ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ମୁଁ ଠିକ୍‌ କହୁଛି ନା ଶଇଳ?

Published By : Prameya | May 5, 2025 2:25 PM

ଛୁଆବେଳେ ନିଜ ଖେଳନାକୁ ନେଇ ପିଲାଏ ଗର୍ବ କରନ୍ତି । କୈଶୋରରେ ବାପାମାଆଙ୍କ ଉଚ୍ଚପଦସ୍ଥ ଚାକିରିକୁ ନେଇ ଗର୍ବ ଆସେ । ଯୁବାବେଳେ ନିଜ ଉପାର୍ଜକୁ୍‌ ନେଇ ଅହଂ ଜନ୍ମେ । ମଧ୍ୟବୟସରେ ଘରଦୁଆର, ସଂପତ୍ତିକୁ ନେଇ । ବାର୍ଦ୍ଧକ୍ୟରେ ପିଲାଛୁଆଙ୍କ ପ୍ରତିଷ୍ଠା ଓ ସମ୍ମାନ ସକାଶେ ବଡ଼ିମା ଦେଖାଦିଏ । ପୁଅ କୋଡ଼ିଏ ବର୍ଷ ହେବାଯାଏଁ ବାପାର ଚିନ୍ତା ନଥାଏ ତା'ର ସଫଳତା ସକାଶେ । କୋଡ଼ିଏ ଟପିବା ପରେ ସବୁ ବାପାମା'ଙ୍କ ପରି ବଶିଷ୍ଠ ମିଶ୍ରଙ୍କର ବ୍ୟଗ୍ରତା ଜାଗିଲା "ପୁଅ ଏମିତି ଚାକିରିଟିଏ କରୁ ଯେମିତି ତା'ପାଇଁ ମୋ ମନରେ ଗର୍ବ ଜନ୍ମିବ । ତା' ପରିଚୟରେ ମୁଁ ବାଟ ଚାଲିବି । ଅନାୟାସରେ ପ୍ରକାଶ କରିପାରିବି ମୋ ପୁଅ ଡାକ୍ତର ବା ପ୍ରଫେସର । ଖାଲି ଚାକିରି ନୁହଁ, ଅନ୍ୟ ଯେଉଁ କ୍ଷେତ୍ରରେ ହେଉପଛେ ପ୍ରସିଦ୍ଧି ପାଉ! ପୁଅର ଖ୍ୟାତି ଏତେ ଆନନ୍ଦ ଦିଏ ସତେ ! ଅନୁଭବ କଲାପରେ ବଶିଷ୍ଠ ମିଶ୍ର ଭାବବିହ୍ୱଳ ହେଇଗଲେ । ତେତିଶ ବର୍ଷ ଚାରି ମାସର ଚାକିରି ସରିବା ପରେ ସେ ଦିନେ ଖରାବେଳେ ବସି ଚିନ୍ତା କରୁଥାଆନ୍ତି- ଭାବନା ଓ ବାସ୍ତବତା ଭିତରେ ଆକାଶ ପାତାଳ ତଫାତ୍‌ । 

ଅବସର ସମୟ କେମିତି କଟିବ ସେ ଚିନ୍ତା । ଘର ଖଣ୍ଡେ ହେଇନାହିଁ, ସାନଝିଅ ବାହା ହେଇନାହିଁ । ସବୁ ଚିନ୍ତା ଭିତରେ ପୁଅର ଅସଫଳତାକୁ ନେଇ ଚିନ୍ତା । ସେ ତେଣୁ କହିଲେ, ବାବାରେ ମୋ ରୋଜଗାର କମିଗଲା । ଏଥର ତୁ କ'ଣ ଗୋଟେ କର । ଚାକିରି ପଛରେ ଆଉ ଗୋଡ଼ାନା । ଟିଉସନ କରି କେତେଦିନ ଚଳିବୁ? ବୋହୂଟେ ଯୋଉଠୁ ଆଣିବା କ'ଣ କହିବା- ଘର ଘର ବୁଲି ଟିଉସନ କରୁଛି ପୁଅ । ମୋତେ ବଡ଼ ଲାଜ ଲାଗିଲାଣି । ସହକର୍ମୀମାନେ ସେମାନଙ୍କ ପୁଅ ଝିଅର ପରାକାଷ୍ଠାକୁ ନେଇ ଗର୍ବ କରୁଛନ୍ତି । କାହା ପୁଅ ବ୍ୟାଙ୍କ ଅଫିସର ତ, କାହାର ଓଏଏସ୍‌ ଅଫିସର । ଆମ ପିଅନ ପୁଅ ଆଇ.ଆଇ.ଟି ସାରି ଏବେ ପ୍ରଫେସର । ପ୍ରକୃତରେ ବାପାମାନେ ପିଲାଙ୍କ କୀର୍ତ୍ତିରେ ସତେ କେତେ ତୃପ୍ତ! ଆଜିକାଲି ପୁଅ ବଶିଷ୍ଠଙ୍କ ପାଖରେ ବେଶି ଛିଡ଼ା ହେଉନାହିଁ । ମୁହଁକୁ ମୁହଁ ପଡ଼ିଗଲେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଅନ୍ୟତ୍ର ଚାଲିଯାଉଛି । ଅଫିସରେ ଗର୍ବ କରିବା ପାଇଁ ତାଙ୍କ ପାଖରେ ପିଲାମାନଙ୍କର ଉଚ୍ଚ ପଦପଦବି ନଥିଲା । ଅବସର ପରେ ସେ ସୁଖ ବି ମିଳିନାହିଁ । ଆଜିକାଲି ବନ୍ଧୁ ପରିଜନ, ପଡ଼ୋଶୀଙ୍କ ପାଖରେ ନ୍ୟୁନ ହେବାକୁ ପଡୁଛି । 

