ମୁମ୍ବାଇ ୨୧/୦୪: ସିନେ ଜଗତରେ ପ୍ରାସଙ୍ଗିକ ରହିବାର ଚାବିକାଠି ହେଉଛି ଖୋଲାମନ ରଖିବା ଏବଂ ଯୁବପିଢ଼ିଙ୍କ ଚିନ୍ତାଧାରା ଓ କାମକୁ ବୁଝିବା ବୋଲି କହିଛନ୍ତି ଅଭିନେତା ଇମ୍ରାନ୍ ହାସ୍ମୀ । ବଲିଉଡ୍ରେ ନିଜକୁ ଜଣେ ପ୍ରତିଭାଶାଳୀ ଅଭିନେତା ଭାବେ ପ୍ରତିଷ୍ଠିତ କରିଥିବା ଇମ୍ରାନ୍ ଏକ ସାକ୍ଷାତକାରରେ କହିଛନ୍ତି, ନିଜକୁ ପୁଣି ଖୋଜିବା ଗୁରୁତ୍ୱପୂର୍ଣ୍ଣ । ଏହା ସମକାଳୀନ ଫିଲ୍ମ ନିର୍ମାତାଙ୍କ ସହ ମିଶି କରାଯାଇପାରିବ । ଏକ ନିର୍ଦ୍ଦିଷ୍ଟ ସମୟରେ ନୂଆ କିସମର ଅଭିନେତା, ଫିଲ୍ମ ନିର୍ମାତା ଆସିଗଲେ ପୁରୁଣା ଲୋକଙ୍କୁ ସେମାନଙ୍କଠାରୁ ଶିଖିବା ଜରୁରି ହୋଇପଡ଼େ । ସେତେବେଳେ ନିଜକୁ ନୂଆ କରି ଖୋଜିବାକୁ ପଡ଼େ, ନୂଆ ଦୃଷ୍ଟିକୋଣ ରଖିବାକୁ ହୋଇଥାଏ । ସେଠାରୁ ହିଁ ପ୍ରାସଙ୍ଗିକତାର ପୂରା ଖେଳ ଆରମ୍ଭ ହୋଇଥାଏ । ଏବେର ଯୁବପିଢ଼ି କ’ଣ ଚାହୁଁଛନ୍ତି, କିପରି ଚିନ୍ତାଧାରା ରଖୁଛନ୍ତି ତାହା ଜାଣିବାକୁ ପଡ଼ିବ ।
ସେ ଆହୁରି କହିଛନ୍ତି, ଜଣେ କଳାକାର ଭାବେ ମୋତେ ପରିବର୍ତ୍ତନକୁ ସ୍ୱୀକାର କରିବା ଏବଂ ନିଜକୁ ଚାଲେଞ୍ଜ ଦେବାକୁ ମଜା ଲାଗେ । ୪୬ ବର୍ଷୀୟ ଇମ୍ରାନ୍ ସିନେଜଗତର ଆତ୍ମସନ୍ତୁଷ୍ଟି ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସିନେମା ଉଦ୍ୟୋଗ ଏପରି ଏକ ପର୍ଯ୍ୟାୟ ଦେଇ ଗତି କରୁଛି ଯେଉଁଠି ଫିଲ୍ମର ପ୍ରକାର ଉପରେ ପୁନର୍ବିଚାର କରିବା ଆବଶ୍ୟକତା ରହିଛି । ଏପରି ଫିଲ୍ମ ବନାଯାଉ ଯାହା କି ପ୍ରାସଙ୍ଗିକ ହେବା ସହ ଦର୍ଶକଙ୍କ ପାଇଁ ପୂରା ଭାରତର ଭାବନାକୁ ସାମ୍ନାକୁ ଆଣିପାରୁଥିବ । କେବଳ ଆଭିଜାତ୍ୟପୂର୍ଣ୍ଣ ଫିଲ୍ମ ବନାଇଲେ ହେବନାହିଁ । କାରଣ ସେଭଳି ପ୍ରସଙ୍ଗର ଅନେକ ଉଚ୍ଚକୋଟୀର ଫିଲ୍ମ ଏବଂ ପାଶ୍ଚାତ୍ୟ ସମ୍ବେଦନପୂର୍ଣ୍ଣ କଣ୍ଟେଣ୍ଟ ଓଟିଟିରେ ଉପଲବ୍ଧ ବୋଲି ଇମ୍ରାନ୍ କହିଛନ୍ତି । ତେବେ କେତେକ ପ୍ରସଙ୍ଗରେ ଇମ୍ରାନ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସମର୍ଥନ ମଧ୍ୟ କରିଛନ୍ତି । ପ୍ରକାଶଥାଉ କି, ଇମ୍ରାନ୍ଙ୍କ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ ଆସନ୍ତା ୨୫ ତାରିଖରେ ସିନେମାହଲ୍ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଇମ୍ରାନ୍ଙ୍କୁ ପ୍ରଥମ କରି ନୂଆ ଅନ୍ଦାଜ୍ରେ ଦେଖିବାକୁ ମିଳିବ । ଏହାର କାହାଣୀ ବିଏସ୍ଏଫ୍ ଅଫିସର ନରେନ୍ଦ୍ର ନାଥ ଧର ଦୁବେଙ୍କ ଉପରେ ଆଧାରିତ ଏବଂ ଇମ୍ରାନ ଏହି ଚରିତ୍ରରେ ଅଭିନୟ କରିଛନ୍ତି ।