ବନ୍ତ, ୨୦/୦୪ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି କଳାହାଣ୍ଡିଆ ଗ୍ରାମ ନିକଟସ୍ଥ କପାଳୀ ନଦୀ ପଠାରୁ ଗତ ଶୁକ୍ରବାର ପୁଲିସ ଏକ କଙ୍କାଳ ଉଦ୍ଧାର କରିଛି । ତାହା ଜଣେ ମହିଳାଙ୍କର ବୋଲି ପୁଲିସ ଜାଣିବାକୁ ପାଇଛି । କାରଣ ଏହି ଘଟଣା ଜଣାପଡ଼ିବା ପରେ ସେହି ଗ୍ରାମର ରାମ ବେହେରାଙ୍କ ସ୍ତ୍ରୀ ରାଧା ମୁଣ୍ଡାଙ୍କ କଙ୍କାଳ ବୋଲି ରାଧାଙ୍କ ବାପଘର ଲୋକମାନେ ଚିହ୍ନଟ କରିଥିଲେ । ପରେ ରାମ ବେହେରାଙ୍କୁ ପୁଲିସ କେନ୍ଦୁଆପଦା ଫାଣ୍ଡିରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
୪ବର୍ଷ ତଳେ କଳାହାଣ୍ଡିଆ ଗ୍ରାମର ରାମଚନ୍ଦ୍ର ବେହେରା ବନ୍ତ ଥାନା ଅନ୍ତର୍ଗତ ଫୁଲଗଡ଼ିଆ ଗ୍ରାମର ନାଜିରି ମୁଣ୍ଡାଙ୍କ ଝିଅ ରାଧା ମୁଣ୍ଡା(୩୭)ଙ୍କୁ ବିବାହ କରିଥିଲେ । କୌଣସି କାରଣକୁ ନେଇ କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା । ଗତ କିଛି ଦିନ ପୂର୍ବରୁ ରାଧା ହଠାତ ନିଖୋଜ ହୋଇଯାଇଥିଲେ । ଏହି ଖବରପାଇ ବାପଘର ଲୋକେ ରାଧାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଗତ ଶୁକ୍ରବାର କଳାହାଣ୍ଡିଆ ଗ୍ରାମ ନିକଟସ୍ଥ କପାଳୀ ନଦୀ ପଠାରେ ଏକ କଙ୍କାଳ ପଡିଥିବା ବାପଘର ଲୋକମାନେ ଖବରପାଇ ସେଠାରେ ପହଞ୍ଚିଥିଲେ । ଠାବ ହୋଇଥିବା କଙ୍କାଳଟି ନିଖୋଜ ରାଧାଙ୍କର ବୋଲି ଜାଣିବା ପରେ ରାଧାଙ୍କ ବାପା ନାଜିରି ମୁଣ୍ଡା କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ, କେନ୍ଦୁଆପଦା ଫାଣ୍ଡି ପୁଲିସ, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ କରିଥିଲେ । କଙ୍କାଳ ନିକଟରେ ପଡିଥିବା ଏକ ଶାଢି ଓ ଅନ୍ୟ କେତେକ ପାରିପାଶ୍ୱିର୍କ ପରିସ୍ଥିତିକୁ ଲକ୍ଷ୍ୟ କରି ତାହା ନିଖୋଜ ରାଧାଙ୍କର ବୋଲି ବାପଘର ଲୋକମାନେ ଚିହ୍ନଟ କରିବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୧୯୮/୨୫ମୂଳେ ଏକ ମାମଲା ରୁଜୁ କରି ପୁଲିସ କଙ୍କାଳକୁ ଜବତ କରିଛି ।
ଏହି ଖବରଟିକୁ ପଢନ୍ତୁ-ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