ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିଠିକୁ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ସେ ଏକ ଖୋଲାଚିଠି ଲେଖି ମୁର୍ଶିଦାବାଦରେ ହୋଇଥିବା ହିଂସା ଏବଂ ଓ୍ଵାକଫ ସଂଶୋଧନୀ ଆଇନ ବିରୋଧୀ ବିକ୍ଷୋଭକୁ ନେଇ ବିଜେପି ଏବଂ ଆରଏସଏସକୁ ଦାୟୀ କରିଛନ୍ତି। ଏହି ଚିଠି ଶନିବାର ଦିନ ଜାରି କରାଯାଇଛି। ଯେଉଁଥିରେ ସେ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଲୋକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।
ସୂଚନା ମୁତାବକ, ଏପ୍ରିଲ ୧୧ ଓ ୧୨ ତାରିଖରେ ମୁର୍ଶିଦାବାଦର ଧୁଲିଆନ ଏବଂ ସମଶେରଗଞ୍ଜ ଅଞ୍ଚଳରେ ଓ୍ଵାକଫ୍(ସଂଶୋଧନ) ଆଇନ ୨୦୨୫କୁ ବିରୋଧ କରି ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏହି ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିଲେ। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଜାଫରାବାଦ ଅଞ୍ଚଳରେ ସୃଷ୍ଟି ହୋଇଥିବା ହିଂସାରେ ଉତ୍ତ୍ୟକ୍ତ ଜନତାମାନେ ଗୋଟିଏ ପରିବାରର ବାପା ଓ ପୁଅଙ୍କୁ ହତ୍ୟା କରି ଦେଇଥିଲେ। ଏହା ସହିତ ଅନେକ ଦୋକାନ, ଘର ଏବଂ ସରକାରୀ ସମ୍ପତ୍ତିରେ ମଧ୍ୟ ନିଆଁ ଲଗାଇ ହିଂସାକାରୀମାନେ ନଷ୍ଟ କରିଦେଇଥିଲେ। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ମମତା ବାନାର୍ଜୀ ତାଙ୍କ ଚିଠିରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏଥି ନିମନ୍ତେ ଦାୟୀ କରିଛନ୍ତି। ବାଂଲାଦେଶ ସୀମାକୁ ସୁରକ୍ଷା ଦେବା ବିଏସଏଫର ଦାୟିତ୍ୱ, କିନ୍ତୁ ସେମାନେ ବାଂଲାଦେଶୀ ଅପରାଧୀମାନଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ଯାହା ହିଂସାକୁ ବଢାଇ ଦେଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ହିଂସା ଏକ “ପୂର୍ବ ପ୍ରାୟୋଜିତ ସାମ୍ପ୍ରଦାୟିକ ଦଙ୍ଗା” ଅଟେ।
ମମତା ସମସ୍ତ ଧର୍ମର ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଓ୍ଵାକଫ୍ ଆଇନ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ନାହିଁ। ସେ ହିଂସାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ଗଣମାଧ୍ୟମ ଭୁଲ ଖବର ପ୍ରସାରଣ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଅନ୍ୟପଟେ ବିଜେପି ମମତାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ତୃଣମୂଳ କଂଗ୍ରେସ (ଟିଏମସି) ମୁସଲିମ ଭୋଟ ବ୍ୟାଙ୍କ ପାଇଁ ହିଂସାକାରୀଙ୍କୁ ସମର୍ଥନ କରୁଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ହିଂସାକୁ “ଜିହାଦୀ ଶକ୍ତି” ଦ୍ୱାରା ପରିଚାଳିତ ବୋଲି ଅଭିଯୋଗ କରି ଏ ମାମଲାରେ ଏନଆଇଏ ତଦନ୍ତର ଦାବି କରିଛନ୍ତି। ବିଜେପିର ଅନ୍ୟ ନେତାମାନଙ୍କ ମଧ୍ୟରେ ଅମିତ ମାଲବ୍ୟ ଦାବି କରିଛନ୍ତି ଯେ ମୁର୍ଶିଦାବାଦରୁ ୪୦୦ରୁ ଅଧିକ ହିନ୍ଦୁ ପରିବାରଙ୍କୁ ବିତାଡିତ କରିଦିଆଯାଇଛି।
ଏହି ଘଟଣା ପଶ୍ଚିମବଙ୍ଗରେ ରାଜନୈତିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। କଲିକତା ହାଇକୋର୍ଟ ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଏବଂ ବିଏସଏଫ ମିଳିତ ଭାବେ ମୁର୍ଶିଦାବାଦ ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖିଛନ୍ତି। ଗୁଜବ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ମଧ୍ୟ ନିଆଯାଇଛି।