ନୂଆଦିଲ୍ଲୀ ୨୦/୦୪: ବିଶ୍ୱର ଅଧାରୁ ଅଧିକ ଲୋକଙ୍କ ପ୍ରଧାନ ଖାଦ୍ୟ ଭାତ । ଅଟା କିମ୍ବା ମକା ତୁଳନାରେ ଭାତକୁ ଅଧିକାଂଶ ଲୋକ ମୁଖ୍ୟ ଦୈନନ୍ଦିନ ଖାଦ୍ୟ ଭାବେ ଗ୍ରହଣ କରନ୍ତି । କିନ୍ତୁ ସଦ୍ୟ ଅଧ୍ୟୟନ ଏ ନେଇ ଏକ ଚିନ୍ତାଜନକ ରିପୋର୍ଟ ଦେଇଛି । ଅଧ୍ୟୟନ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଧାନରେ ଆର୍ସେନିକ୍ ସ୍ତର ବଢ଼ାଇପାରେ । ବୈଜ୍ଞାନିକଙ୍କ ଅନୁସାରେ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ଏବଂ ପୃଥିବୀର ତାପମାତ୍ରା ନିରନ୍ତର ବୃଦ୍ଧି ଯୋଗୁ ଚାଉଳରେ ଆର୍ସେନିକ୍ ମାତ୍ରା ବଢ଼ିବ ।
ଚାଉଳରେ ଆର୍ସେନିକ୍ର ଉପସ୍ଥିତି ସର୍ବଦା ସମସ୍ୟା ଭାବେ ପରିଚିତ । ପ୍ରାୟତଃ ସବୁ ଚାଉଳରେ ଆର୍ସେନିକ୍ ରହିଛି । ଏହି ହାନିକାରକ ଓ ପ୍ରାକୃତିକ ରୂପେ ଉତ୍ପନ୍ନ ରସାୟନ ଧାନ କ୍ଷେତର ମାଟିରେ ଜମା ହୋଇପାରେ । ସେହି ମାଟିରେ ଚାଷ ହେଉଥିବା ଶସ୍ୟ ଭିତରେ ଏହା ପ୍ରବେଶ କରିଯାଏ । କିନ୍ତୁ ଚାଉଳରେ ମିଳିଥିବା ଆର୍ସେନିକ୍ ମାତ୍ରା ନିୟାମକ ଶାଖା ଦ୍ୱାରା ନିର୍ଦ୍ଧାରିତ ସୀମାଠୁ ନିମ୍ନ ଏବଂ ଅନେକ ସମୟରେ ତା’ଠୁ ଅଧିକ ହୋଇପାରେ ।
ଚିନ୍ତାର ବିଷୟ ହେଉଛି, ଖାଦ୍ୟ କିମ୍ବା ପିଇବା ପାଣି ଜରିଆରେ ଅତି କମ୍ ମାତ୍ରାର ଅଣଜୈବିକ ଆର୍ସେନିକ୍ ସେବନ ମଧ୍ୟ କର୍କଟ ଏବଂ ହୃଦ୍ରୋଗ ଓ ମଧୁମେହ ଭଳି ଅନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସମଗ୍ର ବିଶ୍ୱର ଗବେଷକମାନେ ଚାଉଳରେ ଆର୍ସେନିକ୍ ମାତ୍ରା ହ୍ରାସ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପାରେ ବୋଲି ଅଣଜୈବିକ ଆର୍ସେନିକ୍ ସଞ୍ଚୟକୁ ନେଇ କରାଯାଇଥିବା ସଦ୍ୟତମ ଅଧ୍ୟୟନ ସ୍ପଷ୍ଟ କରିଛି ।
