ନୂଆଦିଲ୍ଲୀ: ସମୟ ହେଉଛି ୧୯୮୨ ମସିହା। ବଲିଉଡର ଇତିହାସରେ ଅବିସ୍ମରଣୀୟ ସିନେମା କୁଲିର ସୁଟିଂ ଚାଲିଥାଏ। ମନମୋହନ ଦେସାଇଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଦ୍ରୁତ ବେଗରେ ସୁଟ୍ ହୋଇଚାଲିଥିଲା। କିନ୍ତୁ ସେହି ସମୟରେ ସୁଟିଂସେଟରେ ଘଟିଥିବା ଏକ ଦୁର୍ଘଟଣା ସାରା ଦେଶକୁ ହତବାକ କରିଦେଇଥିଲା। ଗୋଟିଏପଟେ ବଲିଉଡର ‘ବିଗ ବି’ ଅମିତାଭ ବଚ୍ଚନ ଗୁରୁତର ଭାବେ ଆହତ ହୋଇ ମୃତ୍ୟୁମୁଖରୁ ଫେରି ଆସିଥିବା ବେଳେ, ଅନ୍ୟପଟେ ଅଭିନେତା ପୁନୀତ ଇସାରଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପୁନୀତ ଏହି ଘଟଣାର ପ୍ରଭାବ ଓ ତାଙ୍କ କ୍ୟାରିୟର ଉପରେ ଏହାର ଦୀର୍ଘସ୍ଥାୟୀ ଛାପ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।
କ’ଣ ଥିଲା ‘କୁଲି’ ଦୁର୍ଘଟଣା?
‘କୁଲି’ ସିନେମାର ଏକ ହାଇ-ଓକ୍ଟେନ ଫାଇଟିଂ ସିନ୍ ର ସୁଟିଂ ବେଙ୍ଗାଲୁରୁରେ ରେକର୍ଡ କରାଯାଉଥିଲା। ଏହି ଦୃଶ୍ୟରେ ଅମିତାଭଙ୍କ ବିପକ୍ଷରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପୁନୀତ ଇସାରଙ୍କୁ ଏକ ମକ ପଞ୍ଚ(ମିଛ ମୁଥ) ମାରିବାକୁ କୁହାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଏକ ମିସକାଲକୁଲେସନ ଯୋଗୁଁ ପୁନୀତଙ୍କ ପଞ୍ଚ ଅମିତାଭଙ୍କ ପେଟରେ ଭୁଲ ସମୟରେ ଲାଗିଥିଲା। ଏଥିରେ ଅମିତାଭ ଗୁରୁତର ଆହାତ ହେବା ସହ ତାଙ୍କ ପାକସ୍ଥଳୀ ଓ ଅନ୍ତନଳୀରେ ଗୁରୁତର ଆଘାତ ଲାଗିଥିଲା। ପଞ୍ଚଟି ଏତେ ଭୟଙ୍କର ଥିଲା ଯେ ସୁଟିଂ ସେଟରେ ହିଁ ଅମିତାଭ ବେହୋସ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ‘କ୍ଲିନିକାଲି ଡେଡ୍’ ଘୋଷଣା କରିଥିଲେ। ପରେ ଅବଶ୍ୟ ଡାକ୍ତର ୱାଡ଼ିଆଙ୍କ ଅକ୍ଲାନ୍ତ ପ୍ରୟାସ କରି ୪୦ଟି ଆମ୍ପୁଲ କର୍ଟିସୋନ/ଆଡ୍ରେନାଲିନ ଇଞ୍ଜେକ୍ସନ ଦେଇ ଅମିତାଭଙ୍କୁ ସୁସ୍ଥ କରାଇ ଦେଇଥିଲେ। ତେବେ ଏହି ଘଟଣା ପ୍ରଘଟ ହେବା ପରେ ଅମିତାଭଙ୍କ ପ୍ରଶଂସକ ମାନେ ଚିନ୍ତିତ ହୋଇପଡିଲେ। ତାଙ୍କ ଆଶୁ ଆରୋଗ୍ୟ କାମନା କରି ଲୋକମାନେ ଦେଶବ୍ୟାପୀ ପ୍ରାର୍ଥନା ଆରମ୍ଭ କରିଦେଇଥିଲେ। ଏମିତିକି ତାଙ୍କ ଆରୋଗ୍ୟ କାମନା କରି ଅନେକ ଜଣ ଯଜ୍ଞର ଆୟୋଜନ ମଧ୍ୟ କରିଥିଲେ।
ପୁନୀତ ଇସାରଙ୍କ ଉପରେ କ’ଣ ପ୍ରଭାବ ପଡ଼ିଥିଲା...?
