ନୂଆଦିଲ୍ଲୀ ୨୧/୦୪: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଡାକ୍ତରଖାନାରେ ଜଣେ ଡାକ୍ତର ଜଣେ ରୋଗୀଙ୍କୁ ମାରପିଟ୍ କରିଛନ୍ତି । ଡାକ୍ତର ଜଣକ ୭୭ ବର୍ଷୀୟ ବୃଦ୍ଧ ରୋଗୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ହସ୍ପିଟାଲ ପରିସରରେ ଥିବା ପୁଲିସ ଆଉଟପୋଷ୍ଟ ନିକଟରେ ଫିଙ୍ଗି ଦେଇଥିଲେ । ଡାକ୍ତର ଜଣକ କାହିଁକି ଏତେ ବିଳମ୍ବରେ ଆସିଲେ ବୋଲି ବୃଦ୍ଧ ଜଣକ କାରଣ ପଚାରିବାରୁ ଡାକ୍ତର ଏପରି କରିଥିବା ଅଭିଯୋଗ ହୋଇଛି ।
ଘଟଣା ଏପ୍ରିଲ ୧୭ର ବୋଲି ଜଣାପଡ଼ିଛି । ରବିବାର ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାକୁ ଚାରିଆଡ଼ୁ ନିନ୍ଦା କରାଯାଇଛି । ଡାକ୍ତରଙ୍କ ନାଁ ରାଜେଶ ମିଶ୍ର ବୋଲି ଜଣାଯାଇଛି । ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ରିପୋର୍ଟ ନ ପଠାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଭିଲ ସର୍ଜନ ଜିଏଲ୍ ଅହିରୱାରଙ୍କୁ ନୋଟିସ ଜାରି କରାଯାଇ ଜବାବ ମଗାଯାଇଛି ।
ଅଭିଯୋଗ ଅନୁସାରେ, ପୀଡ଼ିତ ଉଧବଲାଲ ତାଙ୍କ ୭୦ ବର୍ଷୀୟା ସ୍ତ୍ରୀ ଲାଲି ଜୋଶୀଙ୍କ ସହ ଛତରପୁର ଜିଲ୍ଲା ହସ୍ପିଟାଲକୁ ଆସିଥିଲେ । ଏଥିପାଇଁ ତାଙ୍କୁ ପ୍ରାୟ ୩୦ କିମି ବାଟ ଯାତ୍ରା କରିବାକୁ ପଡ଼ିଥିଲା । ଗୁରୁବାର ସକାଳ ପ୍ରାୟ ୧୦ଟାରେ ଓପିଡି ରୁମ୍ ଆଗରେ ଟୋକନ ନେଇ ଉଧବଲାଲ ଧାଡ଼ିରେ ଛିଡ଼ା ହୋଇଥିଲେ । କିନ୍ତୁ ଡ୍ୟୁଟିରେ ଥିବା ଡାକ୍ତର ରାଜେଶ ମିଶ୍ର ବହୁ ବିଳମ୍ବରେ ଆସିଥିଲେ । ଉଧବଲାଲ ଏ ନେଇ ଡାକ୍ତରଙ୍କୁ କାରଣ ପଚାରିବାରୁ ଡାକ୍ତର ରାଜେଶ ଉତ୍ତ୍ୟକ୍ତ ହୋଇ ତାଙ୍କ ଟୋକେନ ଚିରିଦେବା ସହ ଚାପୁଡ଼ା, ଲାତ ମାରିଥିଲେ । ପରେ ବୃଦ୍ଧଙ୍କୁ ଘୋଷାଡ଼ି ନେଇ ବାହାରେ ଥିବା ପୁଲିସ ଆଉଟପୋଷ୍ଟ ନିକଟରେ ଫିଙ୍ଗି ଦେଇଥିଲେ । ଫଳରେ ବୃଦ୍ଧ ଦମ୍ପତ୍ତି ସେଠାରୁ ବିନା ଚିକିତ୍ସାରେ ଘରକୁ ଫେରିଥିଲେ ବୋଲି ଅଭିଯୋଗ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ଏସ୍ଡିଏମ୍ ଅଖିଳ ରାଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।