ଢେଙ୍କାନାଳ,୧୧/୪ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଂଖିରା ଗ୍ରାମର ଅଙ୍ଗନୱାଡ଼ିକେନ୍ଦ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ଆଶା ଆଶଙ୍କାରେ ରହିଛନ୍ତି ଏହି ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁମାନେ କୀଟନାଶକ ଦାନାଦାର ଖାଇ ଦେଇଥିବା ଆଶଙ୍କା କରାଯାଇଛି । ଫଳରେ କେନ୍ଦ୍ରର ସମସ୍ତ ୬ଜଣ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଡାକ୍ତରଖାନାର ଶିଶୁୱାର୍ଡରେ ଶିଶୁମାନଙ୍କ ଚିକିତ୍ସା ଚାଲିଥିବାବେଳେ ସେମାନେ ବିପଦମୁକ୍ତ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏହି ଶିଶୁମାନଙ୍କ ମଧ୍ୟରେ ୨ଜଣ ବାଳକ ଓ ୪ଜଣ ବାଳିକା ଥିବା ଜଣାପଡିଛି । ସମସ୍ତଙ୍କ ବୟସ ୩ରୁ ୪ବର୍ଷ ବୋଲି ଜଣାପଡିଛି । ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମୋଟ ୬ଜଣ ଶିଶୁ ଥିଲେ । ସମସ୍ତ ଶିଶୁ ସ୍ଥାନୀୟ ଜଂଖିରା ଗ୍ରାମର। ତେବେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ମୂଷାମାନେ ଉତ୍ପାତ କରୁଥିବାରୁ ମୂଷା ମାରିବା ପାଇଁ କେନ୍ଦ୍ରର ଅଙ୍ଗନୱାଡ଼ି ଦିଦି ଉର୍ମିଳା ବେହେରା ଦାନାଦାର ତାଙ୍କ ବ୍ୟାଗରେ ରଖିଥିଲେ।
ମାତ୍ର କେନ୍ଦ୍ରରେ ପଢ଼ୁଥିବା ତାଙ୍କ ଝିଆରୀ ବ୍ୟାଗରୁ ଏହି ଦାନାଦାର ପ୍ୟାକେଟ ବାହାର କରି ଅନ୍ୟ ଶିଶୁଙ୍କ ସହିତ ପାଟିରେ ଛିଣ୍ଡାଇ ପକାଇଥିବା ଦେଖାଯାଇଥିଲା । ଫଳରେ ଶିଶୁମାନଙ୍କୁ କୌଣସି ଅଘଟଣ ଆଶଙ୍କାରେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସୌଭାଗ୍ୟ ବଶତଃ ସମସ୍ତ ଶିଶୁ ସୁରକ୍ଷିତ ଓ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାକୁ ନେଇ କେହି ପାଟି ଖୋଲୁନଥିଲେ ମଧ୍ୟ ଶିଶୁମାନଙ୍କ ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଥିବା ଜଣାପଡିଛି ।