ପୁରୀ,୧୯/୦୪: ଆସନ୍ତା ୩୦ ତାରିଖରେ ଅକ୍ଷୟ ତୃତୀୟ ଓ ଚନ୍ଦନଯାତ୍ରା ଆରମ୍ଭ । ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବା ସହ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ନୀତିକାନ୍ତି ସମାପନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି । ଏହି ନୀତି ନିର୍ଘଣ୍ଟକୁ ଶୁକ୍ରବାର ନୀଳାଦ୍ରି ଭକ୍ତନିବାସଠାରେ ବସିଥିବା ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ନୀତି ପ୍ରଶାସକ, ଏସ୍ପି, ପ୍ରଶାସନିକ ଅନ୍ୟ ଅଧିକାରୀ ଓ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତମାନେ ଯୋଗ ଦେଇଥିଲେ ।
୩୦ ତାରିଖରେ ବାହାର ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପଡ଼ୁଥିବା ବେଳେ ଆସନ୍ତା ମାସ ୫ ତାରିଖରେ ନୀଳାଦ୍ରି ମହୋଦୟ, ୧୧ରେ ନୃସିଂହ ଜନ୍ମ, ୧୯ରେ ଭଉଁରି । ଏହି ପ୍ରମୁଖ ଦିନଗୁଡ଼ିକରେ ଶ୍ରୀମନ୍ଦିର ଦ୍ୱାର ଫିଟାଠାରୁ ଚନ୍ଦନ ଚାପକୁ ଠାକୁରମାନେ ବିଜେ କରିବା ଓ ଚାପ ସାରି ଫେରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ନୀତି ନିର୍ଦ୍ଧାରିତ ସମୟରେ ସାରିବାକୁ ସ୍ଥିର କରାଯାଇଛି ।
ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ୪ଟାରେ ଆଜ୍ଞାମାଳ ବିଜେ କରିବ । ଏହି ଦିନ ପ୍ରତ୍ୟୁଷ ଅର୍ଥାତ୍ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବା ସହ ନୀତି ବଢ଼ିବ । ତେବେ ଚନ୍ଦନଯାତ୍ରାର ସାଧାରଣ ଦିନମାନଙ୍କରେ ପ୍ରତ୍ୟୁଷ ଅର୍ଥାତ୍ ରାତି ୪ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲା ଯାଇ ନୀତି ବଢ଼ିବ ଓ ରାତି ୧ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ଼ ସାରିବାକୁ ସ୍ଥିର ହୋଇଛି । ଏନେଇ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ବୈଠକରେ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ଆଲୋଚନା ବାଦ୍ ସେବକମାନେ ଅନେକ ପ୍ରସ୍ତାବ ଦେଇଥିଲେ । ଯାହା ଭିତରୁ ଅନେକ ପରିଚାଳନା କମିଟିରେ ଅନୁମୋଦନ ଲାଭର ଆବଶ୍ୟକତା ରହିଛି । ନୂଆ ପରିଚାଳନା କମିଟି ଗଠନ ପରେ ଏହା ଉପରେ ଆଲୋଚନା ହେବ ।
ନରେନ୍ଦ୍ର ବାଣ ବିସ୍ଫୋରଣ ଭଳି ଦୁଃଖଦ ଘଟଣା ଯେପରି ଆଗାମୀ ଦିନରେ ନଘଟିବ ସେଥିପ୍ରତି ପ୍ରଶାସନ ସତର୍କ ରହି କାମ କରିବ । ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ସେବାୟତଙ୍କ ନିମନ୍ତେ ବୀମା ହେବ । ଚନ୍ଦନଯାତ୍ରା ବେଳେ ବାଣ ଫୁଟାଯିବ ନାହିଁ । କେବଳ ନିର୍ଦ୍ଧାରିତ ନୀତି ହେବ । ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ଚକଡ଼ା ନିକଟରେ ଆଶୁ ଚିକିତ୍ସା ଶିବିର ହେବ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ । ସେହିପରି ବୈଠକରେ ଗତ ଶିକ୍ଷା ବର୍ଷରେ ସେବକ ପରିବାରରୁ ୧୦ମ ପରୀକ୍ଷାରେ ଭଲ ନମ୍ବର ରଖିଥିବା କୃତି ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଛି । ସେହିପରି ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଛି । ସେବକ ପରିବାରର ଅନ୍ୟ କ୍ଷେତ୍ରରେ ପାରଦର୍ଶିତା ଦେଖାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ସେପଟେ ରଥଯାତ୍ରା ଭଳି ଚଳିତ ବର୍ଷ ଚନ୍ଦନଯାତ୍ରା(ଏପ୍ରିଲ ୩୦ ତାରିଖରୁ ମେ’ ୨୦ ତାରିଖ ପର୍ଯ୍ୟନ୍ତ) ନିମନ୍ତେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ନିମନ୍ତେ ହୋଇଥିବା ବୀମାରେ ମୃତାହତ ହେଲେ ୫ ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳିବାର ନେଇ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।