏହାକୁ ପ୍ରାୟ ବର୍ଷେ ହେଲା ସ୍ଥଗିତ ରଖାଯାଇଛି । ଏହା ମଧ୍ୟରେ ସିଏମ୍ସିରେ ଥିବା ଜାଗା ମିସନ କାର୍ଯ୍ୟାଳୟ ବନ୍ଦ ପଡ଼ିଛି । ତେଣୁ ବଳକା ରହିଥିବା ପାଖାପାଖି ୧୨୭୯ଟି ପରିବାରକୁ କେବେ ଭୂମି ପ୍ରମାଣପତ୍ର ମିଳିବ ବୋଲି ଚିନ୍ତା ଘାରିଛି । କେବଳ ସେତିକି ନୁହଁ, ଏହାର ସ୍ପଷ୍ଟ ରୂପରେଖକୁ ନେଇ କାହାରି ପାଖରେ ଉତ୍ତର ନ ଥିବାରୁ ବସ୍ତିବାସିନ୍ଦାମାନେ ନୂଆ ସରକାରଙ୍କ ଆଭିମୁଖ୍ୟକୁ ଚାହିଁ ବସିଛନ୍ତି । ଏ ନେଇ ସିଏମ୍ସି କମିସନର ଅନାମ ଚରଣ ପାତ୍ର କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି । ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।