ନୂଆଦିଲ୍ଲୀ,୨୧/୦୪: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ଉପରେ ବୟାନ ଦେଇ ରାଜନୀତିକୁ ସରଗରମ କରିଛନ୍ତି । ଏହାକୁ ନେଇ ରାହୁଲଙ୍କ ଉପରେ ବର୍ଷିଛି ବିଜେପି । ନ୍ୟାସନାଲ ହୋଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଇଡ଼ିର ରାଗ ନିର୍ବାଚନ ଆୟୋଗଙ୍କ ଉପରେ ସୁଝାଉଛନ୍ତି ବୋଲି କହିଛି ବିଜେପି ।
କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଛନ୍ତି । ଆଜି ସେ ରୋଡ୍ ଆଇଲାଣ୍ଡର ବ୍ରାଉନ ୟୁନିଭର୍ସିଟି ଗସ୍ତ କରିଛନ୍ତି । ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ନିର୍ବାଚନ କମିଶନର ଓ କେନ୍ଦ୍ର ସରକାରଙ୍କୁ ଉପରେ ଏକ ବୟାନ ଦେଇଥିଲେ । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।
ରାହୁଲ କହିଥିଲେ, ''ଭାରତରେ ସିଷ୍ଟମରେ କିଛି ଠିକ୍ ନାହିଁ । ମହାରାଷ୍ଟ୍ର ନିର୍ବାଚନ ତାର ଉଦାହରଣ । ଏହି ନିର୍ବାଚନରେ ୨ ଘଣ୍ଟାରେ ୬୫ ଲକ୍ଷ ମତଦାତା ଯୋଡି ହୋଇଥିଲେ । ଯାହା ଅସମ୍ଭବ । ମୋତେ ଲାଗୁଛି ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ସହ ବୁଝାମଣା କରି ଦେଇଛନ୍ତି ।''
ରାହୁଲଙ୍କର ଏହି ବୟାନକୁ ନେଇ ଟାର୍ଗେଟ କରିଛି ବିଜେପି । କଂଗ୍ରେସ ନିର୍ବାଚନ ଜିତିଲେ ନିର୍ବାଚନ ଆୟୋଗଙ୍କୁ କିଛି କହୁନାହିଁ । ସେବେ ଦଳ ପାଇଁ ଇସି ଠିକ୍, ମାତ୍ର ଯେଉଁଠି ନିର୍ବାଚନ ହାରୁଛି ସେଠାରେ ଇସିଙ୍କୁ ଟାର୍ଗେଟ କରୁଛି । ରାହୁଲ ବିଦେଶରେ ଭାରତକୁ ବଦନାମ କରୁଛନ୍ତି । ସାମ୍ବିଧାନିକ ସଂସ୍ଥାର ଅପମାନ କରୁଛନ୍ତି । କିଛି ଲୋକ ପିଏମ୍ ମୋଦିଙ୍କ ବିରୋଧ କରୁ କରୁ ଭାରତ ବିରୋଧୀ ହୋଇଛନ୍ତି ବୋଲି କହିଛନ୍ତି ବିଜେପି ପ୍ରବକ୍ତା ଶହଜାଦ ପୁନାୱାଲା ।