ସମ୍ଭଲ ( ଉତ୍ତର ପ୍ରଦେଶ) - ୟୁପିର ସମ୍ଭଲ ସ୍ଥିତ ନରୌଲି ସହରରେ ‘ଫ୍ରି ଗାଜା, ଫ୍ରି ପାଲେଷ୍ଟାଇନ୍’ ପୋଷ୍ଟରକୁ ନେଇ ଉତ୍ତେଜନା ଖେଳି ଯାଇଛି। ଏହି ସୂଚନା ପାଇବା ପରେ ପୁଲିସ ଆକ୍ଟିଭ୍ ମୁଡ୍କୁ ଆସିଛି ଏବଂ ଉକ୍ତ ମାମଲାରେ ରବିବାର ୭ଜଣ ଯୁବକଙ୍କୁ ଗିରଫ କରି ଜେଲ୍ ପଠାଯାଇଛି। ଏହି ପୋଷ୍ଟର ୩ଦିନ ପୂର୍ବେ ରାତିରେ ସହରର କିଛି ଦୋକାନର କାନ୍ଥରେ ଲଗାଯାଇ ଥିଲା, ଯେଉଁଥିରେ ଇସ୍ରାଏଲ ସାମଗ୍ରୀ ଗୁଡ଼ିକର ବହିଷ୍କାର କରିବାକୁ ଅପିଲ କରାଯାଇ ଥିଲା।
ଏହି ଘଟଣା ଥାନା ବନିୟାଠେର ଅଞ୍ଚଳର ନରୌଲାରେ ଘଟିଛି, ଯେଉଁଠି ତିନି ଦିନ ପୂର୍ବେ କିଛି ଯୁବକମାନେ ରାତି ସମୟରେ ଦୋକାନ ବାହାରେ ଫ୍ରି ଗାଜା , ଫ୍ରି ପାଲେଷ୍ଟାଇନ୍ର ପୋଷ୍ଟର ଲଗାଇ ଥିଲେ। ଏହି ପୋଷ୍ଟରରେ ଇସ୍ରାଏଲ ସାମଗ୍ରୀର ବହିଷ୍କାର କଥା ମଧ୍ୟ ଲେଖି ଥିଲେ। ଏପଟେ ମାମଲାର ସୂଚନା ପାଇବା ପରେ ପୁଲିସ ଅଭିଯୁକ୍ତଙ୍କ ତଲାସରେ ଲାଗି ପଡ଼ିଛି। ଥାନା ପ୍ରଭାରୀ ରାମବୀର ସିଂହ କହିଛି ଯେ, ସିସିଟିଭି ଫୁଟେଜ୍ରୁ ମିଳଥିବା ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ବ୍ୟତୀତ ,ଯେଉଁ ସ୍ଥାନରେ ପୋଷ୍ଟର ଲାଗିଛି , ସେଠାର ଆଖପାଖର ଦୋକାନୀମାନଙ୍କ ଠାରୁ ପୁଲିସ ମଧ୍ୟ ତଥ୍ୟ ସଂଗ୍ରହ କରିଛି।
ପୁଲିସ ରବିବାର ବନିୟାଠେର ଥାନାର ଗାଁ ଜନେଟା ନିବାସୀ ଆସିମ୍ , ସୈଫ୍ ଅଲୀ , ମତଲୁବ , ଫରଦିନ, ଅରମାନ , ଅରବାଜ ଓ ନରୋଲିର ରହିସ୍କୁ ଗିରଫ କରିଛି। ଗିରଫ ହୋଇଥିବା ୭ ଯୁବକଙ୍କୁ ରବିବାର ଶାନ୍ତିଭଙ୍ଗର ଆଶଙ୍କାରେ ଉପଜିଲ୍ଲାଧିକାରୀଙ୍କ ସମ୍ମୁଖରେ ହାଜର କରାଯାଇଛି, ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି। ହିନ୍ଦୁ ସଙ୍ଗଠନ ଗୁଡ଼ିକ ଏହାକୁ ସାମାଜିକ ସଦଭାବନା ଭଙ୍ଗ କରିବାକୁ ଚେଷ୍ଟା ବୋଲି କହିଛି ଏବଂ କାର୍ଯ୍ୟାନୁଷ୍ଠାନର ଦାବି କରିଛି।
ଫ୍ରି ଗାଜା ଓ ଫ୍ରି ପାଲେଷ୍ଟାଇନ୍ର ପୋଷ୍ଟର ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେଉଛି। ଏହି ପୋଷ୍ଟରରେ ଲେଖା ହୋଇଛି , ଉମ୍ମତ-ଏ-ମୁସଲିମାରେ କେବଳ ଇସ୍ରାଏଲୀୟ ସାମଗ୍ରୀର ବର୍ଜନ ନୁହେଁ ବରଂ ପ୍ରତି ଜିନିଷ ଯାହାର ନେଣଦେଣ ଇସ୍ରାଏଲ ସହ ଜଡ଼ିତ , ଏହାକୁ ମଧ୍ୟ ବର୍ଜନ କରିବା ପ୍ରତି ମୁସଲମାନଙ୍କ କର୍ତ୍ତବ୍ୟ ହୋଇ ଯାଇଛି। ପାଲେଷ୍ଟାଇନର ଗାଜା ସହର ସଂପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ଯଦି ନିଜର ପାଲେଷ୍ଟାଇନ୍ ଭାଇ ଓ ଭଉଣୀଙ୍କ ସହିଦ ମୃତଦେହକୁ ଦେଖି କାନ୍ଦ ଆସୁନାହିଁ ତ ମନେରଖ ଆମେ ମରି ସାରିଛେ। ଆପଣଙ୍କୁ ଅନୁରୋଧ ଯେ ଇସ୍ରାଏଲୀୟ ସାମଗ୍ରୀକୁ କିଣନ୍ତୁ ନାହିଁ।