ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟରେ ଏକ ମାମଲାର ବିଚାର ଚାଲୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚେକ ବାଉନ୍ସ ମାମଲାର ଶୁଣାଣୀ ହେଉଥିବା ବେଳେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ କୋର୍ଟ ଭିତରେ ମହିଳା ନ୍ୟାୟାଧିଶଙ୍କୁ ଧମକ ଦଇଛନ୍ତି। ସବୁଠୁ ବଡ କଥା ହେଉଛି ଏଥିରେ କେବଳ ଅଭିଯୁକ୍ତ ଜଣଙ୍କ ସାମିଲ ନଥିଲେ, ତାଙ୍କ ଓକିଲ ମଧ୍ୟ ଏଥିରେ ସାମିଲ ହୋଇ ଜଜଙ୍କୁ ଧମକ ଚମକ ଦେଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ଏନଆଇ ଆକ୍ଟ) ଶିବାଙ୍ଗୀ ମଙ୍ଗଳାଙ୍କ ଅଧିନରେ ଏକ ମାମଲାର ଶୁଣାଣୀ ଚାଲିଥିଲା। ଗତ ଏପ୍ରିଲ ୨ ତାରିଖରେ ଚେକ୍ ବାଉନ୍ସ ମାମଲାରେ ଜଣେ ଅଭିଯୁକ୍ତଙ୍କର ଆଜି ପରବର୍ତ୍ତୀ ଶୁଣାଣୀ ହେଉଥିଲା। ଏଥିରେ ଅଭିଯୁକ୍ତ ଜଣଙ୍କୁ ବିଚାରପତି ନେଗୋସିଆଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ତଥା ଚେକ୍ ଅନାଦର ଆଇନର ଧାରା ୧୩୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ, ବିଚାରପତି ଅଭିଯୁକ୍ତ ଜଣଙ୍କୁ ଫୌଜଦାରୀ ପ୍ରକ୍ରିୟା ସଂହିତା (CrPC)ର ଧାରା ୪୩୭କ ଅନୁଯାୟୀ ଜାମିନ ବଣ୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ମାମଲାର ରାୟ ଆସିବା ପରେ କୋର୍ଟ ରୁମରେ ଥିବା ଅଭିଯୁକ୍ତ ଜଣକ ଉତ୍ତେଜନା ପ୍ରକାଶ କରି ହାତ ପାହାନ୍ତାରେ ଥିବା ଏକ ବସ୍ତୁକୁ ବିଚାରପତିଙ୍କ ଉପରକୁ ଫିଙ୍ଗିଥିଲେ। ଏହା ସହ ସେ ନିଜ ଓକିଲଙ୍କୁ ଏହି ମାମଲାର ଶୁଣାଣି ନିଜ ପକ୍ଷରେ କରିବାକୁ “ଯାହା କରିବାକୁ ପଡିବ କର” ବୋଲି କହିଥିଲେ। ଏହାପରେ ସେ ଜଜ୍ ଙ୍କୁ ଲକ୍ଷ୍ୟ କରି ଧମକ ଦେଇ କହିଥିଲେ ଯେ “ତୁ କିଏ। ତୁ ଖାଲି ବାହାରକୁ ଆସେ। ତୁ କେମିତି ଭଲରେ ଘରେ ପହଁଚିବୁ ମୁଁ ଦେଖିବି।”
କୋର୍ଟ ରୁମ ଭିତରେ ଏପରି ଘଟିବା ପରେ ଜଷ୍ଟିସ ମଙ୍ଗଲା ତାଙ୍କ ଆଦେଶ ରେକର୍ଡ କରି କହିଛନ୍ତି ଯେ “ଅଭିଯୁକ୍ତ ତଥା ତାଙ୍କ ଓକିଲ ଆଡଭୋକେଟ ଅତୁଲ କୁମାର କେବଳ ତାଙ୍କୁ ଧମକ ଦେଇନାହାଁନ୍ତି, ବରଂ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ଚାପ ପ୍ରୟୋଗ କରିବା ସହ ଉଭୟ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଛନ୍ତି। ବାରମ୍ବାର ଧମକ ଦେବା ସତ୍ତ୍ୱେ ସେ ଦୃଢ ଭାବରେ ଏହାର ସାମ୍ନା କରିଥିଲେ ଏବଂ ତାଙ୍କ ଆଦେଶରେ କହିଥିଲେ ଯେ ଏହା ବିରୁଦ୍ଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ନିଆଯିବ”।
ଏହାସହ, ଦୋଷୀ ସାବ୍ୟସ୍ତ ହୋଇଥିବା ଓକିଲଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତାଙ୍କ ଆଚରଣ ଉପରେ ଅପରାଧିକ ଅବମାନନା ପ୍ରକ୍ରିୟା ପାଇଁ ତାଙ୍କୁ କାହିଁକି ଦିଲ୍ଲୀ ହାଇକୋର୍ଟରେ ହାଜର କରାଯିବ ନାହିଁ ବୋଲି ଲିଖିତ ଭାବରେ ସ୍ପଷ୍ଟ କରିବାକୁ ବିଚାରପତି ଉଭୟଙ୍କୁ ଆଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଦିନ ତାଙ୍କ ପ୍ରତିକ୍ରିୟା ଦାଖଲ କରିବାକୁ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।