ଜଳେଶ୍ୱର, ୧୯/୦୪:ଅନଲାଇନ୍ ଗେମ୍ ଖେଳି ହାରିଲେ ୫ ଲକ୍ଷରୁ ଅଧିକ ଟଙ୍କା । ଟଙ୍କା ହରାଇବା ପରେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଯୁବକ ଜଣକ ହେଲେ ଜଳେଶ୍ୱର ଅଞ୍ଚଳର ତେଘରି ଗ୍ରାମର ସୌରଜିତ ରାୟ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଜଳେଶ୍ୱର ଅଞ୍ଚଳ ତେଘରି ଗ୍ରାମର ଜଣେ ଯୁବକ ଘରୋଇ ଟିଉସନ କରନ୍ତି । ପିଲାଙ୍କୁ ପାଠ ପଢାଇ ସେ ନିଜର ଗୁଜୁରାଣ ମେଣ୍ଟାନ୍ତି । ହେଲେ କୋଟିପତି ହେବା ନିଶାରେ ନିଜର ସର୍ବସ୍ୱାନ୍ତ ହରାଇ ବସିଛନ୍ତି ସୌରଜିତ ରାୟ । ଅନଲାଇନ୍ ଗେମ୍ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ଅନେକ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେଥିରେ ବିଫଳ ହେବା ପରେ ଶନିବାର ସକାଳୁ ଛୁରୀରେ ବାରମ୍ବାର ନିଜ ହାତ ଓ ବେକକୁ କାଟିଛନ୍ତି । ଏହା ଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ପରେ ତାଙ୍କୁ କଟକ ବଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।