ନୂଆଦିଲ୍ଲୀ : ଦେଶୀ ଲୁକ୍ରେ ବିଦେଶୀ । ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଆମେ କହୁଛୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ଭାରତ ଗସ୍ତ କଥା। ଭେନ୍ସଙ୍କ ସହ ଭାରତ ଯାତ୍ରାରେ ଆସିଥିବା ତାଙ୍କର ତିନି ଜଣ ପିଲା ସ୍ୱତନ୍ତ୍ର ରୂପେ ଭାରତୀୟ ପୋଷାକ ପିନ୍ଧିଥିଲେ , ଯାହାକି ଲୋକଙ୍କ ହୃଦୟ ଜିତି ନେଇଛି। ସୋମବାର ଦିଲ୍ଲୀରେ ପହଞ୍ଚିବାର ତୁରନ୍ତ ପରେ ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭେନ୍ସଙ୍କ ୮ବର୍ଷିୟ ପୁଅ ଇଭାନ ଓ ୫ବର୍ଷିୟ ପୁଅ ବିବେକ ଧଳା କୁର୍ତ୍ତା ସହ ହଳଦିଆ ଓ ମାଟିଆ କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କର ୩ବର୍ଷିୟା ଝିଅ ମିରାବେଲ ସବୁଜ ରଙ୍ଗର ଅନାରକଲି ସୁଟ୍ ଓ ଜ୍ୟାକେଟ୍ ପିନ୍ଧି ଥିଲେ।
ବିମାନରୁ ଓହ୍ଲାଇବା କ୍ଷଣି ତାଙ୍କର ତିନି ଜଣ ପିଲା ଏହି ଯାତ୍ରାକୁ କଭର କରୁଥିବା ଫଟୋଗ୍ରାଫରଙ୍କ ମଧ୍ୟରେ ଖୁବ୍ଲୋକପ୍ରିୟ ପାଲଟି ଯାଇଥିଲେ ଏବଂ ଏହାପରେ ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଭେନ୍ସ ଓ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚି ଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ।
ଭେନ୍ସ ଧଳା ସାର୍ଟ ଓ ନାଲି ରଙ୍ଗର ଟାଇ ସହ ନେଭି ବ୍ଲୁ ବିଜନେସ୍ ସୁଟ୍ ପିନ୍ଧି ଥିଲେ, ଅନ୍ୟପଟେ ତାଙ୍କର ପତ୍ନୀ ଧଳ ବ୍ଲେଜର ସହ ନାଲି ରଙ୍ଗର ଲମ୍ୱା ପୋଷାକ ପିନ୍ଧି ଥିଲେ। ଭେନ୍ସ ପରିବାର ସହ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ଥିଲେ , ସେଠାରେ ସେ ମନ୍ଦିରର ଭବ୍ୟ ମୁଖଶାଳାର ବାହାରେ ଫଟୋ ପାଇଁ ପୋଜ୍ ଦେଇଥିଲେ। ଭେନ୍ସ ଓ ତାଙ୍କର ପରିବାର ନିଜର ୪ଦିବସୀୟ ଗସ୍ତ ବେଳେ ଜୟପୁର ଓ ଆଗ୍ରା ଯାତ୍ରା କରିବେ।
ସୋମବାର ଆମେରିକୀୟ ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନ୍ସଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ କରିବେ। ଭେନ୍ସଙ୍କ ସହ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଆସିଛନ୍ତି।