ଭାରତ ତାର ପ୍ରଥମ ପ୍ରତିକ୍ରିୟା ଭାବେ ସିନ୍ଧୁ-ସତଲେଜ ଜଳଚୁକ୍ତି ଅସ୍ୱୀକାର କରିଛି । ଏହି ପଦକ୍ଷେପ ଯଦି କାର୍ଯ୍ୟକାରୀ ହୁଏ ତେବେ ପାକିସ୍ତାନର ବିଦ୍ୟୁତ ଉତ୍ପାଦନ, କୃଷିବାଧିତ ହେବ ଏବଂ ପାନୀୟଜଳର ଅଭାବ ମଧ୍ୟ ସୃଷ୍ଟିହେବ । କିନ୍ତୁ ଏହି ନିଷ୍ପତ୍ତି ଭାରତୀୟ ଜାତୀୟ ନ୍ୟାୟବୋଧକୁ ସନ୍ତୁଷ୍ଟ କରିବନାହିଁ । ତେଣୁ ଏପରି କିଛି କ୍ଷତି ପାକିସ୍ତାନକୁ ଦେବାକୁ ହେବ, ଯାହାଦ୍ୱାରା ପାକିସ୍ତାନ ଭବିଷ୍ୟତରେ ଭାରତକୁ ଆଘାତ ଦେବାରୁ କ୍ଷାନ୍ତ ରହିବ ।
ଭଗବାନ ଗୀତାରେ ଜ୍ଞାନ, କର୍ମ, ଯୋଗ, ଭକ୍ତି ଉପରେ ଅର୍ଜୁନଙ୍କୁ ଉଦ୍ବୋଧନ ଦେଇ କୃଷ୍ଣ ଏହି- ତସ୍ମାଦ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟ’ କହନ୍ତି । ଅର୍ଥାତ୍ ଯୁଦ୍ଧ ନିଷ୍ପତ୍ତି ନେବା ପୂର୍ବରୁ ଜ୍ଞାନ ସମୀକ୍ଷା କରି ନିଜେ ଆଶ୍ୱସ୍ତ ହେବାଲାଗି ଅନେକ ଜ୍ଞାନ ଦିଅନ୍ତି । ଆବେଗ, କ୍ରୋଧ, ଉତ୍ତେଜନା ମଣିଷର ନିଷ୍ପତ୍ତିକୁ ଭୁଲ୍ ଦିଗରେ ନେଇପାରେ । ତେଣୁ ଯେକୌଣସି କର୍ମ କରିବା ପୂର୍ବରୁ ବୁଝି ବିଚାରି କରିବାକୁ ହୁଏ । ଯୁଦ୍ଧ ମଧ୍ୟ ଏକ କର୍ମ ଯାହା ମାଧ୍ୟମରେ ପ୍ରତିଶୋଧ ନଚେତ୍ ନ୍ୟାୟଦଣ୍ଡ ନିଆଯାଇପାରେ । ଅର୍ଜୁନ ବା ଯେକୌଣସି ବ୍ୟକ୍ତି ଯେତେବେଳେ ଯୁଦ୍ଧ କରିବାଲାଗି ନିଷ୍ପତ୍ତି ଗ୍ରହଣ କରେ ସେ ବ୍ୟକ୍ତି ଜଣେ ବିଚାରକ ଭାବେ ଦୋଷୀକୁ ଦଣ୍ଡ ଦେବାଲାଗି ଯୁଦ୍ଧ କରେ କିମ୍ବା ପ୍ରତିଶୋଧ ନେବାଲାଗି ପୌରୁଷର ସର୍ବଶେଷ ଓ ସର୍ବଶ୍ରେଷ୍ଠ ନିଦର୍ଶନ ।
