କଟକ,୨୦/୦୪: ଫେସ୍ବୁକ୍ରେ ମହିଳାଙ୍କ ସହ ଛାତ୍ର ବନ୍ଧୁତା କଲେ । କିଛିଦିନ ଚାଟିଂ ଓ ଫୋନ୍ରେ କଥା ହେବା ପରେ ସମ୍ପର୍କ ଅନୈତିକ ଆଡ଼କୁ ଗତିକଲା । ଉଭୟ ଅର୍ଦ୍ଧନଗ୍ନ ଅବସ୍ଥାରେ ଭିଡିଓ କଲ୍ କରି କଥା ହେଲେ । ମାତ୍ର ଛାତ୍ର ଜଣକ ଚତୁରତାର ସହିତ ଭିଡିଓକୁ ରେକର୍ଡଂ କରି ରଖିଦେଇ ବ୍ଲାକ୍ମେଲ୍ କଲା । ବାରମ୍ବାର ଟଙ୍କା ମାଗିଲା । ଶେଷରେ ମହିଳା ଜଣକ ଟଙ୍କା ନଦେଇ ପାରି ପୁଲିସର ଦ୍ୱାରସ୍ଥ ହେଲେ । ମାମଲା ରୁଜୁ ପରେ ସାଇବର ଥାନା ପୁଲିସ ଶନିବାର ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି, ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଜିତେନ୍ ବାରିକ (୩୨) । ତାର ଆକାଉଣ୍ଟରେ ଥିବା ୮୭ ହଜାର ଟଙ୍କା ପୁଲିସ ଜବତ କରିବା ସହିତ କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁସାରେ, ବିଡ଼ାନାସୀ ଥାନା କୃଷକ ବଜାର ପାଖରେ ରହୁଥିବା ଜଣେ ୪୫ ବର୍ଷିୟା ମହିଳାଙ୍କର ପ୍ରାୟ ୩ ମାସ ତଳେ ସୋର ଅଞ୍ଚଳର ଜିତେନ୍ ସହିତ ଫେସ୍ବୁକ୍ରେ ପରିଚୟ ହୋଇଥିଲା । ଦୁହେଁ କିଛି ଦିନ ଫେସ୍ବୁକ୍ ମେସେଞ୍ଜରରେ ଚାଟିଂ କରିବା ପରେ ଫୋନ୍ରେ କଥା ହୋଇଥିଲେ । କିଛି ଦିନ ଭିତରେ ଉଭୟଙ୍କ ମଧ୍ୟରେ ଏକ ପ୍ରକାର ଅନୈତିକ ସମ୍ପର୍କ ଗଢ଼ିଉଠିଥିଲା । ମହିଳା ଜଣକ ବିବାହିତା ହୋଇ ମଧ୍ୟ ଜିତେନ ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଭିଡିଓ କଲିଂରେ କଥା ହେଲେ । ଆଉ ସୁଯୋଗ ଦେଖି ଜିତେନ ଉକ୍ତ କଲ୍ର ଭିଡିଓକୁ ରେକଡିଂ କରି ରଖିଦେଲେ । ପରବର୍ତ୍ତି ସମୟରେ ଉକ୍ତ ଭିଡିଓକୁ ମହିଳାଙ୍କ ପାଖକୁ ପଠାଇ ବ୍ଲାକ୍ମେଲ୍ କରିବାକୁ ଲାଗିଲେ । ଟଙ୍କା ନଦେଲେ ଭିଡିଓ ଭାଇରାଲ୍ କରିଦେବି ବୋଲି ଧମକାଇଥିଲେ । ଏଭଳି ସ୍ଥିତିରେ ମହିଳା ଜଣକ କିଛି କିଛି କରି ଟଙ୍କା ପଠାଇଲେ । ମାତ୍ର ଦିନକୁ ଦିନ ଟଙ୍କା ମାଗିବା ବଢ଼ିଥିଲା । ଏହା ମଧ୍ୟରେ ମହିଳା ଜଣକ ପ୍ରାୟ ୮୭ ହଜାର ଟଙ୍କା ପଠାଇଥିଲେ । ପରେ ମଧ୍ୟ ଜିତେନର ବ୍ଲାକମେଲ୍ କରିବା ଥମି ନଥିଲା । ସେ ଏକ କାର୍ ଲୋନ୍ କରି ଦେବାକୁ ମହିଳାଙ୍କୁ ବାଧ୍ୟ କରିଥିଲା । ଏନେଇ କାଗଜପତ୍ର ମଧ୍ୟ ପଠାଇଥିଲା ।
ଏଭଳି ସ୍ଥିତିରେ ମହିଳା ଜଣକ ଅନ୍ୟ ଉପାୟ ନପାଇ ଶେଷରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତର ତଥ୍ୟ ଆଣି ଜିତେନକୁ ଗିରଫ କରିଛି । ଜିତେନ୍ ଜଣେ ବି-ଟେକ୍ ଛାତ୍ର । ପଢ଼ାପରେ ବେକାର । ସେ ଅନ୍ୟ ମହିଳାଙ୍କୁ ଏଭଳି ବ୍ଲାକମେଲ୍ କରିଛି କି ନାହିଁ ତାହା ଜଣାପଡ଼ିନି । ଜିତେନ୍ର ଆକାଉଣ୍ଟରେ ଥିବା ଟଙ୍କାକୁ ପୁଲିସ ଜବତ କରିଛି । ପରେ କୋର୍ଟଙ୍କ ନିର୍ଦ୍ଦେଶରେ ତାହା ମହିଳାଙ୍କୁ ଫେରସ୍ତ ହେବ ବୋଲି ପୁଲିସ ସୂଚନା ଦେଇଛି ।