ଭୁବନେଶ୍ଵର, ୧୦/୦୪ : ୱାକଫ୍ ବିଲ୍କୁ ନେଇ ବିଜେଡିରେ ଝଡ଼। ସିଧା ପାଣ୍ଡିଆନଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବହୁ ନେତା। ସିଧାସଳଖ ଭାବେ ନାଁ ନେଇ ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସାଂସଦ ଦେବାଶିଷ ସାମନ୍ତରାୟ। ଏହାପରେ ଦଳରେ ବଡ଼ ହଲ୍ଚଲ୍ ଦେଖାଦେଇଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟୀକରଣ ରଖିଛନ୍ତି। ପାଣ୍ଡିଆନଙ୍କ ନିନ୍ଦୁକଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଏପରିକି ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ସେ ବହୁ ପୂର୍ବରୁ ବହିଷ୍କୃତ ହୋଇଛନ୍ତି କହି ଶକ୍ତ ଆଘାତ ଦେଇଛନ୍ତି। ନବୀନଙ୍କ ଏଭଳି କଡ଼ା ଜବାବ ପରେ ଏବେ ପ୍ରଭାତ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଚିଟଫଣ୍ଡ୍ ମାମଲାରେ ମୋତେ ନିଲମ୍ଵିତ କରାଯାଇଥିଲା। ଦଳର ଆବଶ୍ୟକତାକୁ ଭିତ୍ତି କରି ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ମୁଁ ନିଜ ଆଡୁ କହି ନଥିଲି। ମୁଁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଥିଲି। ଗତକାଲି ଯାଏଁ ମୁଁ ବିଜେଡିର ସଦସ୍ୟ ଥିଲି। ୨୦୧୯ ନିର୍ବାଚନରେ ଏକ ସଭାରେ ମୁଁ ଭାଷଣ ଦେବା ସମୟରେ ନବୀନ ବାବୁ ବି ଥିଲେ। କଟକ ଜିଲ୍ଲାରେ ଯାହା ସଭା ହୁଏ, ବିଜେଡି ମୋତେ ବିନିଯୋଗ କରେ। ୨୦୨୪ ନିର୍ବାଚନରେ ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କାମ କରିଛି। ଯାହାକୁ ସବୁ ଦଳୀୟ କର୍ମୀ ସ୍ୱୀକାର କରିବେ।
ସେହିପରି ଚିଟଫଣ୍ଡ୍ ନେଇ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ, ସେହି ମାମଲା ଏବେ ବିଚାରାଧୀନ ଅଛି। ନ୍ୟାୟାଳୟ କହିବେ ମୁଁ ଦୋଷୀ କି ନୁହେଁ। ମୁଁ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ବହୁତ କାମ କରିଛି। ଗୋଟେ କଥା ଲୁଚାଇବାକୁ ନବୀନଙ୍କୁ ମିଛ କଥା କୁହାଇ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଛନ୍ତି। ଯିଏ ଏବେ ଦଳର ନେତା ହୋଇଛନ୍ତି, ସେମାନେ ନବୀନଙ୍କ ମୁହଁରୁ କିଛି ବି କୁହାଇ ଦେଉଛନ୍ତି। ମୁଁ ନିଲମ୍ବନ ନ ହୋଇ ନିଲମ୍ବନ କହିବା ମାନେ ମୁଁ ଆଉ ବିଜେଡିରେ ସୁରକ୍ଷିତ ନୁହେଁ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ୱାକଫ ବିଲ ସଂଶୋଧନ ନେଇ। ଏହା ସଂଖ୍ୟାଲଘୁଙ୍କ ଅଧିକାର। ଯାହାକୁ ବିଜେଡି ସୁରକ୍ଷା ଦେବା କଥା। କାରଣ ଏହା ବିଜେଡିର ରାଜନୈତିକ ଆଭିମୁଖ୍ୟ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ଏହାର କାରଣ। ମୋ କଥା କହି ୱାକଫ କଥା ଗୋଳିଆ କରାଗଲା। ପ୍ରଭାତ ତ୍ରିପାଠୀ ମୁଣ୍ଡ କାଟି ଏହା କରିବାକୁ ଚେଷ୍ଟା ହୋଇଛି।