କାନାଡ଼ା ଚାହେଁ ଭାରତ ଭଳି ଏକ ବିଶାଳ ଦେଶରେ ନିଜର ଆର୍ଥିକ ପ୍ରୋଫାଇଲକୁ ବହୁମୁଖୀ କରିବାପାଇଁ ଓ ଭାରତ ଚାହେଁ କାନାଡ଼ା ସହିତ ନିଜର ବାଣିଜ୍ୟ ସ୍ଥିତିକୁ ବୃଦ୍ଧି କରିବା ପାଇଁ । ଏହା ଏକ ଇଣ୍ଡିପେଣ୍ଡେଣ୍ଟ ରିସର୍ଚ୍ଚ ଫାଉଣ୍ଡେସନର ଆକଳନ । ଏହା ନିର୍ଭର କରେ, କେବେ ଶୀଘ୍ର ଉଭୟ ଦେଶ ନିଜ ନିଜର କୂଟନୀତିଜ୍ଞ ଓ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି ।
ଦେଶ-ଦେଶ ମଧ୍ୟରେ ସଂପର୍କର କେବେ ଜୁଆର ତ କେବେ ଭଟ୍ଟା । ନେତୃତ୍ୱ ପରିବର୍ତ୍ତନ ହେଲେ ସଂପର୍କର ବି ପରିବର୍ତ୍ତନ ହୁଏ । କାଳେ କାଳେ ଘଟିଚାଲିଛି ଏଇ କଥା । ଗତ ମାସ କାନାଡ଼ାରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ମାର୍କ କାର୍ଣ୍ଣେ । ସେ ଲିବେରାଲ ପାର୍ଟିର ନେତା । ତାଙ୍କ ପୂର୍ବରୁ ଦୀର୍ଘ ୯ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିଲେ ଜଷ୍ଟିନ ଟ୍ରୁଡୋ । ତାଙ୍କ ସମୟରେ ଆମ ଦେଶ ସହିତ କାନାଡ଼ାର ସଂପର୍କ ଐତିହାସିକ ନିମ୍ନ ସ୍ତରକୁ ଖସି ଆସିଥିଲା । ଏହାର କାରଣ ଥିଲା ଟ୍ରୁଡୋଙ୍କର ବିଚ୍ଛିନ୍ନତାବାଦୀ ଖଲିସ୍ତାନ ନେତାଙ୍କ ସହିତ ତାଙ୍କର ମଧୁର ସଂପର୍କ । କାନାଡ଼ାରେ ବସବାସ କରୁଛନ୍ତି ୮ଲକ୍ଷରୁ ଅଧିକ ଶିଖ୍ ସଂପ୍ରଦାୟର ଲୋକ, ପାଖାପାଖି ଲୋକସଂଖ୍ୟାର ଦୁଇ ପ୍ରତିଶତ । ତେଣୁ ରାଜନୀତିରେ ସେମାନଙ୍କର ସକ୍ରିୟ ସହଯୋଗ ଓ ବିଶାଳ ଭୋଟ ବ୍ୟାଙ୍କ । ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଖଲିସ୍ତାନୀ ନେତା । ସେମାନେ ସେଠାରେ ଭାରତ ବିରୁଦ୍ଧରେ ସବୁବେଳେ ବିଷ ଉଦ୍ଗାର କରିଚାଲିଛନ୍ତି ଓ ପଞ୍ଜାବକୁ ଭାଗ ଭାଗ କରିବାକୁ ଲାଗିପଡ଼ିଛନ୍ତି ଖଲିସ୍ତାନ ସୃଷ୍ଟି କରିବା ପାଇଁ ।
