ବଡ଼ଗାଁ,୧୯/୦୪: ଦାଦନ ଯାଇ ନିଖୋଜ ହୋଇଗଲେ । ପରିବାର ସଦସ୍ୟ ଭାବିଲେ ମରିଯାଇଛନ୍ତି । ଶୁଦ୍ଧି ହୋଇଗଲେ । ମଥାରୁ ସିନ୍ଦୂର ପୋଛିଦେଲେ ସ୍ତ୍ରୀ । ହେଲେ ଯେଉଁ ମଣିଷକୁ ମୃତ ବୋଲି ଭାବିଥିଲେ ସେ ଘରକୁ ବାହୁଡ଼ିଛନ୍ତି । ତାହା ପୁଣି ଦୀର୍ଘ ୧୫ ବର୍ଷ ପରେ । ନିଖୋଜ ଶ୍ରୀକର ଖଡ଼ିଆଙ୍କ ଘରବାହୁଡ଼ାରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ବୀରପାଲିରେ ଖେଳିଯାଇଛି ଖୁସିର ଲହରି । ଦୀର୍ଘ ବର୍ଷ ପରେ ପୁଅକୁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡ଼ିଥିବାବେଳେ ଶ୍ରୀକରଙ୍କ ସ୍ତ୍ରୀ ପୁଣି ସଧବା ସାଜିଛନ୍ତି ।
ଅଧିକ ରୋଜଗାର ଆଶାରେ ୨୦୧୦ରେ ଶ୍ରୀକର ଗାଁର କେତେଜଣ ଯୁବକଙ୍କ ସହ ଗୋଆ ଯାଇଥିଲେ । ସମୁଦ୍ରରେ ମାଛଧରା କାର୍ଯ୍ୟରେ ନିୟୋଜିତ ଥିଲେ । ଯିବାର ୨ବର୍ଷ ପର୍ଯ୍ୟନ୍ତ ପରିବାର ସହ ଯୋଗାଯୋଗରେ ଥିଲେ । ନିୟମିତ ଟଙ୍କା ବି ପଠାଉଥିଲେ । ହେଲେ ହଠାତ୍ ସେ ନିଖୋଜ ହୋଇଗଲେ । ଶ୍ରୀକର ସମୁଦ୍ରରେ ବୁଡ଼ି ଯାଇଥିବା ସହକର୍ମୀଙ୍କଠାରୁ ସୂଚନା ପାଇଥିଲା ପରିବାର । ମୃତଦେହ ମିଳି ନ ଥିବାରୁ ପରିବାର ଲୋକେ କିଛି ବର୍ଷ ଅପେକ୍ଷା କଲେ । ହେଲେ ଶ୍ରୀକର ବାହୁଡ଼ିଲେନି । ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ପରିବାର ଲୋକେ ଶୁଦ୍ଧି ହୋଇଗଲେ । ସ୍ତ୍ରୀ ବିଧବା ସାଜିଲେ । ଏପରି କି ତାଙ୍କୁ ବିଧବା ଭତ୍ତା ମଧ୍ୟ ମିଳୁଛି ।
ଶ୍ରୀକର ଦୀର୍ଘ ବର୍ଷ ପରେ ଗାଁକୁ ଫେରିଛନ୍ତି । ହେଲେ ସେ ମାତୃଭାଷା ଭୁଲିଯାଇଛନ୍ତି । ମରାଠୀ-କୋଙ୍କଣୀ ଭାଷା କହୁଛନ୍ତି । ନିଖୋଜ ସମୟର ଯନ୍ତ୍ରଣାମୟ କାହାଣୀ ବଖାଣି କହିଛନ୍ତି, କଷ୍ଟ ହେବାରୁ କାମ କରୁଥିବା ସ୍ଥାନରୁ ଅନ୍ୟତ୍ର ଚାଲିଯାଇଥିଲେ । ଫଳରେ ପରିବାର ସହ ଯୋଗାଯୋଗ ହୋଇପାରି ନ ଥିଲା । ଅନ୍ୟଜଣେ ମାଲିକ ତାଙ୍କୁ ନଜରବନ୍ଦୀ କରି ରଖି କାମ କରାଉଥିଲେ । ମହାରାଷ୍ଟ୍ରର ପ୍ରବୀଣ ସଦାଶିବ ସାଧୁଆ ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କରେ ଆସିଥିଲେ । ତାଙ୍କ ଦୁର୍ଦ୍ଦଶା ଜାଣିବା ପରେ ଠିକଣା ପଚାରି ବରପାଲିକୁ ଆଣିଛନ୍ତି। ଦୀର୍ଘ ୧୫ବର୍ଷ ପରେ ଶ୍ରୀକରଙ୍କ ଘରବାହୁଡ଼ା ଚର୍ଚ୍ଚାର ବିଷୟ ସାଜିଛି ।