ଏଥିପାଇଁ ଗବେଷକମାନେ ୧୦ ବର୍ଷରୁ ଅଧିକ ଅବଧିରେ ପରୀକ୍ଷାମୂଳକ ସ୍ଥିତିରେ ଚୀନ୍ର ୪ ଭିନ୍ନ ଭିନ୍ନ ସ୍ଥାନରେ ଧାନର ୨୮ ପ୍ରକାର କିସମର ଚାଷ କରିଥିଲେ । ଏଥିରୁ ସେମାନେ ଜାଣିବାକୁ ପାଇଲେ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବଢ଼ିବା ଦ୍ୱାରା ଏବଂ ତାପମାତ୍ରା ବୃଦ୍ଧି ଫଳରେ ଚାଉଳରେ ଆର୍ସେନିକ୍ ମାତ୍ରା ବଢ଼ିଥିଲା । ତା’ପରେ ମହାମାରୀ ବିଶେଷଜ୍ଞମାନେ ବର୍ତ୍ତମାନର ଚାଉଳ ସେବନ ଦ୍ୱାରା ଏହି ଆର୍ସେନିକ୍ ସ୍ତର କିଭଳି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ, ତା’ର ଏକ ମଡେଲ ପ୍ରସ୍ତୁତ କଲେ । ସେମାନେ ଆକଳନ କଲେ ଯେ ଚାଉଳରେ ଆର୍ସେନିକ୍ ସ୍ତର ବୃଦ୍ଧି ଫଳରେ କେବଳ ଚୀନ୍ରେ ହାରାହାରି ୧.୯୩ କୋଟିରୁ ଅଧିକ ଲୋକ କର୍କଟ ରୋଗର ଶିକାର ହେବେ ।
ଅଧ୍ୟୟନର ସହ ଲେଖକ କୋଲମ୍ବିଆ ବିଶ୍ୱବିଦ୍ୟାଳୟ ଏନ୍ଭିରନ୍ମେଣ୍ଟାଲ ହେଲ୍ଥ ସାଇନ୍ସର ଆସୋସିଏଟ୍ ପ୍ରଫେସର ଲୁଇସ୍ ଜିସ୍କା କହିଛନ୍ତି, ଅଣଜୈବିକ ଆର୍ସେନିକ୍ ଉପରେ ହୋଇଥିବା ଅଧିକାଂଶ ଅଧ୍ୟୟନ ଏହାକୁ କର୍କଟକାରକ ବୋଲି ଦର୍ଶାଇଛନ୍ତି, ଯାହାର ଫୁସ୍ଫୁସ୍ ସ୍ୱାସ୍ଥ୍ୟ ଏବଂ ହୃଦ୍ରୋଗ ଉପରେ ବିପରୀତ ପ୍ରଭାବ ରହିଛି । ଜଳବାୟୁ ପରିବର୍ତ୍ତନ ଓ ଅଙ୍ଗାରକାମ୍ଳ ବୃଦ୍ଧି ଏହି ସଂଖ୍ୟାକୁ ଆହୁରି ବଢ଼ାଉଛି । ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘ ବୈଠକରେ ସବୁଠୁ ଭୟାନକ ଭବିଷ୍ୟବାଣୀ ହୋଇଛି । ଏଥିରେ ୨୦୨୫-୨୦୫୦ ମସିହା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି, ଅଙ୍ଗାରକାମ୍ଳ ସ୍ତର ପ୍ରତି ୧୦ ଲକ୍ଷ ପିଛା ଅତିରିକ୍ତ ୨୦୦ ଭାଗ ବୃଦ୍ଧି ବିଷୟରେ କୁହାଯାଇଛି । କିନ୍ତୁ ଯଦି ଅଙ୍ଗାରକାମ୍ଳ ସ୍ତରକୁ ହ୍ରାସ କରାନଯାଏ, ଭବିଷ୍ୟତରେ ଧାନ ଫସଲର କ’ଣ ହେବ, ଏହି ଅଧ୍ୟୟନ ତା’ର ଏକ ଚିତ୍ର ପ୍ରଦାନ କରିଛି ।
