ନୂଆଦିଲ୍ଲୀ : ବିବାହ ପରେ ଛାଡପତ୍ର ଏକ ଆଇନଗତ ପ୍ରକ୍ରିୟା, ଯେଉଁଥିରେ ଏକାଠି ରହୁଥିବା ସ୍ୱାମୀ ଏବଂ ସ୍ତ୍ରୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଯାଆନ୍ତି। ବିଶ୍ୱର ଅନେକ ଦେଶରେ ଏଥିପାଇଁ ବିଭିନ୍ନ ଆଇନଗତ ଭିତ୍ତିଭୂମି ରହିଛି। କିନ୍ତୁ, ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠାରେ ସ୍ୱାମୀ-ସ୍ତ୍ରୀ ଚାହିଁଲେ ମଧ୍ୟ ଛାଡପତ୍ର ନେଇପାରିବେ ନାହିଁ। ଆମେ କଥା ହେଉଛୁ ଫିଲିପାଇନ୍ସ ବିଷୟରେ । ଏହା ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଛାଡପତ୍ରକୁ ଆଇନଗତ ଭାବରେ ସ୍ୱୀକୃତି ଦିଆଯାଇ ନାହିଁ।
ଏହାର ଅର୍ଥ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଯେତେ ଖରାପ ହେଲେ ମଧ୍ୟ, ସେମାନେ ଛାଡପତ୍ର ନେଇପାରିବେ ନାହିଁ। ଫିଲିପାଇନ୍ସବାସୀଙ୍କ ପାଇଁ, ଏହି ପ୍ରକ୍ରିୟା ଏତେ ଜଟିଳ ଯେ ସେମାନେ ବିଦେଶରେ ରହି ମଧ୍ୟ ଛାଡପତ୍ର ପାଇପାରିବେ ନାହିଁ। ଯଦିଓ ସେମାନେ ଛାଡପତ୍ର ଦିଅନ୍ତି ଏବଂ ବିଦେଶରେ ଅଲଗା ହୋଇଯାଆନ୍ତି, ତେବେ ଫିଲିପାଇନ୍ସରେ ଏହାକୁ ଆଇନଗତ ଭାବରେ ସ୍ୱୀକୃତି ଦିଆଯାଇ ନାହିଁ।
ଫିଲିପାଇନ୍ସରେ ଛାଡପତ୍ରକୁ ଆଇନଗତ ମାନ୍ୟତା ନଦେବା ପଛରେ ଧାର୍ମିକ ବ୍ୟବସ୍ଥା ରହିଛି। ସେଠାରେ କାଥୋଲିକ୍ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ଖୁବ୍ ଅଧିକ। ଏହି ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବରେ ଦେଖାଯାଏ। ଯେଉଁଥିରେ ଛାଡପତ୍ରର ବ୍ୟବସ୍ଥା ନାହିଁ। ଫିଲିପାଇନ୍ସର ସରକାର ବହୁବାର ଛାଡପତ୍ର ଆଇନକୁ ମାନ୍ୟତା ଦେବା ପାଇଁ ବିଲ୍ ନେଇକି ଆସିଛନ୍ତି, କିନ୍ତୁ ଏହାକୁ ଲାଗୁ କରିବା ଏତେ ସହଜ ନୁହେଁ। ଏଭଳି ସ୍ଥିତିରେ ଛାଡପତ୍ର ବ୍ୟବସ୍ଥା କରାଯାଇଛି। ଫିଲିପାଇନ୍ସରେ ବିବାହିତ ଯୋଡି କିଛି ବିଶେଷ ପରିସ୍ଥିତିରେ ଅଲଗା ଅଲଗା ତ ରହିପାରିବେ କିନ୍ତୁ ଏହାକୁ ଛାଡପତ୍ର କହିହେବନି। କାରଣ ଦୁହେଁ ଦ୍ବିତୀୟ ବିବାହ କରିପାରିବେନି। ଫିଲିପାଇନ୍ସରେ ଦ୍ବିତୀୟ ସବୁଠାରୁ ବଡ଼ ଜନସଂଖ୍ୟା ମୁସଲମାନଙ୍କର ରହିଛି। ସେଠାରେ ମୁସଲିମ୍ ପର୍ସନାଲ ଲ’ ଲାଗୁ କରାଯାଇଛି, ଯେଉଁଥିରେ ଛାଡପତ୍ର ଅନୁମତି ରହିଛି। ଏଭଳି ସ୍ଥିତିରେ ଲୋକେ କାଥୋଲିକ୍ ଧର୍ମ ଛାଡି ମୁସଲିମ୍ ଧର୍ମ ଗ୍ରହଣ କରୁଛନ୍ତି।