ଭୁବନେଶ୍ଵର, ୧୯/୦୪ : ସରକାରରେ ରୁହେ ବା ନରୁହେ, ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବା କରିଚାଲିଛି ଏବଂ କରିଚାଲିବ। ଓଡିଶାବାସୀଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ। ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତିକରଣ ଆମର ମୂଳ ଉଦ୍ଦେଶ୍ୟ। ଆମେ ଆଞ୍ଚଳିକ ବିକାଶ ଉପରେ ଫୋକସ୍ କରୁ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ। ଓଡ଼ିଶାର ହକ୍ ପାଇଁ ଆମର ଲଢେଇ ଜାରି ରହିବ। ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ। ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ କରିରଖିଛି। ବିଜେଡି ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ନବୀନ ପଟ୍ଟନାୟକ ତାଙ୍କର ଅଭିଭାଷଣ ରଖିଛନ୍ତି।
ସେ କହିଛନ୍ତି ଯେ, ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ବିଜୁ ବାବୁଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବାର ସୁଯୋଗ ପାଇଥିଲା । ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା। ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ କେହି ହେୟ ମନେ କରିବା ଉଚିତ ନୁହେଁ। ଆମର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କ ଇଚ୍ଛାଶକ୍ତି ବହୁତ ଉଚ୍ଚା। ସେହିମାନେ ହିଁ ହେଉଛନ୍ତି ଆମ ଦଳର ପ୍ରକୃତ ସମ୍ପତ୍ତି। ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ।
ଆମେ ଗତ ନିର୍ବାଚନରେ ଖୁବ୍ କମ୍ ମାର୍ଜିନ୍ରେ ହାରିଥିଲୁ। କାରଣ ଆମେ ମିଥ୍ୟା କାହାଣୀକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିଲୁ ନାହିଁ। ଏବେ ମଧ୍ୟ ବିଜେଡି ବିରୋଧରେ ମିଥ୍ୟା କାହାଣୀ ସୃଷ୍ଟି କରାଯାଉଛି। ବିଶେଷକରି ସୋସିଆଲ ମିଡିଆରେ ଏହି ମିଥ୍ୟା କାହାଣୀକୁ ପର୍ଦ୍ଦାଫାସ କରିବାରେ ଆମକୁ ଆକ୍ରମଣାତ୍ମକ ହେବା ଉଚିତ। ଆମକୁ ସୋସିଆଲ ମିଡିଆର ଉପସ୍ଥିତିକୁ ଉନ୍ନତ କରିବାକୁ ପଡିବ। ତଥ୍ୟ କହିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବା ଉଚିତ ଏବଂ ପ୍ରଯୁକ୍ତିବିଦ୍ୟା ବିନା ଆମେ ଲୋକଙ୍କ ପାଖରେ ପହଞ୍ଚିପାରିବୁ ନାହିଁ। ବିଜେଡିର କର୍ମୀ, ଭାଇ ଭଉଣୀମାନଙ୍କ ଉପରେ ମୋର ପୁରା ଭରସା ଅଛି। ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ। ଓଡ଼ିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ।
ଏହି ଖବରଟିକୁ ପଢନ୍ତୁ-ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