ସାରାଜୀବନ ସତ୍ୟତା, ସାଧୁତା, ଅମାୟିକତାକୁ ନେଇ ସେ ଚଳିଛନ୍ତି । ପିଲାଙ୍କୁ ଗୁଣ୍ଡା, ବଦମାସ, ଅସାମାଜିକ କରିନାହାନ୍ତି । ଶିକ୍ଷା ଦେଇଛନ୍ତି । ସଂସ୍କାର ଦେଇଛନ୍ତି । ହେଲେ ଭାଗ୍ୟ ଦୋଷରୁ କେହି ଉଚ୍ଚାସନକୁ ଚଢ଼ିପାରିନାହାନ୍ତି । କ'ଣ କରିବେ? ଯେଉଁଠି ମଣିଷ ହାର୍‌ ମାନେ ସେଠି ଭାଗ୍ୟକୁ ଦୋଷ ଦିଏ । ଯୋଉଠି ଅସହାୟ ହୋଇଯାଏ ସେଠି ପରିସ୍ଥିତିକୁ ଆକ୍ଷେପ କରେ । ଯୋଉ ପ୍ରତିଦ୍ୱନ୍ଦିତାରେ ଅସଫଳ ହୁଏ ସେଠି ବ୍ୟବସ୍ଥାକୁ ବା ପ୍ରତିଯୋଗିତାର ପ୍ରଣାଳୀକୁ ସମାଲୋଚନା କରେ । ବଶିଷ୍ଠ ମିଶ୍ର ସେମିତି ଭାଗ୍ୟକୁ ନିନ୍ଦୁଥିଲେ । ସେଥର ନୂଆବର୍ଷରେ ସ୍କୁଲ ସାଥୀମାନେ ଏକାଠି ହେବାର ଯୋଜନାଟିଏ କଲେ । ଖୋଜିଖୋଜି ଅଠେଇଶ ଜଣ ପୁରାତନ ସାଙ୍ଗମାନଙ୍କୁ ଜଣେଇ ଭୋଜିଟିଏ ଆୟୋଜନ କଲେ ଧଉଳି ପାଖରେ । ପୁରୁଣା ଦିନକୁ ମନେପକେଇ କିଏ କ'ଣ ଗାଇ ଯାଉଥାଏ । 

