ଲକ୍ଷ୍ନୌ,୨୦/୦୪: ଯୌତୁକରେ ଡବଲ ଡ଼ୋର ଫ୍ରିଜ୍ ଡିମାଣ୍ଡ କରିଥିଲେ । ଖାଲି ସେତିକି ନୁହେଁ କୁଲର ବି ଦାବି କରିଥିଲେ । ହେଲେ ପତ୍ନୀ ଯୌତୁକ ବାବଦକୁ ସେସେବୁ ଆଣିନଥିଲେ । ଏ ନେଇ ସବୁବେଳେ ଅଶାନ୍ତି ହେଉଥିଲେ ସ୍ୱାମୀ । ସବୁବେଳେ ରାଗ ତମତମ ହେଉଥିଲେ । ରାଗ ଏତେ ବଢିଗଲା ଯେ ଅଜବ କାଣ୍ଡ ଘଟାଇଛନ୍ତି ସ୍ୱାମୀ । ଯୌତୁକରେ ଫ୍ରିଜ-କୁଲର ନମିଳିବାକୁ ସ୍ତ୍ରୀଙ୍କ ଚୁଟି କାଟିଦେଲେ । ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମ୍ନାକୁ ଆସିଛି ।
ପୀଡି଼ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ବାହା ଦେବାର ମାତ୍ର ବର୍ଷେ ହୋଇଛି । ବାହାଘରର ମାତ୍ର କେଇଟା ଦିନରେ ଫ୍ରିଜ୍ ଓ କୁଲର ପାଇଁ ଦାବି କରି ଝିଅକୁ ନିର୍ଯାତନା ଦେବା ଆରମ୍ଭ ହୋଇଯାଇଥିଲା । କିଛି ଦିନ ତଳେ ଏହାକୁ ନେଇ ଜ୍ୱାଇଁ ରାଗି ଯାଇଥିଲେ ଏବଂ ରାଗରେ ଝିଅର ଚୁଟି କାଟି ପକାଇଲେ । ଏହାକୁ ନେଇ ଝିଅର ବାପଘର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ହରଦୋଇ ଜିଲ୍ଲାର ଯୁବକଙ୍କୁ ଗିରଫ କରାଯାଇଥିଲା । କାରଣ କ'ଣ ଯୌତୁକ ପାଇଁ ସ୍ୱାମୀ ପତ୍ନୀଙ୍କ ଚୁଟି କାଟି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଯୁବକଙ୍କୁ ଗିରଫ କରି ଜେରା କରିଛି । ପୀଡିତାଙ୍କ ବାପା କରିଥିବା ଅଭିଯୋଗକୁ ଜ୍ୱାଇଁ ଘର ଲୋକ ଖଣ୍ଡନ କରିଛନ୍ତି । ସ୍ତ୍ରୀ ପାର୍ଲର ଯାଉଥିବାରୁ ରାଗରେ ସ୍ୱାମୀ ଏପରି କରିଥିବା ସଫେଇ ଦେଇଛନ୍ତି ଅଭିଯୁକ୍ତ ସ୍ୱାମୀ ।
ଯୌତୁକ ନେବା ଓ ଦେବା ଉଭୟ ଅପରାଧ । ତଥାପି ଏ ସଭ୍ୟ ସମାଜରେ ଯୌତୁକ ପ୍ରଥା ଆଜି ବି ଚାଲିଛି । କନ୍ୟାପକ୍ଷରୁ ଯୌତୁକ ଡିମାଣ୍ଡ କରୁଛନ୍ତି ବରପକ୍ଷ । ଯୌତୁକ ଜୁଇରେ ନବବଧୂର ମୃତ୍ୟୁ ହୋଇଥିବା ଅନେକ ଘଟଣା ଆମ ନଜରକୁ ଆସୁଛି । ଆଉ କେଉଁଠି ଯୌତୁକ ନ ମିଳିବାକୁ ବେଦିରୁ ବର ଉଠିଯାଉଥିବା ଘଟଣା ବି ଘଟୁଛି । ତେବେ ଏଠି ପ୍ରଶ୍ନ ଯୌତୁକ ପ୍ରଥା କେବେ ବନ୍ଦ ହେବ ?