ଏହି ଦୁର୍ଘଟଣା ପୁନୀତ ଇସାରଙ୍କ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ମାତ୍ର ୨୧ ବର୍ଷ ବୟସରେ ଅମିତାଭଙ୍କ ବିପକ୍ଷରେ ‘କୁଲି’ ସିନେମାରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପୁନୀତ ବଲିଉଡର ଏକ ଉଦୀୟମାନ ତାରକା ଥିଲେ। ସେ ଅଭିନେତା ଷ୍ଟୁଡିଓରୁ ଗୋଲ୍ଡ ମେଡାଲିଷ୍ଟ ହେବା ସହ ଭାଷା ଓ ଉଚ୍ଚାରଣରେ ପ୍ରଫେସର ଏବଂ ଏକ ସୁଦକ୍ଷ ଅଭିନେତା ମଧ୍ୟ ଥିଲେ। କିନ୍ତୁ ଏହି ଘଟଣା ପରେ ତାଙ୍କୁ ଅନେକ ସ୍ଥାନରେ ‘ଫାଇଟର’ ଭାବେ ଚିହ୍ନିତ କରାଗଲା। ଏଭଳିକି ଅନେକ ଲୋକେ ତାଙ୍କୁ ଏକ ଅଷ୍ଟମ ଡିଗ୍ରୀର ବ୍ଲାକ ବେଲ୍ଟ ଧାରୀ ବୋଲି କହି ଗୁଜବ କରିବା ଆରମ୍ଭ କରିଦେଇଥିଲେ।
ଏନେଇ ପୁନୀତ କହିଛନ୍ତି ୟେ, “ଏହି ଘଟଣା ପରେ ଲୋକମାନେ ମତେ ଭୟ କରିବା ଆରମ୍ଭ କରିଦେଲେ। ସେମାନେ କହୁଥିଲେ, ‘ଯଦି ଏକ ହାଲୁକା ପଞ୍ଚ ଅମିତାଭଙ୍କୁ ଏତେ ଆଘାତ ଦେଇପାରେ, ତେବେ ପୁରା ଶକ୍ତିରେ ପଞ୍ଚ ମାରିଲେ କ’ଣ ହେବ?’” ଏହାର ପରିଣାମ ସ୍ୱରୂପ, ପୁନୀତ ପ୍ରାୟ ୬ ବର୍ଷ ପାଇଁ ସିନେମା ଜଗତରୁ ବାହାରି ଯାଇଥିଲେ। ତାଙ୍କ ସହ ହୋଇଥିବା ସମସ୍ତ ଚୁକ୍ତି ରଦ୍ଦ ହୋଇଯିବା ସହ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକମାନେ ତାଙ୍କୁ କାଷ୍ଟ କରିବାକୁ ମନା କରିଦେଇଥିଲେ।
ପୁନୀତଙ୍କ ସଂଘର୍ଷ ଓ ବଲିଉଡରେ ପ୍ରବେଶ
ଏହି କଳା ସମୟକୁ ପୁନୀତ ତାଙ୍କ ଜୀବନର ‘ଟର୍ନିଂ ପିରିୟଡ’ ବୋଲି ଅଭିହିତ କରିଛନ୍ତି। ବିବାହିତ ଥାଇ ପରିବାରର ଦାୟିତ୍ୱ ନେଉଥିବା ପୁନୀତ ଏହି ସମୟରେ ଧୈର୍ଯ୍ୟ, ନମ୍ରତା ଓ ସତ୍ୟତା ଶିଖିଥିଲେ। ଏନେଇ ସେ କହିଛନ୍ତି ଯେ, “ଏକ ସେକେଣ୍ଡ ମୋ ଜୀବନକୁ ବଦଳାଇ ଦେଲା, କିନ୍ତୁ ଏହା ମୋତେ ଏକ ଉତ୍ତମ ମଣିଷ ଓ ଅଭିନେତା ଭାବେ ଗଢିବାରେ ମଧ୍ୟ ସାହାଯ୍ୟ କରିଥିଲା। ଏହି ପରିସ୍ଥିତିରେ ମୁଁ ଠିକ୍ ଓ ଭୂଲ ବନ୍ଧୁଙ୍କୁ ଚିହ୍ନିବା ଶିଖିଲି।”