ଆଲୋଚନା ଭିତରେ ଅନ୍ତର୍ନିହିତ ଥାଏ ନିଜର ପାରଦର୍ଶିତା, ଅନ୍ୟର ଅପାରଗତା, ଅଧାବୁଢ଼ୀ ସହପାଠିନୀମାନଙ୍କର ଚେହେରା, ସନ୍ତାନସନ୍ତତିଙ୍କ କରାମତି ଇତ୍ୟାଦି । କଥା ମଝିରେ ଜଣେ ଅନ୍ୟ ଜଣଙ୍କୁ ପଚାରିଲା- ଭାଇ ତମ ପିଲାଝିଲା କେତେଟା? ସେମାନେ କ'ଣ କରୁଛନ୍ତି? ଉତ୍ତର ଆସିଲା- ବଡ଼ପୁଅ ଆଇ.ଏ.ଏସ୍‌ ଅଫିସର । ମୋର ଚାରିଟି ଛୁଆ- ତିନି ପୁଅ, ଗୋଟିଏ ଝିଅ । ଜୋଇଁ ଚିଫ୍‌ ଇଞ୍ଜିନିୟର । ସେତକ କହି ସେ ନିରବି ଆସିଲାବେଳକୁ ଭୀମ ମୁଦୁଲି ଅଶୋକ ପୁହାଣକୁ ହାତରେ ହଲେଇ ଦେଇ ପଚାରିଲା, ତମ ଝିଅ ପରା ଆଡିସନାଲ ଜଜ୍‌ ଅଛି? ସେ ଓ.ଜେ.ଏସ୍‌. ପାଇଲା ପରେ ଆରତୀ ଦେଖା ହେଇଥିଲା । ସେ କହୁଥିଲା । ଅନ୍ୟ ଜଣେ ସାଙ୍ଗ ପ୍ରଶ୍ନ କଲା । ଆଉ ଦି’ଟା ଝିଅ । ମୋର ପୁଅ ନାହିଁ । ମଝିଆ ବାହା ହେଇଯାଇଛି । ସାନଝିଅ ସ୍କୁଲ ମାଷ୍ଟ୍ରାଣୀ । ସାହିତ୍ୟ ପଢ଼ାଏ । ଆରତୀ କଥା ଜାଣିନଥିବ । ଅକାଳରେ ସେ ମରିଗଲା । ତା'ର ଦି'ପୁଅ । ବଡ଼ଟା ସିନେମାରେ ହୀରୋ ହେଉଛି । ଚାରି ପାଞ୍ଚଟା ଫିଲ୍ମ କଲାଣି । 

ପ୍ରତ୍ୟେକେ ପିଲାଛୁଆଙ୍କର ପାରଙ୍ଗମତା ଉପରେ ପ୍ରଫୁଲ୍ଲିତ ହେଇଉଠୁଥାଆନ୍ତି । ବଶିଷ୍ଠ ମିଶ୍ରର ମୁହଁଟା କଳା ପଡ଼ିଆସୁଥାଏ । ସେ ନିରବରେ ଉଠିଗଲା ଅଦୂରକୁ । ଆଠଦଶ ପାଦ ଯାଇଛି କି ନାହିଁ "ଶଇଳ' ଡାକିଲା- କୁଆଡ଼େ ଯାଉଛୁ ବଟୁ? ବସୁନୁ । ବଶିଷ୍ଠକୁ "ବଟୁ' ଡାକେ ଶଇଳ । ତା' ନାତୁଣୀ ସହିତ ଆସିଥିଲା ଗେଟ୍‌ ଟୁଗେଦରରେ ଯୋଗ ଦେବାକୁ । ବଟୁ ଫେରିଆସି ବସିପଡ଼ିଲା । ଶଇଳର ସମ୍ବୋଧନକୁ ଏଡ଼ିବା ତା'ପାଇଁ ଅସମ୍ଭବ । ଆଖିରେ ଆଖି ମିଶାଇ ପଚାରିଲା, କ'ଣ କହ । ଶଇଳ ସଲ୍ଲଜ କଣ୍ଠରେ କହିଲା, କହ ତୋର କେତୋଟି ପିଲା? ଛୁଆମାନେ କ'ଣ କରୁଛନ୍ତି? ବଶିଷ୍ଠର ମନ ପୁଲକହୀନ ହେଇଗଲା । ସେ ଉତ୍ସାହହୀନ ଭାବେ କହିଲା, ମୋର ପିଲାମାନଙ୍କୁ ନେଇ ଗର୍ବ କରିବା ପାଇଁ କିଛି ନାହିଁ, ଶଇଳ । ତିନୋଟି ଛୁଆ ମୋର । ଦୁଇ ଝିଅ, ଗୋଟିଏ ପୁଅ । ବଡ଼ ଝିଅକୁ ବାହା କରିଥିଲି । ସେ ଶାଶୂଘରେ ଚଳିପାରୁନେଇ । ନିଇତି ପଳେଇ ଆସିବାକୁ ଗୋଡ଼ ଟେକି ବସିଛି । ମୁଁ ଖାଲି ଲୋକଲଜ୍ଜାକୁ ତାକୁ ବାରଣ କରୁଛି । ତା'ପରେ ପୁଅଟିଏ । ପିଲାଟା ମାତ୍ରାଧିକ ନିରୀହ । ଟିଉସନ କରୁଛି ପିଲାମାନଙ୍କୁ । ସ୍ଥିର ରୋଜଗାରଟେ ନାହିଁ । ଏଣୁ ବାହା ଦେଇପାରୁନାହିଁ ତାକୁ । 