୨୦୨୩ ମସିହାରେ ଖଲିସ୍ତାନୀ ନେତା ହରଦୀପ ସିଂ ନିହାର ଯେ କି ଜଣେ କାନାଡ଼ାର ବି ନାଗରିକର ହତ୍ୟାକାଣ୍ଡ ଘଟିଥିଲା ଭେଙ୍କୋଭର ନିକଟବର୍ତ୍ତୀ ସ୍ଥାନରେ । ଜଷ୍ଟିନ ଟ୍ରୁଡୋ ଖୋଲାଖୋଲି ଭାବେ ଭାରତ ସରକାରକୁ ଦାୟୀ କରିଥିଲେ ଏହି ହତ୍ୟାକାଣ୍ଡ ପାଇଁ । ଆମ ଦେଶ ଏଥିରେ କ୍ରୋଧିତ ହୋଇ ଆଦୌ ସଂପୃକ୍ତ ନୁହଁ ବୋଲି ଓ ଏଭଳି ଦୋଷାରୋପ ଭିତ୍ତିହୀନ ବୋଲି ଦର୍ଶାଇଥିଲା । ଏହି ଘଟଣା ଯୋଗୁଁ କାନାଡ଼ା ସେଠାରେ ଅବସ୍ଥାପିତ ଆମ ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା । ଆମ ଦେଶ ପ୍ରତିବଦଳରେ ଦିଲ୍ଲୀରେ ଅବସ୍ଥାପିତ ତାଙ୍କ ଦେଶର ରାଷ୍ଟ୍ରଦୂତଙ୍କୁ ମଧ୍ୟ ବହିଷ୍କାର କରିଥିଲା । ଉଭୟ ଦେଶର ସଂପର୍କ ଖସି ଯାଇଥିଲା ନିମ୍ନତମ ସ୍ତରକୁ । ଏଭଳି ଆରୋପର କୌଣସି ଠୋସ୍ ପ୍ରମାଣ ପାଇପାରିନଥିଲା କାନାଡ଼ାର ଗୁଇନ୍ଦା ବିଭାଗ ଅନେକ ଅନୁସନ୍ଧାନ କରିବା ପରେ ବି ।
ସେହିପରି ୨୦୧୮ରେ ଆମ ଦେଶ ପରିଦର୍ଶନରେ ଆସିଥିବା ଟ୍ରୁଡୋ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀ ଜସ୍ପାଲ ଅଟୱାଲ ସହିତ ଫଟୋ ଉଠାଇବା ପରେ ଟ୍ରୁଡୋ ଯେ ଖଲିସ୍ତାନୀ ସମର୍ଥକଙ୍କୁ ଭୋଟ ବ୍ୟାଙ୍କ ପଲିଟିକ୍ସ ପାଇଁ ଖୋଲାଖୋଲି ସମର୍ଥନ କରୁଛନ୍ତି, ଏପରି ସମାଲୋଚନାର ଶିକାର ହୋଇଥିଲେ । ତାହା ହେଲା ତାଙ୍କର ଆମ ଦେଶକୁ ପ୍ରଥମ ଷ୍ଟେଟ୍ ଭିଜିଟ୍ । ଜସପାଲ ଜଣେ ପଞ୍ଜାବର ମନ୍ତ୍ରୀଙ୍କୁ ହତ୍ୟାକରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ୨୦ବର୍ଷ ଜେଲଦଣ୍ଡ ପାଇଥିଲା । ଏବେ ମାର୍କ କାର୍ଣ୍ଣେ ପ୍ରଧାନମନ୍ତ୍ରୀ ହେବାପରେ ଆମ ଦେଶ ସହିତ କାନାଡ଼ାର ସଂପର୍କରେ ନୂତନ ଦିଗ୍ବଳୟ ସୃଷ୍ଟି ହୋଇଛି । ତାଙ୍କୁ ସମସ୍ତେ ଦର୍ଶାଉଛନ୍ତି ସେ ଜଣେ ଅଭିଜ୍ଞ ଓ ତାଙ୍କର ଟେକ୍ନୋକ୍ରାଟିକ ଭିଜିଅନ ଅଛି ବିଶ୍ୱର ସବୁ ରାଷ୍ଟ୍ର ସହିତ ସୁସଂପର୍କ ସ୍ଥାପନ କରିବା ପାଇଁ । ତେବେ ଟ୍ରୁଡୋ ୯ବର୍ଷ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କର ଲୋକପ୍ରିୟତା ଏବେ ତଳକୁ ଖସି ୧୫ ପ୍ରତିଶତ ହେଇଗଲା କାହିଁ
