ନୂଆଦିଲ୍ଲୀ,୨୧/୦୪: ଦେଶରେ ପାରମ୍ପରିକ ଚାକିରିଗୁଡ଼ିକ ଏବେ ଅତୀତରେ ପରିଣତ ହେବାକୁ ଯାଉଛି। ମଧ୍ୟବିତ୍ତ ବର୍ଗ ଚାକିରି ସୁରକ୍ଷା ଏବଂ ଦରମା ଆୟ ଉପରେ ଆଧାରିତ ଏକ ଭଲ ଜୀବନଯାପନ କରିବାର ଭ୍ରମରୁ ବାହାରି ଆସିବା ଉଚିତ ଏବଂ ଉଦ୍ୟୋଗକୁ ଆୟର ଏକ ଉତ୍ସ କରିବା ଉଚିତ। ଏପରି କିଛି ମନ୍ତବ୍ୟ ମାର୍ସେଲସ୍ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସର ପ୍ରତିଷ୍ଠାତା ଏବଂ ମୁଖ୍ୟ ନିବେଶ ଅଧିକାରୀ ସୌରଭ ମୁଖାର୍ଜୀ ଦେଇଛନ୍ତି। ସେ କହିଛନ୍ତି, "ସ୍ୱୟଂଚାଳିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ଅର୍ଥାତ୍ ଏଆଇ, ଶିଳ୍ପରେ କଠିନ ପରିଶ୍ରମୀ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସ୍ଥାନ ଖୁବଶୀଘ୍ର ନେବାକୁ ଯାଉଛି।"
ନିକଟରେ ସୌରଭ ମୁଖାର୍ଜୀ ଏକ ପୋଡକାଷ୍ଟରେ କହିଛନ୍ତି ଯେ ଭାରତ ଏହି ଦଶନ୍ଧିରେ ଏକ ନୂଆ ଅର୍ଥନୈତିକ ଯୁଗରେ ପ୍ରବେଶ କରୁଛି। ଏପରି ସ୍ଥିତିରେ, ଭୟ ରହିଛି ଯେ ଉଚ୍ଚ ଦରମା ସମ୍ପନ୍ନ ପାରମ୍ପରିକ ଚାକିରି ପାଇଁ ସୁଯୋଗ ସୀମିତ ହୋଇଯିବ ଏବଂ ଚାକିରିଗୁଡ଼ିକ ଆଉ ଶିକ୍ଷିତ ଲୋକଙ୍କ ପାଇଁ ଆୟର ଏକ ନିର୍ଭରଯୋଗ୍ୟ ଉତ୍ସ ହୋଇ ରହିବ ନାହିଁ। ଏହି ଦଶନ୍ଧିରେ ଚାକିରୀ ହ୍ରାସ ପାଇବା ଆରମ୍ଭ ହେବ।
ସୌରଭ ମୁଖାର୍ଜୀ କହିଛନ୍ତି, "ମୁଁ ଭାବୁଛି ଚଳିତ ଦଶବର୍ଷ ଦରମା ପାଉଥିବା ବ୍ୟକ୍ତି ଏବଂ ମହିଳାମାନଙ୍କ ପାଇଁ ଚିନ୍ତାଜନକ ହେବ କାରଣ ଚାକିରିଗୁଡ଼ିକ ଖୁବଶୀଘ୍ର ହ୍ରାସ ପାଇପାରେ। ଶିକ୍ଷିତ, ପରିଶ୍ରମୀ ଏବଂ ଦୃଢ଼ ପ୍ରତିବଦ୍ଧ ଲୋକଙ୍କ ପାଇଁ ପାରମ୍ପରିକ ଚାକିରି ସୁଯୋଗ ଧୀରେ ଧୀରେ ଲୋକ ପାଇଯିବ।" ସେ କହିଛନ୍ତି ଯେ ପୁରୁଣା ମଡେଲ୍, ଯେଉଁଥିରେ ଆମର ବାପା-ମାଆ ୩୦-୩୦ ବର୍ଷ ଧରି କାମ କରି ଅବସର ନେଉଥିଲେ, ସେସବୁ ଏବେ ଶେଷ ହେବାକୁ ବସିଛି। ଭାରତରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଉଦିଷ୍ଟ ଥିବା ଚାକିରି, ଯେଉଁ ନିଯୁକ୍ତି ଢାଞ୍ଚା ଆଧାରରେ ମଧ୍ୟବିତ୍ତ ବର୍ଗ ଋଣ ନେଉଛନ୍ତି, ତାହା ଆଉ ସ୍ଥାୟୀ ନୁହେଁ। ଏହାର ଦୁଇଟି ପ୍ରମୁଖ କାରଣ ରହିଛି:
୧. ପ୍ରଥମତଃ, ସମସ୍ତ କମ୍ପାନୀ ଏଆଇ ବେସ୍ଡ ଅଟୋମେସନ ଉପରେ କାମ କରୁଛନ୍ତି।
୨. ଅନ୍ୟ ସମସ୍ତ ଶିଳ୍ପରେ ମିଡିଲ୍ ମ୍ୟାନେଜମେଣ୍ଟ ପରିସର ଦିନକୁ ଦିନ ସଙ୍କୁଚିତ ହେଉଛି।
ମାର୍ସେଲସ୍ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସର ପ୍ରତିଷ୍ଠାତା ଏବଂ ମୁଖ୍ୟ ନିବେଶ ଅଧିକାରୀ ସୌରଭ ମୁଖାର୍ଜୀ କୁହନ୍ତି ଯେ ପୂର୍ବରୁ କର୍ମଚାରୀମାନେ ଯେଉଁ କାମ କରୁଥିଲେ ତାହା ଏବେ ଏଆଇ ଦ୍ୱାରା କରାଯାଉଛି। ତାଙ୍କ ମତରେ, ଗୁଗୁଲ୍ କହିଛି ଯେ ଏହାର ଏକ ତୃତୀୟାଂଶ କୋଡିଂ କାର୍ଯ୍ୟ ଏଆଇ ଦ୍ୱାରା କରାଯାଉଛି। ଭାରତୀୟ ଆଇଟି କ୍ଷେତ୍ର, ବ୍ୟାଙ୍କିଙ୍ଗ, ମିଡିଆ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି।
ସୌରଭ ମୁଖାର୍ଜୀ କୁହିଛନ୍ତି, ଜନ ଧନ, ଆଧାର ଏବଂ ମୋବାଇଲ୍ ମଧ୍ୟ ଆଶାର ଏକ ନୂତନ କିରଣ ଦେଇଛି। ଏହି ତିନୋଟି ଆଗାମୀ ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ଲାଟଫର୍ମ ହୋଇପାରିବ। ସମାଜର ଗରିବ ଏବଂ ଅବହେଳିତ ବର୍ଗକୁ ପରିଚୟ, ବ୍ୟାଙ୍କିଙ୍ଗ ଏବଂ ସୂଚନା ଉତ୍ପାଦଗୁଡ଼ିକର ସହଜ ପ୍ରବେଶ ପ୍ରଦାନ କରିବା ପାଇଁ ଏହି ତିନୋଟି ସମ୍ବଳ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଛି। ସେ କହିଥିଲେ ଯେ ଆମେ ଯେପରି କର୍ପୋରେଟ୍ କ୍ଷେତ୍ରରେ ଚାକିରି କରୁ, ସେହିପରି ଉଦ୍ୟୋଗରେ ଆମର ମନ ଏବଂ କଠିନ ପରିଶ୍ରମକୁ ପ୍ରୟୋଗ କରି ଆମେ ସମୃଦ୍ଧିର ଏକ ନୂତନ ଉଦ୍ୟୋଗୀ ହୋଇପାରିବା।