ଗବେଷକମାନେ ପରୀକ୍ଷା ପାଇଁ ଚୀନ୍ର ବିଭିନ୍ନ ସ୍ଥାନ ଉପରେ ଫୋକସ୍ କରିଥିଲେ ହେଁ, ୟୁରୋପ ଓ ଆମେରିକାରେ ମଧ୍ୟ ଧାନ ଫସଲରେ ଏହି ପ୍ରଭାବ ଦେଖିବାକୁ ମିଳିବ ବୋଲି ସେମାନେ କହିଛନ୍ତି । କାରଣ ଅଣଜୈବିକ ଆର୍ସେନିକ୍ ସମଗ୍ର ବିଶ୍ୱରେ ଅମଳ ହେଉଥିବା ଧାନରେ ସାଧାରଣ । ଅଙ୍ଗାରକାମ୍ଳ ଓ ତାପମାତ୍ରା ବୃଦ୍ଧି ଉପରେ ଏହା ପ୍ରଥମ ଅଧ୍ୟୟନ ନୁହେଁ । କିନ୍ତୁ କ୍ଷେତ ଉପରେ ଉଭୟର ପ୍ରଭାବକୁ ଏକତ୍ର ଆକଳନ କରିବା ପ୍ରଥମ ବୋଲି ଜିସ୍କା କହିଛନ୍ତି । ଦେଶମାନେ ଧନୀ ହେବା ସହିତ ଭାତ ସେବନର ମାତ୍ରା କମୁଛି । ତଥାପି ଲୋକେ ୨୦୨୧ରେ ଯେତିକି ମାତ୍ରାର ଭାତ ଖାଉଥିଲେ ୨୦୫୦ରେ ମଧ୍ୟ ଜଣ ପିଛା ସେତିକି ମାତ୍ରା ଖାଇବେ ବୋଲି ଅଧ୍ୟୟନ ଆକଳନ କରିଛି । ବର୍ତ୍ତମାନ ଭଳି ଲୋକେ ବ୍ରାଉନ୍ ରାଇସ୍ ତୁଳନାରେ ଅଧିକ ଧଳା ଚାଉଳର ଭାତ ଖାଇବା ଜାରି ରଖିବେ ।
ଆର୍ସେନିକ୍ ଏକ ବିଷାକ୍ତ ରସାୟନ ବୋଲି ଲୋକେ ଜାଣନ୍ତି । ଏହାର ସ୍ୱାଦହୀନ, ରଙ୍ଗହୀନ ଓ ଗନ୍ଧହୀନ ପ୍ରକୃତି ଯୋଗୁ ପ୍ରାଚୀନ ରୋମ୍ ଓ ମଧ୍ୟଯୁଗୀୟ ୟୁରୋପର ଦରବାରରେ ଶତ୍ରୁଙ୍କୁ ତଡ଼ିବା ପାଇଁ ଏହା ଏକ ଭଲ ପଦ୍ଧତି ଥିଲା । କିନ୍ତୁ ଅଳ୍ପ ମାତ୍ରାରେ ଏହାର ଗୋଟିଏ ଡୋଜ୍ ବିଷାକ୍ତ ନୁହେଁ । ଗତ କିଛି ଦଶନ୍ଧିରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଲମ୍ବା ସମୟ ଧରି କମ୍ ମାତ୍ରାର ଆର୍ସେନିକ୍ ସଂସ୍ପର୍ଶରେ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପଡ଼ିପାରେ । ଖାସ୍କରି ଅଣଜୈବିକ ଆର୍ସେନିକ୍ ମଣିଷ ଶରୀରରେ ଜୈବଅଣୁରେ ସହଜରେ ମିଶିବାରେ ସକ୍ଷମ ହୋଇଥିବାରୁ ବିପଦର କାରଣ ହୋଇଥାଏ । ଅନ୍ୟପକ୍ଷେ, ପଥର, ମାଟିରେ ପ୍ରାକୃତିକ ରୂପେ ମିଳୁଥିବା ଅଣଜୈବିକ ଆର୍ସେନିକ୍ ଖଣି, କୋଇଲା ଦହନ ଓ ଅନ୍ୟ ଔଦ୍ୟୋଗିକ ପ୍ରକ୍ରିୟା ଭଳି ଗତିବିଧିର ଉପଉତ୍ପାଦ ।