ପୁନୀତଙ୍କ ଜୀବନରେ ମୁଖ୍ୟ ଟର୍ନିଂ ପଏଣ୍ଟ ଆସିଥିଲା ୧୯୮୮ ମସିହାରେ। ଯେତେବେଳେ ସେ ବି.ଆର. ଚୋପ୍ରାଙ୍କ ଐତିହାସିକ ଟେଲିଭିଜନ ଧାରାବାହିକ ‘ମହାଭାରତ’ରେ ଦୁର୍ଯୋଧନ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ଓ ତାଙ୍କ ଅଭିନୟ ପ୍ରତିଭାକୁ ପୁନଃ ପ୍ରମାଣିତ କରିଥିଲା। ପୁନୀତ କହିଛନ୍ତି, “‘କୁଲି’ ସିନେମାର ଅଭିଜ୍ଞତା ମୋତେ ମାନସିକ ଭାବେ ଦୃଢ଼ କରିଥିଲା। ଖରାପ ସମୟ ଆସିବ, କିନ୍ତୁ ମୁଁ ମୋ ଲକ୍ଷ୍ୟ ହରାଇବି ନାହିଁ ବୋଲି ଏହି ସମୟରେ ଜାଣିବାକୁ ପାଇଲି।”
ଅମିତାଭଙ୍କ ଦୃଷ୍ଟିକୋଣ
ଅମିତାଭ ବଚ୍ଚନ ମଧ୍ୟ ଏହି ଘଟଣାକୁ ନେଇ ତାଙ୍କ ବ୍ଲଗରେ ଅନେକ ସ୍ମୁତି ବଖାଣିଛନ୍ତି। ସେ ଲେଖିଛନ୍ତି, “ଏହି ଘଟଣା ପରେ ମୁଁ କୋମା ପରି ଅବସ୍ଥାରେ ଥିଲି। ଦ୍ୱିତୀୟ ସର୍ଜରୀ ପରେ ମୋର ପଲସ ଓ ବିପି ପ୍ରାୟ ଶୂନକୁ ଖସି ଆସିଥିଲା। ଡାକ୍ତରଙ୍କ ଶେଷ ପ୍ରୟାସ ମୋତେ ଫେରାଇ ଆଣିଥିଲା।” ଅମିତାଭଙ୍କ ଏହି ‘ଦ୍ୱିତୀୟ ଜନ୍ମ’ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି।
ଏହି ଘଟଣା ବଲିଉଡ ଇତିହାସରେ ଏକ ମାଇଲଷ୍ଟୋନ ଭାବେ ରହିଆସିଛି। ଏହା ଫିଲ୍ମ ସୁଟିଂ ସମୟରେ ସୁରକ୍ଷା ମାନଦଣ୍ଡର ଗୁରୁତ୍ୱକୁ ଆଲୋକପାତ କରିଥିଲା। ଅମିତାଭଙ୍କ ଆରୋଗ୍ୟ ଦେଶବାସୀଙ୍କ ପାଇଁ ଏକ ଉତ୍ସବ ଥିଲା। କିନ୍ତୁ ପୁନୀତଙ୍କ ପାଇଁ ଏହା ଏକ ଦୀର୍ଘକାଳିନ ସଂଘର୍ଷର ଆରମ୍ଭ ହୋଇଥିଲା। ତେବେ ତାଙ୍କର ଫୁମି ବଲିଉଡ ଏଣ୍ଟ୍ରି ଏହା ପ୍ରମାଣ କରୁଛି ଯେ ଜଣେ ନିଜର ଦୃଢ଼ତା ଓ ପ୍ରତିଭା ସହିତ ଯେ କୌଣସି ପରିସ୍ଥିତିରୁ ଉଠି ନିଜ ଲକ୍ଷ୍ୟପଥରେ ପହଞ୍ଚିଥାଏ।