କି? ତାଙ୍କ ଅମଳରେ ମୁଦ୍ରାସ୍ଫୀତି ବଢ଼ିଚାଲିଲା, ହାଉସିଂ ସଂକଟ ଆରମ୍ଭ ହୋଇଗଲା, ଅନୁପ୍ରବେଶକାରୀଙ୍କ ପ୍ରତି ଟ୍ରୁଡୋଙ୍କର କୋହଳ ନୀତି ଯୋଗୁଁ ସେମାନଙ୍କ ସଂଖ୍ୟା ବଢ଼ି ଚାଲିଲା । ଯେବେ ଟ୍ରମ୍ପ୍ଙ୍କୁ ସେ ଦେଖାକରିବା ପାଇଁ ଯାଇଥିଲେ ସେ ରାଷ୍ଟ୍ରପତି ହେବା ପରେ, ସେ କହିଥିଲେ ଆମେରିକାର ଆମ ଦେଶ ପ୍ରତି ଅଧିକ ଟାରିଫ୍ ଘୋଷଣା ଆମ ଦେଶ ଲୋକଙ୍କୁ ଖୁବ୍ ବାଧୁଛି । ଟ୍ରମ୍ପ ସଙ୍ଗେ ସଙ୍କେ କହିଥିଲେ- ତାହେଲେ ଆମେରିକା ସହିତ କାନାଡ଼ାକୁ ମିଶ୍ରଣ କରିଦିଅ ଆମେରିକାର ୫୧ ରାଜ୍ୟ ଭାବରେ ଓ ସବୁ ଦ୍ରବ୍ୟ ଶସ୍ତାରେ ପାଅ ଟାରିଫ୍ ନଦେଇ । ସେ କ୍ଷୁବ୍ଧ ହୋଇ ଉଠିଆସିଥିଲେ । ଆମେରିକା-କାନାଡ଼ା ସୀମାରେ ଥିବା ଆମେରିକୀୟ ରାଜ୍ୟଗୁଡ଼ିକରେ ଏଥର ଟ୍ରମ୍ପ ଅଧିକ ଭୋଟ ପାଇଛନ୍ତି । ଏବେ ଅନୌପଚାରିକ କଥାବାର୍ତ୍ତା ଚାଲିଛି ଭାରତ ଓ କାନାଡ଼ା ଦୁଇ ଦେଶର କୂଟନୀତିଜ୍ଞ ଓ ବିଶେଷଜ୍ଞଙ୍କ ମଧ୍ୟରେ ଯେ, ଦୁଇ ଦେଶ ମଧ୍ୟରେ ଥିବା ବିତର୍କିତ ଇସ୍ୟୁଗୁଡ଼ିକୁ ଅଣଦେଖା କରି କିପରି ଦୃଷ୍ଟିନିବଦ୍ଧ କରାଯାଇପାରିବ ଦ୍ୱିପାକ୍ଷିକ ସ୍ୱାର୍ଥନିବଦ୍ଧ କ୍ଷେତ୍ରଗୁଡ଼ିକ ଉପରେ, ଯେପରିକି ବାଣିଜ୍ୟ ବ୍ୟବସାୟ, ଆର୍ଥିକ ସହଯୋଗ, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଟେକ୍ନୋଲୋଜି ଟ୍ରାନ୍ସଫର ଇତ୍ୟାଦି ।
ଦୁଇ ଦେଶକୁ ନିକଟବର୍ତ୍ତୀ କରିବା କ୍ଷେତ୍ରରେ ଆମେରିକା କାନାଡ଼ା ଓ ଭାରତ ପ୍ରତି ଅହେତୁକ ଟାରିଫ ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ନିଶ୍ଚୟ । କାନାଡ଼ାର ଜଣେ କୂଟନୀତିଜ୍ଞ କହିଛନ୍ତି, କାନାଡ଼ା ଆଉ ଆମେରିକା ଉପରେ ସେତେ ନିର୍ଭରଶୀଳ ହେବାକୁ ଚାହୁଁନାହିଁ । ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଚାହୁଁଛି । ଏବର୍ଷ ଶେଷ ଆଡ଼କୁ ଅଛି କାନାଡ଼ାର ପାର୍ଲାମେଣ୍ଟ ନିର୍ବାଚନ । ସେଥିପାଇଁ କାର୍ଣ୍ଣେ ଭାରତ ସହିତ ସଂପର୍କ ସୁଧାରିବାକୁ ଚାହୁଁଛନ୍ତି । ପୁଣି ଏଇବର୍ଷ ଜୁନ୍ରେ କାନାଡ଼ା ଆୟୋଜନ କରୁଛି ଜି-୭ ରାଷ୍ଟ୍ରଗୁଡ଼ିକର ସମ୍ମିଳନୀ । ଚୀନ ସହିତ କାନାଡ଼ାର ସଂପର୍କର ତିକ୍ତତା ଓ ଆମେରିକାର ଅତ୍ୟଧିକ ଟାରିଫ ଘୋଷଣା ମଧ୍ୟ ଏକ କାରଣ ଭାରତ-କାନାଡ଼ା ସଂପର୍କର ସୁଧାର ଆଣିବାରେ । ତେବେ ମାର୍କ କାର୍ଣ୍ଣେ କିଏ ଓ କାହିଁକି ତାଙ୍କ ଉପରେ ଏତେ ଭରସା ସୃଷ୍ଟି ହୋଇଛି କାନାଡ଼ା ଅଧିବାସୀଙ୍କର! ତେବେ କାନାଡ଼ାର ଆମେରିକା ସହିତ ସଂପର୍କର ଭିତ୍ତିଭୂମି ଥିଲା କାନାଡ଼ାର ଅର୍ଥବ୍ୟବସ୍ଥାର ଉନ୍ନତି ଘଟାଇବା ଓ ମିଲିଟାରୀ ସହଯୋଗ ।
ଏବେ ଏଇ ଦୁଇଟି ଦିଗର ସମ୍ଭାବନା ଆଉ ନାହିଁ । କାର୍ଣ୍ଣେ ଅକ୍ସଫୋର୍ଡ ଓ ହାରଭାର୍ଡରେ ଅଧ୍ୟୟନ କରିଛନ୍ତି । ଜଣେ ଅର୍ଥନୀତିଜ୍ଞ ଭାବେ ଗୋଲ୍ଡ ମେନ୍ ସାକ୍ କଂପାନୀରେ ଦୀର୍ଘ ୧୩ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଲଣ୍ଡନ, ଟୋକିଓ, ନ୍ୟୁୟର୍କ, ଟରଣ୍ଟୋ ଆଦି ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ଅଭିଜ୍ଞତା ଅର୍ଜନ କରିଛନ୍ତି । ଅଳ୍ପଦିନ ତଳେ ସେ ବ୍ରୁକ୍ ଫିଲ୍ଡ ଆସେଟ୍ ମ୍ୟାନେଜମେଣ୍ଟ ସହିତ ଜଡ଼ିତ ହେବା ଯୋଗୁଁ ଯେଉଁ ଭୂମିକା ନିର୍ବାହ କରୁଥିଲେ ତାହା ବିରୋଧୀ ଦଳଙ୍କ ଯାଞ୍ଚକୁ ଆସିଥିଲା, ଯେବେ ସେହି ଅନୁଷ୍ଠାନ ନିଜର ବେସ୍କୁ ଟରଣ୍ଟୋରୁ ନ୍ୟୁୟର୍କକୁ ଉଠାଇ ଆଣିଥିଲା । ମାର୍କ କାର୍ଣ୍ଣେ ନିଜର ସଂପତ୍ତି ତାଲିକା କାନାଡ଼ା ସରକାରଙ୍କ ପାଖରେ ପ୍ରକାଶ କରିନଥିଲେ ଓ ଉଲ୍ଲେଖ କରିଥିଲେ ଏହାକୁ ଏକ ବ୍ଲାଇଣ୍ଡ ଟ୍ରଷ୍ଟ ପରିଚାଳନା କରୁଛି ।
୨୦୧୯ରୁ ମିଳିତ ଜାତିସଂଘର କ୍ଲାଇମେଟ୍ ଆକ୍ସନ ଆଣ୍ଡ ଫାଇନାନ୍ସର ସ୍ପେଶାଲ ଏନଭୟ ଭାବରେ ତାଙ୍କର ନିଯୁକ୍ତିକୁ ଆଡ଼େଇ ଦେଇ ଗ୍ଲାସଗୋ ଫାଇନାନ୍ସିଆଲ ଆଲାଏନ୍ସ ଫର୍ ନେଟ୍ ଜିରୋକୁ ସେ ଲଞ୍ଚ୍ କରିଥିଲେ ୨୦୨୧ ମସିହାରେ ଏବଂ ଆହ୍ୱାନ କରିଥିଲେ ପ୍ରାଇଭେଟ ସେକ୍ଟରଗୁଡ଼ିକ କ୍ଲାଇମେଟ୍ ଫ୍ରେଣ୍ଡଲି ଟେକନୋଲଜି ପାଇଁ ଅଧିକ ଅର୍ଥ ବିନିଯୋଗ କରନ୍ତୁ । ସେ କାନାଡ଼ା ସମେତ ଇଂଲଣ୍ଡ ଓ ଆୟରଲାଣ୍ଡର ନାଗରିକତ୍ୱ ଗ୍ରହଣ କରିଛନ୍ତି ।
ସେ କେବଳ କାନାଡ଼ାର ନାଗରିକ ହୋଇ ରହିବେ ଓ ଅନ୍ୟଗୁଡ଼ିକୁ ପରିତ୍ୟାଗ କରିବାକୁ ଘୋଷଣା କରିଛନ୍ତି । ୨୦୦୮ରେ ଯେତେବେଳେ କାନାଡ଼ାର ଅର୍ଥନୈତିକ ସଂକଟ ଆରମ୍ଭ ହୋଇଯାଇଥିଲା ସେତେବେଳେ ସେ ବ୍ୟାଙ୍କ ଅଫ୍ କାନାଡ଼ାର ଗଭର୍ଣ୍ଣର ଥିଲେ ଓ ଏହି ସଂକଟରୁ ଦେଶକୁ ଉଦ୍ଧାର କରିବାର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହା ତାଙ୍କୁ ସମ୍ମାନର ଶୀର୍ଷ ଦେଶରେ ପହଞ୍ଚାଇ ଦେଇଥିଲା । ୨୦୧୩ରେ ସେ ଇଂଲଣ୍ଡର ନାଗରିକ ନଥାଇ ବି ବ୍ୟାଙ୍କ ଅଫ୍ ଇଂଲଣ୍ଡର ମୁଖ୍ୟଭାବେ ଅବସ୍ଥାପିତ ହୋଇଥିଲେ ଓ ପରେ ପରେ ଯେବେ ଇଂଲଣ୍ଡ ୟୁରୋପୀୟ ୟୁନିଅନରୁ ନିଜକୁ ପୃଥକ୍ କରିନେଲା, ଯାହାକୁ କୁହାଯାଏ ବ୍ରେକ୍ଜିଟ୍, ସେ ସେତେବେଳେ ଆର୍ଥିକ ସ୍ଥିତି ଓ ଇଂଲଣ୍ଡର ଭବିଷ୍ୟତକୁ ନେଇ ପରିଚାଳନା କରିବାର ଦାୟିତ୍ୱ ନିର୍ବାହ କରିଥିଲେ ।
ଏହା ଥିଲା ୨୦୨୦ ମସିହାର ଘଟଣା । ଗୋଟିଏ ବିତର୍କରେ ଅଂଶଗ୍ରହଣ କରି ସେ ସ୍ପଷ୍ଟଭାବରେ କହିଥିଲେ ଯେକୌଣସି ସଙ୍କଟକୁ ଟାଳିଦବାର ଦକ୍ଷତା ତାଙ୍କର ଅବଶ୍ୟ ଅଛି । ତେବେ ତାଙ୍କର କାନାଡ଼ାକୁ ନେଇ ଯେଉଁ ଭିଜିଅନ ଅଛି ତାହା ହେଲା- ସରକାରୀ ଖର୍ଚ୍ଚକୁ ସୀମିତ କରିବା, ଅନୁପ୍ରବେଶକାରୀଙ୍କ ସଂଖ୍ୟା ଉପରେ ଏକ କଟକଣା ଲଗାଇବା, ଗୃହ ନିର୍ମାଣକୁ ତ୍ୱରାନ୍ୱିତ କରିବା, ଆମେରିକାର ଟାରିଫ ବାବଦରେ ଆଲୋଚନା ମାଧ୍ୟମରେ ସୁଧାର ଆଣିବା ଓ ଆମେରିକା ସହିତ ସଂପର୍କକୁ ସଜାଡ଼ିବା, ତା’ ସହିତ ଭାରତ ସହିତ ବିଗିଡ଼ି ଯାଇଥିବା ସଂପର୍କକୁ ସୁଧାରିବା । ଆମ ଦେଶ ସହିତ ସଂପର୍କର ସୁଧାର ଆଣିବାକୁ ଯେ ସେ ଅଗ୍ରାଧିକାର ଦେବେ ଖଲିସ୍ତାନୀଙ୍କ କବଳରୁ ଦେଶକୁ ମୁକ୍ତ କରି, ଏହା ଆଶା କରାଯାଉଛି ।
