ଭୁବନେଶ୍ଵର, ୨୧/୦୪ : ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଲାଲ୍ପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ନକ୍ସଲ-ଯବାନ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
ସୂଚନାନୁଯାୟୀ, ସୋମବାର ସକାଳେ ଝାଡ଼ଖଣ୍ଡ ଲାଲ୍ପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ସିଆରପିଏଫର ସ୍ୱତନ୍ତ୍ର ଜଙ୍ଗଲ ଯୁଦ୍ଧ ୟୁନିଟ୍ର କୋବ୍ରା କମାଣ୍ଡର ଏବଂ ଝାଡ଼ଖଣ୍ଡ ପୋଲିସ ମିଳିତ ଭାବରେ କମ୍ଵିଂ ଅପରେସନ ଚଳାଇଥିଲେ। ଏହି ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏହି ଏନକାଉଣ୍ଟରେ ୮ ଜଣ ନକ୍ସଲ ନିପାତ ହୋଇଛନ୍ତି। ନିହତ ନକ୍ସଲମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଘଟଣାସ୍ଥଳରୁ AK ସିରିଜ୍ ରାଇଫଲ୍, ତିନୋଟି INSAS ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ (SLR), ଆଠଟି ଦେଶୀ ନିର୍ମିତ ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଜବତ ହୋଇଛି।
ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ନକ୍ସଲ ପ୍ରବଣ ରାଜ୍ୟ ଗୁଡ଼ିକରେ ସୁରକ୍ଷା ବାହିନୀ ଅପରେସନ ଜୋରଦାର୍ କରିଛି। ଏହି କ୍ରମରେ ପଡ଼ୋଶୀ ଛତିଶଗଡ଼ରେ ଚଳିତ ବର୍ଷ ୧୪୦ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-Success Story: ହାରିଲା ପରିସ୍ଥିତି ଜିତିଲା ସଂକଳ୍ପ, ନା ପରିବାର ଥିଲା ନା ଘର...ତଥାପି ସଫଳ ମୌସମ