ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ଏକ ବଡ଼ ସାଇବର ଅପରାଧୀ ଗ୍ୟାଙ୍ଗ୍ର ପର୍ଦ୍ଧାଫାଶ କରିଛି ପୋଲିସ୍।ଏହି ଅପରାଧ ମାମଲାରେ ୭ ହଜାରରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି ଏବଂ ୧୨ ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସ ସାଇବର ଅପରାଧ ବିରୋଧରେ ଅଭିଯାନକୁ ତୀବ୍ର କରିଛି । ସେମାନଙ୍କ ରାଡାରରେ ଏପରି ୨୦ ହଜାରରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି। ମାମଲାର ତଦନ୍ତ ପାଇଁ ୫୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।
ଏନେଇ ଜମ୍ମୁ ଏବଂ କାଶ୍ମୀର ପୋଲିସ ପ୍ରକାଶ କରିଛି ଯେ, ୭୨୦୦ ବ୍ୟାଙ୍କ ଆକାଉଣ୍ଟକୁ ଫ୍ଲାଗ୍ କରାଯାଇଛି । ଏହି ସଂଖ୍ୟା ୨୦ ହଜାରରୁ ଅଧିକ ଆକାଉଣ୍ଟକୁ ବୃଦ୍ଧି ପାଇପାରେ। ତଦନ୍ତକାରୀ ଏଜେନ୍ସି ଗୁଡ଼ିକ ଦ୍ୱାରା କାରବାର ପରିମାଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ରିପୋର୍ଟରୁ ଜଣାପଡୁଛି ଯେ ଏହା କୋଟି କୋଟି ଟଙ୍କା ହୋଇପାରେ।
ଏହି 'ମ୍ୟୁଲ୍ ଆକାଉଣ୍ଟ୍'ଗୁଡ଼ିକ ମୂଳତଃ ଏକ ଥାର୍ଡ ପାର୍ଟି ବା ତୃତୀୟ-ପକ୍ଷ ଆକାଉଣ୍ଟ ଯାହାକୁ ସାଇବର ଅପରାଧୀ ମାନେ କଳାଧନର ପଥକୁ ଲୁଚାଇବା ପାଇଁ ବ୍ୟବହାର କରନ୍ତି। ଅପରାଧୀ ମାନେ ଏହି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କୁ ନିଯୁକ୍ତି ଦିଅନ୍ତି, ଏବଂ ଏଗୁଡ଼ିକୁ ଅଳ୍ପ ସମୟ ପାଇଁ ସକ୍ରିୟ ରଖାଯାଏ। ଆଉ ଏହି ସମୟ ମଧ୍ୟରେ, ବେଆଇନ୍ ପାଣ୍ଠି ଜମା କରାଯାଏ ଏବଂ ଆକାଉଣ୍ଟ ଗୁଡ଼ିକ ଶୀଘ୍ର ବନ୍ଦ ହୋଇଯାଏ।
କାଶ୍ମୀର ସାଇବର ସେଲ୍ ଏସ୍ପି ଇଫ୍ତିଖାର ତାଲିବ୍ କହିଛନ୍ତି କି, ଅଭିଯୋଗ ଆଧାରରେ ସାଇବର ଟିମ୍ ଏକ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ, ଆମେ ଜାଣିବାକୁ ପାଇଲୁ ଯେ, ଏହି ଅଞ୍ଚଳରେ ଅନେକ ମ୍ୟୁଲ୍ ଆକାଉଣ୍ଟ୍ କାର୍ଯ୍ୟ କରୁଛି। ମ୍ୟୁଲ୍ ଆକାଉଣ୍ଟ୍ ହେଉଛି ସେହି ଆକାଉଣ୍ଟ୍ ଯାହା ଭଡ଼ା ଆଧାରରେ ସାଇବର ଠକେଇ ପାଇଁ ବ୍ୟବହୃତ ହୁଏ। ସାଇବର ଅପରାଧୀ ମାନେ ଏହି ଆକାଉଣ୍ଟ୍ ଧାରକ ମାନଙ୍କୁ କମିଶନ ଦିଅନ୍ତି। ଆମେ I4C ସହିତ ଯୋଗାଯୋଗ କରିଥିଲୁ, ଯାହା ସାଇବର ସମନ୍ୱୟ କେନ୍ଦ୍ର, ଏବଂ ସେମାନଙ୍କ ସାହାଯ୍ୟରେ ଆମେ ୩୪ ଶହଆକାଉଣ୍ଟ୍ ଚିହ୍ନଟ କରିବାରେ ସଫଳ ହୋଇଥିଲୁ, ଏବଂ ପରେ ଆମେ ୭୨୦୦ଆକାଉଣ୍ଟ୍ ଖୋଲିବାରେ ସଫଳ ହୋଇଥିଲୁ । ଆମେ ୫୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛୁ, ଦୁଇ ଜଣ କିଙ୍ଗପିନ୍ ଗିରଫ ହୋଇଛନ୍ତି । ଆମେ ନିଶ୍ଚିତ ଯେ ଆଗାମୀ ସମୟରେ ଆହୁରି ଗିରଫଦାରୀ ହେବ ।
ଜମ୍ମୁ ଓ କାଶ୍ମୀର ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ଚାରୋଟି ଏଫଆଇଆର ରୁଜୁ କରିଛି। ଅଟକ ଥିବା ସମସ୍ତ ଲୋକଙ୍କୁ ପଚରାଉଚରା କରାଯିବ ଏବଂ ସେମାନଙ୍କୁ ଏପରି କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା ସେ ବିଷୟରେ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି ।