ନୂଆଦିଲ୍ଲୀ,୨୧/୦୪: ସଫଳତା କେବଳ ଭାଗ୍ୟ ଓ ପରିସ୍ଥିତିର ପରିଣାମ ନୁହେଁ । କଥାରେ ଅଛି ସଫଳତା ତୁମ ଅପେକ୍ଷାରେ ଥାଏ ତୁମକୁ କେବଳ ନିଜ ଉପରେ ଭରସା ଆଉ ଧୌର୍ଯ୍ୟ ଧରିବାକୁ ହେବ । ପରିସ୍ଥିତି ଯାହା ବି ହେଉ ନା କାହିଁକି 'ମୁଁ କରିପାରିବି ବିଶ୍ୱାସ ନେଇ କାମ କଲେ ସଫଳତା ନିଶ୍ଚିନ୍ତ ମିଳିଥାଏ । ଆମେ ଆଜି ଆପଣଙ୍କୁ ଏମିତି ଏକ ସଫଳ କାହାଣୀ କହିବୁ ଯାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ପାଖରେ ପରିବାର, ଘର କି ପଇସା କିଛି ବି ନଥିଲା । ତଥାପି ସେ ହାରି ନଥିଲେ । କଠିନ ପରିଶ୍ରମ ଓ ଦୃଢ ସଂକଳ୍ପ ବଳରେ ଆଇଆଇଟିରେ ନାମ ଲେଖାଇବାରେ ସଫଳ ହୋଇଥିଲେ । ଏବେ ତାଙ୍କୁ ଉଚ୍ଚ ବେତନର ଚାକିରି ଅଫର ମିଳିଛି । ଏ ହେଉଛି ଗୌହାଟୀର ମୌସମ କୁମାରୀଙ୍କ ସଫଳତର କାହାଣୀ ।
ମୌସମ ଯେତେବେଳେ ମାତ୍ର ୬ ମାସର ହୋଇଥିଲେ ବାପାଙ୍କୁ ହରାଇଥିଲେ । ୩ ବର୍ଷର ହୋଇଥିଲେ ତାଙ୍କ ମା' ଦ୍ୱିତୀୟ ବିବାହ କରିଥିଲେ । ଜେଜେମାଆ ତାଙ୍କର ଲାଳନପାଳନ କରିଥିଲେ । ମୌସମଙ୍କ ଜେଜେମାଆ ଓ ଦାଦା ତାଙ୍କର ସାହାରା ଥିଲେ । ସେମାନଙ୍କ ପାଇଁ ମୌସମ ତାଙ୍କ ପ୍ରୟାସକୁ ଦ୍ୱିଗୁଣା କରିଥିଲେ । ଦଶମ ପଢିବା ସମୟରେ ନିଷ୍ପତ୍ତି ନେଇଥିଲେ-ଆଇଆଇଟି ଯିବେ ଏବଂ ଜେଜେମାଆଙ୍କୁ ଦୁନିଆ ଦେଖାଇବେ । ସେ ତାଙ୍କୁ ନେଇ ବହୁତ ଗର୍ବ କରନ୍ତି । ହେଲେ ଦିନେ ମୌସମ ସ୍କୁଲ ଯାଇଥିଲେ । ତାଙ୍କ ଦାଦାଙ୍କ ବନ୍ଧୁ ସ୍କୁଲକୁ ନେବାକୁ ଆସିଥିଲେ । ଜାଣିବାକୁ ପାଇଥିଲେ ତାଙ୍କ ଜେମାଆ ଆଉ ଦୁନିଆରେ ନାହାନ୍ତି । ଏହା ତାଙ୍କୁ ବହୁତ କଷ୍ଟ ଦେଇଥିଲା ।