ମରୁଭୂମିରେ ଜନ୍ମ ହୋଇ ଜଣେ ଅସ୍ମିତାସଂପନ୍ନ, ସ୍ୱାଭିମାନର ବ୍ୟକ୍ତି ଏହି ଆତ୍ମାସ୍ୱରୂପ ଚରିତ୍ରକୁ ତାର ନାୟକତ୍ୱକୁ ଜୀବନର ସର୍ବୋଚ୍ଚ ମୂଲ୍ୟବାନ ଗୁଣଭାବେ ଗ୍ରହଣ କରିଥାଏ । ଯଦି ସେହି ପୌରୁଷ, ଅସ୍ମିତା, ସ୍ୱାଭିମାନ ଉପରେ ଅନ୍ୟ ବ୍ୟକ୍ତି ବା ଗୋଷ୍ଠୀର ଅନୈତିକ, ଅନ୍ୟାୟ ଆକ୍ରମଣ ହୁଏ, ସେହି ବ୍ୟକ୍ତି ତାର ନାୟକତ୍ୱ ପ୍ରଦର୍ଶନ କରେ । ଯଦି କରେ ଜଗତ ତାର ବ୍ୟକ୍ତିତ୍ୱକୁ ଅନାୟକର ପର୍ଯ୍ୟାୟଭୁକ୍ତ କରି ତାକୁ ଅମଣିଷ ସ୍ତରକୁ ନେଇଯାଏ । ତେଣୁ ଗୀତାରେ କୃଷ୍ଣ ସ୍ପଷ୍ଟଭାବେ କହିଛନ୍ତି- ଯଦି ମୃତ୍ୟୁ ହୁଏ ସ୍ୱର୍ଗପ୍ରାପ୍ତି, ଯଦି ବିଜୟଶ୍ରୀ ମିଳେ ତେବେ ଧରା ଭୋଗ । ଏକାକୀ ସ୍ୱାଭିମାନୀ ପୁରୁଷର ପ୍ରାପ୍ୟ । ଯେଉଁ ବ୍ୟକ୍ତି ବ୍ୟକ୍ତିତ୍ୱ ଉପରେ ଆକ୍ରମଣକୁ ସହିଯାଏ ଓ ପରାଜୟର ଗ୍ଳାନି ନେଇ ବଞ୍ଚେ ତାକୁ ସମାଜ ନୀଚ ପୁରୁଷ କୁହେ । ଅନେକ ପଣ୍ଡିତ ଜ୍ଞାନୀ ଅବଶ୍ୟ କୃଷ୍ଣବାଣୀକୁ ସ୍ୱୀକାର କରନ୍ତିନାହିଁ । ଜର୍ଜ ଅରୱେଲ କହନ୍ତି ଯେ, କୃଷ୍ଣବାଣୀ ଭଗବଦ ଗୀତାରେ ଯୁଦ୍ଧର ଯଥାର୍ଥତା ପ୍ରତିପାଦନ କରିବା ଲାଗି ଏକ ବଳିଷ୍ଠ ଯୁକ୍ତି । କିନ୍ତୁ ଯୁଦ୍ଧ ମାଧ୍ୟମରେ ଯେଉଁ ଶାନ୍ତି ପ୍ରତିଷ୍ଠା ହୁଏ ତାହା ରକ୍ତରଂଜିତ ନିଶ୍ଚୟ । ଅନ୍ୟମାନେ ଯୁକ୍ତି କରନ୍ତି ଯେ, ଯୁଦ୍ଧ କ’ଣ ଏକ ନ୍ୟାୟଦଣ୍ଡ? ଯଦି କୁରୁକ୍ଷେତ୍ରରେ ଦୁର୍ଯ୍ୟୋଧନ ଦିଶିଥାନ୍ତା ତେବେ ଆମେ କ’ଣ ଦୁର୍ଯ୍ୟୋଧନକୁ ଏକ ନ୍ୟାୟପୁରୁଷ ଭାବେ ଗ୍ରହଣ କରିଥାନ୍ତେ? ଆଉ କେତେକ କହନ୍ତି, କ୍ଷମା ଏକ ମହତ୍ ଗୁଣ, ଯାହା ଯୁଦ୍ଧ ବିଜୟଠାରୁ ମହତ୍ତର ବିଜୟ ଦିଏ । ଅନ୍ୟ ଯୁକ୍ତି ହେଲା- ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ମୁଁ ଉପରୋକ୍ତ ପ୍ରଶ୍ନ ଓ ସମସ୍ୟା