ସେ ଜଣେ ସ୍କୁଲ ପ୍ରିନ୍ସିପାଲଙ୍କ ସନ୍ତାନ । ଟ୍ରୁଡୋଙ୍କ ବାପା ଥିଲେ କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ । କାର୍ଣ୍ଣେ ଜଣେ ସାଧାରଣ ବର୍ଗର ମଣିଷ । ସେ ନିଜ ସରକାରକୁ ପୂର୍ବତନ ସରକାରଙ୍କ ଛାୟାରୁ ମୁକ୍ତ କରିବାକୁ ଚାହାଁନ୍ତି । ଏହା ତାଙ୍କର କାର୍ବନ ଟ୍ୟାକ୍ସକୁ ହଟାଇବା ଭଳି ପ୍ରଥମ ପଦକ୍ଷେପରୁ ସୂଚିତ ହୋଇଛି । ଏହି କାର୍ବନ ଟ୍ୟାକ୍ସ ଥିଲା ଟ୍ରୁଡୋଙ୍କ ମୁଖ୍ୟ ପଲିସି । କାନାଡ଼ା ଚାହେଁ ଭାରତ ଭଳି ଏକ ବିଶାଳ ଦେଶରେ ନିଜର ଆର୍ଥିକ ପ୍ରୋଫାଇଲକୁ ବହୁମୁଖୀ କରିବାପାଇଁ ଓ ଭାରତ ଚାହେଁ କାନାଡ଼ା ସହିତ ନିଜର ବାଣିଜ୍ୟ ସ୍ଥିତିକୁ ବୃଦ୍ଧି କରିବା ପାଇଁ । ଏହା ଏକ ଇଣ୍ଡିପେଣ୍ଡେଣ୍ଟ ରିସର୍ଚ୍ଚ ଫାଉଣ୍ଡେସନର ଆକଳନ ।
ଏହା ନିର୍ଭର କରେ, କେବେ ଶୀଘ୍ର ଉଭୟ ଦେଶ ନିଜ ନିଜର କୂଟନୀତିଜ୍ଞ ଓ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ତେବେ କିଏ ନମ୍ରତା ପ୍ରଦର୍ଶନ କରି ପ୍ରଥମେ ଏ ପଦକ୍ଷେପ ନେବ ତାହାକୁ ଅପେକ୍ଷା ସମସ୍ତଙ୍କର । ତେବେ ଦୁଇ ଦେଶ ମଧ୍ୟରେ ଟ୍ରୁଡୋ ସଂପର୍କ ବିଗାଡ଼ି ଦେଇଥିବା କାରଣରୁ ଯେଉଁ ଦେଶର ହେଉ ପଛେ, ସାମାନ୍ୟତମ ସଂପର୍କ ସୁଧାରିବାର ପ୍ରଥମ ପଦକ୍ଷେପ ହିଁ ଆଶାବ୍ୟଞ୍ଜକ, ପ୍ରଶଂସନୀୟ ଓ ଗଠନମୂଳକ ଭାବେ ଗ୍ରହଣୀୟ ହେବ । କିନ୍ତୁ ମାର୍କ କାର୍ଣ୍ଣେଙ୍କ ରାଜନୀତି ପରିଚାଳନାର ଅଭିଜ୍ଞତା ନାହିଁ । ଇକନମିକ୍ ଥିଙ୍କର, ଟେକ୍ନୋକ୍ରାଟ୍, ପଲିସି ଏକ୍ସପର୍ଟ ଭାବେ ସୁଖ୍ୟାତି ଅର୍ଜନ କରିଥିବା ଜଣେ ବ୍ୟକ୍ତିଙ୍କ ପରୀକ୍ଷା ଆରମ୍ଭ ହେବ, ଯେବେ ସେ ଆସନ୍ତା ନିର୍ବାଚନରେ ଓଟାୱାରୁ ନିର୍ବାଚିତ ହେବେ । ସେ ଭୋଟରଙ୍କୁ ପ୍ରଭାବିତ କରିପାରିବେ କି ଜଣେ ଲିବେରାଲ ଏଲାଇଟ୍ ବା ଉଦାର ଭାବନାସଂପନ୍ନ ଅଭିଜାତ ବର୍ଗର ବ୍ୟକ୍ତି ଭାବରେ ରହିଯିବେ, ତାହା ସମୟ କହିବ।