ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଶମଶେରଗଞ୍ଜ ଅଞ୍ଚଳରେ, ୱାକଫ୍ ଆଇନକୁ ନେଇ ପୁଣି ହୋଇଥିବା ବିରୋଧ ପ୍ରଦର୍ଶନ ହଠାତ୍ ହିଂସାତ୍ମକ ରୂପେ ନେଇଛି। ଏଥିରେ ଦୁଇ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ଉଲ୍ଲେଖନୀୟ ଯେ,ଶୁକ୍ରବାର ମଧ୍ୟ ମୁର୍ଶିଦାବାଦରେ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାରେ ଏବେ ସୁଦ୍ଧା ୧୧୮ଜଣ ଲୋକଙ୍କୁ ଗିରଫ କରାଯାଇଛି। ସ୍ଥିତିକୁ ଦେଖି ପୁଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି, କିଛି ଅଞ୍ଚଳରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍)ର ମଧ୍ୟ ସାହାଯ୍ୟ ନିଆଯାଇଛି।
ଆଜ୍ତକର ରିପୋର୍ଟ ମୁତାବିକ , ଶନିବାର ଦ୍ୱିପ୍ରହରରେ ଶମଶେରଗଞ୍ଜର ଜାଫରାବାଦ ଅଞ୍ଚଳରେ ସ୍ଥିତି ସେହି ସମୟରେ ଆହୁରି ବିଗିଡ଼ି ଯାଇଥିଲା । ଉତ୍ତେଜିତ ଲୋକେ ଗାଁ ଉପରେ ହଠାତ୍ ଆକ୍ରମଣ କରି ଦେଇଥିଲେ। ଏହି ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଜଣ ( ବାପା-ପୁଅ)ଙ୍କୁ ଖୁବ୍ ନିର୍ମମ ଭାବେ ହତ୍ୟା କରିଥିଲେ।
ଶୁକ୍ରବାର ଜୁମେର ନମାଜ ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ ଏବଂ ୱାକଫ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇ ଥିଲେ। ଶମଶେରଗଞ୍ଜ ନିକଟସ୍ଥ ଧୁଲିୟନ ଅଞ୍ଚଳରେ ବିରୋଧ ପ୍ରଦର୍ଶନକାରୀମାନେ ଜାତୀୟ ରାଜପଥ-୧୨କୁ ଅବରୋଧ କରି ଦେଇଥିଲେ , ପୁଲିସର ଗାଡ଼ି ଉପରକୁ ପଥର ଫିଙ୍ଗି ଥିଲେ ଏବଂ କିଛି ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ। ଏହି ସମୟରେ ଅତି କମ୍ରେ ୧୦ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି । କିଛି ପୁଲିସକର୍ମୀଙ୍କୁ ଜୀବନ ବଞ୍ଚାଇବା ପାଇଁ ଏକ ମସଜିଦ୍ରେ ଆଶ୍ରୟ ନେବାକୁ ପଡ଼ିଥିଲା। ଶନିବାରର ହିଂସା ଧୁଲିୟାନ ଯାଏ ବ୍ୟାପି ଯାଇଛି, ସେଠାରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରାଯାଇ ଥିବା ଖବର ଆସିଛି। ପୁଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିଚାର୍ଜ କରିଛି ଏବଂ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି।
ଏହି ମଧ୍ୟରେ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି କହିଛନ୍ତି , ଯେଉଁ ଆଇନ୍କୁ ନେଇ ଲୋକେ ଅସନ୍ତୁଷ୍ଟ, ତାହାକୁ ଆମେ ତିଆରି କରିନାହୁଁ । ଏହା କେନ୍ଦ୍ର ସରକାରଙ୍କର ଆଇନ୍ ଏବଂ ଆମେ ସ୍ପଷ୍ଟ କହିଛୁ କି ,ଏହି ଆଇନ୍ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ତାପରେ ବି ଏ ଦଙ୍ଗା କେଉଁଥି ପାଇଁ ? ଅନ୍ୟପଟେ ଏହି ମାମଲାରେ ବିଜେପି ମମତା ସରକାରକୁ ଘେରିଛି। ପଶ୍ଚିମବଙ୍ଗର ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି , ଯଦି ବିଜେପି କ୍ଷମତାକୁ ଆସେ ତ ଏପରି ଗୁଣ୍ଡାଗର୍ଦ୍ଦି ଓ ସଂଖ୍ୟାଲଘୁଙ୍କ ହିଂସାକାଣ୍ଡକୁ ୫ ମିନିଟ୍ରେ ଶେଷ କରିଦେବ।