ନୂଆଦିଲ୍ଲୀ,୨୦/୦୪: ସୁପ୍ରିମକୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ବିଷୟରେ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବିବୃତ୍ତି ଉପରେ ଅବମାନନା ପ୍ରକ୍ରିୟା ପାଇଁ ଦାବି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଜଣେ ଆଡ୍ଭୋକେଟ ଅନ୍ ରେକର୍ଡ ଆଟର୍ଣ୍ଣି ଜେନେରାଲ୍ଙ୍କୁ ଏକ ଅବମାନନା ମକଦ୍ଦମା ଦାୟର କରିବାକୁ ଅନୁମତି ମାଗିଛନ୍ତି। କହିରଖୁଛୁ ଯେ, କୋର୍ଟଙ୍କୁ ଅବମାନନା ଅଧିନିୟମ, ୧୯୭୧ ର ଧାରା ୧୫ (କ) (ଖ) ଏବଂ ସୁପ୍ରିମକୋର୍ଟ ନିୟମ, ୧୯୭୫ ର ନିୟମ ୩ (ଗ) ଅନୁଯାୟୀ, ଆଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କ ସହମତି ପରେ ସୁପ୍ରିମକୋର୍ଟର ଅବମାନନା ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏଭଳି ପରିସ୍ଥିତିରେ ଓକିଲ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରମଣିଙ୍କୁ ଏକ ଚିଠି ଲେଖି ନିଶିକାନ୍ତ ଦୁବେଙ୍କ ବିବୃତ୍ତି ବିଷୟରେ ସୂଚନା ଦେଇଛନ୍ତି।
ଚିଠିରେ ଦର୍ଶାଯାଇଛି ଯେ ଦୁବେ ସୁପ୍ରିମକୋର୍ଟଙ୍କ ଉପରେ ସଂସଦର କାର୍ଯ୍ୟରେ ହସ୍ତକ୍ଷେପ ଅଭିଯୋଗ କରିଛନ୍ତି। ସେ ମଧ୍ୟ ସୁପ୍ରିମକୋର୍ଟରେ ଅରାଜକତା ବ୍ୟାପିଥିବା ଅଭିଯୋଗ କରିଛନ୍ତି। ଓକିଲ ଲେଖିଛନ୍ତି, "ସୁପ୍ରିମକୋର୍ଟଙ୍କୁ ସମ୍ବିଧାନରେ କୌଣସି ଆଇନର ସାମ୍ବିଧାନିକତା ଯାଞ୍ଚ କରିବାର ଦାୟିତ୍ୱ ଦିଆଯାଇଛି। ନିଶିକାନ୍ତ ଦୁବେ ଜିନିଷଗୁଡ଼ିକୁ ଭୁଲ ଉପସ୍ଥାପନ କରି ସୁପ୍ରିମକୋର୍ଟଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।"
କର୍ଣ୍ଣାଟକ ହିଜାବ୍ ମାମଲା ଏବଂ ୱାକଫ୍ ସଂଶୋଧନ ଆଇନ ମାମଲା ସହିତ ଜଡ଼ିତ ଆଡ୍ଭୋକେଟ ଅନ୍ ରେକର୍ଡ କହିଛନ୍ତି, "ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କ ଉପରେ ମନ୍ଦିର ମାମଲାରେ କାଗଜପତ୍ର ମାଗିବା ଏବଂ ମସଜିଦଗୁଡିକୁ ଛାଡ଼ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି। ଏହା କହି ସେ ସାମ୍ପ୍ରଦାୟିକ ଭିତ୍ତିରେ ସମାଜରେ ସୁପ୍ରିମକୋର୍ଟଙ୍କ ପ୍ରତି ଅବିଶ୍ୱାସ ବିସ୍ତାର କରୁଛନ୍ତି।"
ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ଦୁବେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ନାଁ ମଧ୍ୟ ନେଇଛନ୍ତି ଏବଂ ତାଙ୍କୁ ଦେଶରେ ଗୃହଯୁଦ୍ଧ ପାଇଁ ଦାୟୀ ମଧ୍ୟ କରିଛନ୍ତି। ଏହିପରି ସମସ୍ତ ବିବୃତ୍ତି ସର୍ବୋଚ୍ଚ ନ୍ୟାୟାଳୟର ଅବମାନନା ପରି ଏବଂ ଏହା କୋର୍ଟ ଅଧିନିୟମର ଉଲଂଘନ ଅଟେ। ତେଣୁ ଆଟର୍ଣ୍ଣି ଜେନେରାଲ ନିଶିକାନ୍ତ ଦୁବେଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ଦିଅନ୍ତୁ। କହିରଖୁଛୁ ଯେ, ପୂର୍ବତନ ୟୁପି ଆଇପିଏସ୍ ଅମିତାଭ ଠାକୁର ମଧ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଅନୁମତି ପାଇଁ ସେ ଆଟର୍ଣ୍ଣି ଜେନେରାଲଙ୍କୁ ମଧ୍ୟ ଏକ ଚିଠି ପଠାଇଛନ୍ତି।