ମୌସମ କୁହନ୍ତି, ସେବେଠୁ ସଂକଳ୍ପ ନେଲି ଜେଜେମାଆଙ୍କ ସ୍ୱପ୍ନ ପୂରଣ କରିବି । ପାଠପଢାରେ ଧ୍ୟାନ ଦେଲି । ଦଶମରେ ଟପ୍ କଲି । ଏହାପରେ ଆଇଆଇଟି ପାଇଁ ପ୍ରସ୍ତୁତି ଆରମ୍ଭ କଲି । ମାତ୍ର କୋଭିଡ୍-୧୯ ଆସିଗଲା । ସବୁ କିଛି ବନ୍ଦ ହୋଇଗଲା । ସଟଡାଉନ ଲକଡାଉନ୍ ହୋଇଗଲା । ସମସ୍ତେ ଘରକୁ ଫେରିଗଲେ । ମୋତେ ଦାଦା କହିଲେ ପିଉସୀଙ୍କ ପାଖରେ ରହିବାକୁ କିନ୍ତୁ ସେଠାରେ କରେଣ୍ଟ ନଥିଲା । ବାରମ୍ବାର ପାୱାର କଟ୍ ହେଉଥିଲା । କେତେବେଳ ଜଣେ ଖୁଡୀଙ୍କ ସହ ପୁଣି କେତେବେଳେ ଆଉ ଜଣେ ଖୁଡୀଙ୍କ ଘରେ ରହିବାକୁ ପଡୁଥିଲା । ସମ୍ପର୍କୀୟଙ୍କ ଘରେ ପାଢିବା ଅସମ୍ଭବ ମନେ ହେଉଥିଲା । ଏହା ପରେ ମୁଁ ନିଜକୁ ପ୍ରଶ୍ନ କଲି କଣ ମୁଁ କରିପାରିବି ?
ଗୋଟିଏ ବଡ଼ ଚିନ୍ତା ଥିଲା ଟଙ୍କା କେଉଁଠୁ ଆସିବ । କେବେ କେବେ ଭାଗ୍ୟ ଭଲ ଥାଏ । ଦିନେ ମୌସମ କୋଟକ କନ୍ୟା ବୃତ୍ତି ବିଷୟରେ ଜାଣିବାକୁ ପାଇଥିଲେ । ଏଥିରେ ଆବେଦନ କରିବାକୁ ନିଷ୍ପତ୍ତି ନେଲେ । କିଛି ଦିନ ପରେ ସେ ଚୟନ ହୋଇଥିବା ନେଇ କଲ୍ ଆସିଥିଲା । ଛାତ୍ରବୃତ୍ତିରେ ତାଙ୍କର ସବୁ ଖର୍ଚ୍ଚ ପୂରଣ ହୋଇପାରିବ ବୋଲି ଆଶ୍ୱସନା ମିଳିଥିଲା । କଠିନ ପରିଶ୍ରମ କରିବା ଆରମ୍ଭ କରି ଦେଇଥିଲେ ମୌସମ । ଆଇଆଇଟି ଏଣ୍ଟ୍ରାନ୍ସ କ୍ରାକ୍ କଲେ । ଆଇଆଇଟି ଗୌହାଟୀରେ ନାମ ଲେଖାଇଲେ । ରହିବାକୁ ଗୋଟିଏ ସ୍ଥାନ ପାଇଲେ ଯାହାକୁ ସେ ଘର ବୋଲି କହିପାରିଲେ । ତାଙ୍କୁ ପରିବାର ପରି ବନ୍ଧୁ ମିଳିଲେ । ଗତ ବର୍ଷ ଏକ ବୈଶ୍ୱିକ ବ୍ୟାଙ୍କରେ ଉଚ୍ଚ ବେତନରେ ଚାକିରି ପାଇଛନ୍ତି ମୌସମ ।
ସତରେ ମୌସମ କୁମାରୀଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଯେଉଁମାନେ ଧୌର୍ଯ୍ୟହରା ହୋଇପଡନ୍ତି ପରିସ୍ଥିତିକୁ ସାମ୍ନା କରିପାରନ୍ତି ନାହିଁ ସେମାନଙ୍କୁ ପ୍ରେରଣା ଦେବ ମୌସମଙ୍କ କାହାଣୀ ।