ଯାଜପୁର,ଠାକୁରମୁଣ୍ଡା, ୨୦/୦୪: କିନ୍ନର ବେଶରେ ଠାକୁରମୁଣ୍ଡାରୁ ୪ ବର୍ଷର ଶିଶୁକନ୍ୟା ଅପହରଣ ଘଟଣା। ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ଉଦ୍ଧାର।  ୭୨ ଘଣ୍ଟା ମଧ୍ୟରେ ଶିଶୁକନ୍ୟା ଉଦ୍ଧାର ହୋଇଛି। ଯାଜପୁର ରୋଡ଼ ଅଞ୍ଚଳରେ କିନ୍ନରକୁ ମାଡ଼ି ବସିଲେ ଅନ୍ୟ କିନ୍ନର ସଂଘ। ପିଲା ଚୋର ଜଣଙ୍କ କିନ୍ନର ହୋଇନଥିବା ଅଭିଯୋଗ ହୋଇଛି। କିନ୍ନର ସଂଘର ସଦସ୍ୟମାନେ ଅଭିଯୁକ୍ତ ଛଦ୍ମବେଶୀ କିନ୍ନରକୁ ଧରିବା ପରେ ଯାଜପୁର ଟାଉନ୍ ଥାନା ଜିମା ଦେଇଥିଲେ। ଅଭିଯୁକ୍ତ ଲିପୁ ନାୟକଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ।  ଅଭିଯୁକ୍ତ ଲିପୁ ନାୟକ କେନ୍ଦୁଝରର ତେଲକୋଇର ବାସିନ୍ଦା ବୋଲି ସ୍ବୀକାର କରିଛି। ଶିଶୁର ମା’ ତାଙ୍କ ପାଖରେ ଛାଡି ପଳାଇଥିବା ବେଳେ ସେ ତାକୁ ନେଇ ଆସିଥିବା କହିଛି। ସେ ଛୁଆକୁ ଅପହରଣ କରି ନାହିଁ ବରଂ ଫେରାଇ ଦେଇଥାନ୍ତା ବୋଲି କହିଛି। ଅନ୍ୟପଟେ ବିଭିିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଛି।

ଘଟଣାଟି ଏହିପରି, ଗୁରୁବାର ସିପି ପାତ୍ର କେନ୍ଦ୍ରାପଡ଼ା ଜିଲ୍ଲା  ଆଳିରେ ରହି ଦିନ ମଜୁରିଆ ଭାବେ କାମ କରନ୍ତି ।  ଠାକୁରମୁଣ୍ଡାରେ ଚାଲୁଥିବା ମା’ ବାସୁଳୀଙ୍କ ପ୍ରସିଦ୍ଧ  ଉଡ଼ାଯାତ୍ରା ଦେଖିବାକୁ ସେ ଘରକୁ ଆସିଥିଲେ ।  ହେଲେ ପଣା ସଂକ୍ରାନ୍ତିରେ ଯାତ୍ରା ସରିଯାଇଥିବାରୁ  କେବଳ ମେଳା ଚାଲୁଥିଲା । ତେଣୁ ସେ ଆଳିରୁ  ଘରକୁ ଫେରିବା ବାଟରେ ଏହି ମେଳା ପଡ଼ୁଥିବାରୁ  ହନୁମାନ ଛକରେ ବସ୍‌ରୁ ଓହ୍ଲାଇଥିଲେ । ସାଥିରେ  କୁନିଝିଅ ବି ଥିଲା । ଶୌଚ ଲାଗିବାରୁ ସେ  ସେଠାରେ ବସିଥିବା ଜଣେ କିନ୍ନରଙ୍କ ପାଖରେ  ଆଦ୍ୟାଶାକୁ ଜିମା ଦେଇ ଶୌଚାଳୟ ଯାଇଥିଲେ ।  ସେଠାରୁ ଫେରିବା ବେଳକୁ ଆଉ ସେ କିନ୍ନରକୁ  ପାଇନଥିଲେ । ଝିଅ ବି ସେଠାରେ ନଥିଲା । ଏହି ଘଟଣା ପରେ ତାଙ୍କ ପାଦତଳୁ ମାଟି  ଖସିଗଲା । ପାଖଆଖ ସମସ୍ତଙ୍କୁ ଜଣେ କିନ୍ନର ଓ  ତାଙ୍କ ଝିଅ କଥା ପଚାରିଲେ ବି କେହି ଠିକ୍‌ରେ  ଉତ୍ତର ଦେଇପାରିନଥିଲେ । ଶେଷରେ ୧୮ ତାରିଖ  ଦିନ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ  କରିଥିଲେ । ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ  ଦଳେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ମେଳା ପଡିଆ,  ଠାକୁରମୁଣ୍ଡା ବଜାର, ରୁଗୁଡିବେଡା, ଖୁଣ୍ଟାପୋଷି,  ବେଣ୍ଟକାରପଡା ଆଦି ସ୍ଥାନରେ ଲୋକଙ୍କୁ ଅବଗତ  କରିଥିଲେ । ବହୁସମୟ ଧରି ଖୋଜିଲା ପରେ ମଧ୍ୟ  ଆଦ୍ୟାଶାର ପତ୍ତା ପାଇ ପାରିନଥିଲେ ।   

ଠାକୁରମୁଣ୍ଡା ଥାନା ଅଧିକାରୀଣୀ କେଶ୍‌ ନଂ  ୩୮/୨୫ ରେ ମାମଲା ରୁଜୁ କରି ଦଫା ୧୩୭(୨)  ୩୧୬(୨) ୧୩ ବିଏନଏସରେ ମାମଲା ରୁଜୁ କରି  ତଦନ୍ତ ଜାରି ରଖିଛନ୍ତି । ଠାକୁରମୁଣ୍ଡା ବଜାରରେ  ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡିଛି  ଯେ ଜଣେ କିନ୍ନର ଜଣକ ରାତି ୧୦ ଟାରେ ଲକ୍ଷ୍ମୀ  ବସ୍‌ରେ କୁନି ଝିଅ ଆଦ୍ୟାଶାକୁ ନେଇ ଭୁବନେଶ୍ୱର  ଅଭିମୁଖେ ଚାଲି ଯାଇଛି ।  ଥାନାଧିକାରିଣୀ ସାବିତ୍ରୀ ଦଳେଇଙ୍କ ସୂଚନା  ମୁତାବକ କିନ୍ନର ଜଣକ ଯାଜପୁରରେ ଓହ୍ଲାଇବା  କଥା ଏବଂ ନିଶା ହୋଇଥିବାରୁ ଭୁଲରେ ଭୁବନେଶ୍ୱର  ଆସିଯାଇଥିବା ବସ୍‌ କଣ୍ଡକ୍ଟରକୁ କହିଥିଲେ । ସକାଳୁ  ଯାଜପୁର ଚାଲିଯିବେ ବୋଲି ମଧ୍ୟ କହିଥିଲେ । ତେଣୁ  ଯାଜପୁରରେ ମଧ୍ୟ ପୁଲିସ୍‌ ତଦନ୍ତ କରିଥିଲା। ଦୀର୍ଘ ୩ ଦିନ ପରେ ଯାଜପୁର ରୋଡ଼ ଅଞ୍ଚଳରୁ ଛଦ୍ମବେଶୀ କିନ୍ନରକୁ ଶିଶୁକନ୍ୟା ସହ ଯାଜପୁର କିନ୍ନର ସଂଘ ଧରିବା ସଫଳ ହୋଇଛି। କିନ୍ନର ବେଶି ଯୁବକଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଜିମା ଦେଇଥିବା ବେଳେ ଉଦ୍ଧାର ଶିଶୁକନ୍ୟାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅଭିଯୁକ୍ତ ଲିପୁ ନାୟକ କେନ୍ଦୁଝରର ତେଲକୋଇର ବାସିନ୍ଦା ବୋଲି ସ୍ବୀକାର କରିଛି। ଶିଶୁର ମା’ ତାଙ୍କ ପାଖରେ ଛାଡି ପଳାଇଥିବା ବେଳେ ସେ ତାକୁ ନେଇ ଆସିଥିବା କହିଛି। ସେ ଛୁଆକୁ ଅପହରଣ କରି ନାହିଁ ବରଂ ଫେରାଇ ଦେଇଥାନ୍ତା ବୋଲି କହିଛି।