ବଶିଷ୍ଠ ମିଶ୍ରର ଅସହାୟତା ଶୁଣି ଭୀମ ମୁଦୁଲି ସହୃଦୟୀ ଭଳି କହିଲା, ସତରେ ପିଲାମାନେ ଅଯୋଗ୍ୟ ହେଲେ ବାପର କଥା ସରିଲା । ଅଯୋଗା ପୁଅର ବୋଝ ଅବିବାହିତା ଝିଅର ବୋଝ ଠାରୁ ଅଧିକ ଯନ୍ତ୍ରଣାପୂର୍ଣ୍ଣ । ବଶିଷ୍ଠ ନିଜକୁ ସମ୍ଭାଳି କହିଲା, ପିଲା ତିନିଟା ସିନା ବଡ଼ମଣିଷ ହେଇନାହାନ୍ତି, ମାତ୍ର ସଂସ୍କାରୀ ହେଇଛନ୍ତି । ସାନଝିଅଟା ପୋଷ୍ଟ ଗ୍ରାଜୁଏସନ କରୁଛି । ପାଠ ସରିଲେ ସରପଞ୍ଚ ପାଇଁ ଛିଡ଼ାହେବ ବୋଲି କହୁଛି । ତାକୁ ଆମ ଅଞ୍ଚଳରେ ସମସ୍ତେ ଭଲପାଆନ୍ତି । ତିନିଟା ଯାକ ପିଲା ମୋର ବହୁତ ଅନାବିଳ ପ୍ରକୃତିର । ନଥାଇପାରେ ସେମାନଙ୍କର ସମାଜରେ ପ୍ରତିଷ୍ଠା, ଚାକିରି କି ପ୍ରଶଂସନୀୟ ବ୍ୟକ୍ତିତ୍ୱ, ହେଲେ ଅଛି ମହାନୁଭୂତି, ଉଦାରତା ଓ ସହାନୁଭୂତି । ମୋ ପାଖରେ ସେମାନଙ୍କର ଏହି ଗୁଣଗୁଡିକୁ ନେଇ ଗର୍ବ କରିବାର ଉପାଦାନ ଅନେକ କିଛି ଅଛି । କିନ୍ତୁ ଦୁଃଖର କଥା, ସମାଜ ଖୋଜେ ଅର୍ଥ ଉପାର୍ଜନର ଦକ୍ଷତା, ଉଚ୍ଚପଦସ୍ଥ ଚାକିରି ଏବଂ ପ୍ରତ୍ୟକ୍ଷ ପ୍ରତିଷ୍ଠା । ସେସବୁ ମୋ ପିଲାଙ୍କ ପାଖରେ ନାହିଁ । ତେଣୁ ମୁଁ ଚିନ୍ତିତ ହୋଇଯାଉଛି ବେଳେବେଳେ ।

ବଶିଷ୍ଠର ଭାବପ୍ରବଣ ମିଶ୍ରିତ ଗାମ୍ଭୀର୍ଯ୍ୟଭରା ଉକ୍ତିକୁ ସମସ୍ତେ ନିରବରେ ଶୁଣୁଥିଲେ । ମଝିରେ କେହି ବାଧା ଦେଇନଥିଲେ । କ୍ଷଣକ ପରେ ଅନ୍ୟମାନେ ବି ଅନୁଭବ କଲେ, ପଦପଦବି ଅଳିକ । ପ୍ରାଚୁର୍ଯ୍ୟ ନିମିତ୍ତ ମାତ୍ର । ଜଣେ ସାଙ୍ଗ ନିମିଷ ପରେ ଉପସଂହାରରେ କହିଲା, ପୁଅର ପ୍ରତିଷ୍ଠାକୁ ନେଇ ଗର୍ବ କରିବାରେ କ'ଣ ମିଳିବ ଭାଇ? ସେ ଅଫିସର ହେଇଥାଉ କି ଡାକ୍ତର ହେଇଥାଉବାପମାଆକୁ ପରିଣତି ବୟସରେ ନପଚାରିଲେ ସବୁ ଗର୍ବ ଅହଂକାର ପାଣିରେ ଲୁଣ ଭଳିଆ ମିଳେଇଯିବ । କିନ୍ତୁ ପୁଅ ଅଯୋଗା ହେଇଥିଲେ ବି ବାପମାଆକୁ ଓ ଆତ୍ମୀୟସ୍ୱଜନକୁ ଯିଏ ଦେଖିଲା ତା'ଠାରୁ ବଳି ଆଦର୍ଶ ପିଲା ସଂସାରରେ ଦୁର୍ଲଭ । ସେଭଳି ପିଲାଙ୍କ ପାଇଁ ଖାଲି ଗର୍ବ କ'ଣ ପୃଥିବୀ ଯାକର ପ୍ରଶଂସା ବି କମ୍‌ ପଡ଼ିବ! କ'ଣ ମୁଁ ଠିକ୍‌ କହୁଛି ନା ଶଇଳ?


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.