ବାରାଣସୀ,୧୮/୦୪: ବାରାଣସୀରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବା ଲାଗି ପୁଲିସ ପକ୍ଷରୁ ଏସ୍ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯାଇଛି । ଡିସିପି (ଅପରାଧ) ପ୍ରମୋଦ କୁମାର ଏହାର ନେତୃତ୍ୱ ନେବେ । ୩୦ ଦିନ ଭିତରେ ତଦନ୍ତ କରି ଏସ୍ଆଇଟି ରିପୋର୍ଟ ଦେବ । ଏହି ସୂଚନା ଦେଇଛନ୍ତି ପୁଲିସ କମିଶନର ମୋହିତ ଅଗ୍ରୱାଲ ।
ସେ କହିଛନ୍ତି ପ୍ରାଥମିକ ମେଡିକାଲ ରିପୋର୍ଟରୁ ଛାତ୍ରୀଙ୍କ ଆଭନ୍ତରୀଣ ଅଙ୍ଗରେ କୌଣସି ପ୍ରକାର ଆଘାତ ନାହିଁ । ଦ୍ୱିତୀୟ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହେବ । କିନ୍ତୁ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନ ଆଉ କାହାକୁ ଗିରଫ କରାଯିବ ନାହିଁ । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୨୩ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ପୁଲିସ ଛାତ୍ରୀଙ୍କୁ ତାଙ୍କ ସହପାଠୀଙ୍କ ଘରୁ ଉଦ୍ଧାର କରିଥିଲା । କିନ୍ତୁ ଛାତ୍ରୀ ଜଣକ ୫ ଦିନ ଧରି ନିଖୋଜ ଥିଲେ ମଧ୍ୟ ତାଙ୍କ ପରିବାର ପୁଲିସରେ ଅଭିଯୋଗ କରିନଥିଲେ । ତାଛଡା ଯୁବତୀ ଯେଉଁ ସମୟରେ ଅଭିଯୁକ୍ତଙ୍କ କବ୍ଜାରେ ଥିଲେ ବୋଲି ଦର୍ଶାଇଛନ୍ତି ସେହି ସମୟରେ ସେ ନିଜେ ମୋବାଇଲରେ ମେସେଜ୍ କରି ଉକ୍ତ କାଫେକୁ ଯାଉଥିବା କଥା ଜଣାଉଛନ୍ତି । ଏସବୁ ଦିଗକୁ ନେଇ ତଦନ୍ତ ମଧ୍ୟ କରାଯିବ । ସେପଟେ ଗିରଫ ଅଭିଯୁକ୍ତଙ୍କ ପରିବାର ଲୋକେ ଆଜି କମିଶନରଙ୍କୁ ଭେଟି କିଛି ପ୍ରମାଣ ଦେବା ସହ ଏହା ଏକ ମିଥ୍ୟା ମାମଲା ବୋଲି ଦାବି କରିଛନ୍ତି।