ଉପରେ ବିଶଦ ବ୍ୟାଖ୍ୟା କରୁନାହିଁ । ମୋର ଭାରତୀୟ ସଂସ୍କୃତି ଓ ଶ୍ରୀମଦ୍ ଭଗବଦ୍ ଗୀତା ଗ୍ରନ୍ଥରେ ଏହାର ବିସ୍ତୃତ ଆଲୋଚନା କରିଛି । ବର୍ତ୍ତମାନ ଭାରତ ଯେଉଁ ସମସ୍ୟାର ସମ୍ମୁଖୀନ ତା’ ଉପରେ ମୋର ଏଇ ସୀମିତ ଆଲୋଚନା । ୨୦୨୫ ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମ୍ ନିକଟରେ ଯାହା ଘଟିଛି ତାହା ଅତି ଗମ୍ଭୀର ଜୀବନସ୍ପର୍ଶୀ ସୃଷ୍ଟି କରିଛି । ଛବିଶ ଜଣ ଭାରତୀୟ ହିନ୍ଦୁଙ୍କୁ ସେମାନଙ୍କର ବନ୍ଧୁ, ପରିବାର ଆଗରେ କେବଳ ହିନ୍ଦୁ ହୋଇଥିବା ଯୋଗୁଁ ଗୁଳିବିଦ୍ଧ କରାଯାଇଛି ଅତି ନୃଶଂସ ଭାବେ । ଭାରତୀୟ ସ୍ୱାଭିମାନ, ଅସ୍ମିତା ପ୍ରତି ଏକ ଚରମ ଆହ୍ୱାନ ।
ଦୀର୍ଘ ୫ହଜାରରୁ ଅଧିକ ସନାତନ ସଭ୍ୟତା ଜ୍ଞାନ, ଦର୍ଶନ, ସହନଶୀଳତା ଓ ସୃଜନାତ୍ମକ ସାହିତ୍ୟ ତଥା ଉଚ୍ଚମାନର ସଭ୍ୟତା ଲାଗି ବିଶ୍ୱରେ ପ୍ରତିଷ୍ଠିତ । କିନ୍ତୁ ସେହି ସଭ୍ୟତା ଉପରେ ଆଲେକଜାଣ୍ଡାର ସମୟରୁ ଆକ୍ରମଣ ହୋଇ ଚାଲିଛି । ଯେଉଁ ସଭ୍ୟତା ନାଳନ୍ଦା ପରି ବିଶ୍ୱବିଦ୍ୟାଳୟ ଗଢ଼ିଥିଲା, ମହାଭାରତ, ରାମାୟଣ ପରି କାବ୍ୟ ରଚନା କରି ନିଜର ବିଶ୍ୱଜ୍ଞାନ ମାଧ୍ୟମରେ ବିଦେଶୀମାନଙ୍କ ପାଇଁ ସୁନାର ପକ୍ଷୀ ହୋଇପାରିଥିଲା, ତାରି ଉପରେ ଗ୍ରୀକ୍, ମୁସଲମାନ, ମୋଗଲ ଓ ବ୍ରିଟିଶମାନଙ୍କ ଆକ୍ରମଣ ଦୀର୍ଘ ୧୦୦୦ ବର୍ଷ ଧରି ଲାଗରହିବା ପରେ, ସେଇ ସନାତନୀ ହିନ୍ଦୁ ମୂଲ୍ୟବୋଧ ଉପରେ କର୍ମ କରି ଗାନ୍ଧୀ ଏବଂ ତାଙ୍କ ସମର୍ଥକମାନେ ଭାରତକୁ ମୁକ୍ତ କରିଥିଲେ ୧୯୪୭ରେ । ଏଇ ୭୫ବର୍ଷ ମଧ୍ୟରେ ଭାରତ ଏକ ଉନ୍ନତ ସ୍ୱଚ୍ଛଳ ରାଷ୍ଟ୍ର ଭାବେ ଆଜିର ବିଶ୍ୱରେ ମୁଣ୍ଡ ଟେକି ଠିଆ ହୋଇଛି । ସେପରି ଭାରତ କିପରି ପାକିସ୍ତାନ ପ୍ରଣୋଦିତ ଏଇ ବର୍ବର ଆକ୍ରମଣ ସହ୍ୟ କରିବ? ପ୍ରଥମେ ପାକିସ୍ତାନ ଏକ ଅବୈଧ ସୃଷ୍ଟି । ଭାରତର ସହନଶୀଳତାର ସୁଯୋଗ ନେଇ ଭାରତରେ ଦୀର୍ଘ ଶତାବ୍ଦୀ ରହି ମଧ୍ୟ ମୁସଲମାନମାନେ ଡରାଇ ଥରାଇ ଗୋଟିଏ ମହାନ୍ ଭାରତକୁ ଦୁଇଭାଗ କରିଦେଲେ, ଯାହା ଇତିହାସରେ ଅନ୍ୟ କେଉଁଠି ଘଟିନାହିଁ । ସେ ସମୟର ନେତାଙ୍କ ଉପରେ ଟିପ୍ପଣୀ ମୁଁ କରୁନାହିଁ । କିନ୍ତୁ ୭୫ ବର୍ଷ ପରେ ମଧ୍ୟ ସେହି ହିନ୍ଦୁ ଘୃଣା, ହିନ୍ଦୁବିରୋଧ, ସନାତନ ପ୍ରତି ଅଯୌକ୍ତିକ ଘୃଣା ନିଶ୍ଚୟ ଏକ ଅସ୍ମିତାଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ପହଲଗାମ ଗଣହତ୍ୟା, ହିନ୍ଦୁ ହତ୍ୟା ଭାରତର ସନାତନ ଇତିହାସ ପ୍ରତି ଏକ ନିଦାରୁଣ ଆହ୍ୱାନ । ଏହି ଆହ୍ୱାନକୁ ବିଶ୍ୱନାୟକ ଭାବେ ଗ୍ରହଣ କରି କର୍ମ କରିବା ହିଁ କର୍ତ୍ତବ୍ୟ । ଭାରତ ଆଜି କୃଷ୍ଣ-ଅର୍ଜୁନଙ୍କର ଭୂମିକା ଗ୍ରହଣ କରିଛି । ଯେଉଁ ବିଶ୍ୱମର୍ଯ୍ୟାଦା ଭାରତ ଗତ କିଛିବର୍ଷ ମଧ୍ୟରେ ପାଇଛି ତାହା ଭାରତକୁ ବିଶ୍ୱଗୁରୁ ପର୍ଯ୍ୟାୟକୁ ନିଶ୍ଚୟ ନେଇଛି । ଅବଶ୍ୟ ବିଶ୍ୱଗୁରୁ ଏକ ପଦବି ନୁହେଁ, ଏକ ମାନ୍ୟତା । ବିଶ୍ୱ ଆଜି ଭାରତର ଆର୍ଥିକ, ବୌଦ୍ଧିକ, ଶୈକ୍ଷିକ ଓ ସାମରିକ ଏକାଗ୍ରତା ତଥା ନୈତିକତାକୁ ସମ୍ମାନ କରେ । ଏପ୍ରିଲ ୨୨ ତାରିଖ ୨୦୨୫ର ଘଟଣା ଏପରି ଅମାନୁଷିକ ଯେ ସମଗ୍ର ବିଶ୍ୱ ତାର ନିନ୍ଦା କରିଛି ଏବଂ ଭାରତ ପ୍ରତି ସମର୍ଥନ ଜଣାଇଛି ।
ତେଣୁ ଭାରତର ବିବେକ ବା ନୈତିକ ପ୍ରଜ୍ଞା ବିଚଳିତ ହେବାର ଅବକାଶ ନାହିଁ । ତେଣୁ ଭାରତ ତାର ପ୍ରଥମ ପ୍ରତିକ୍ରିୟା ଭାବେ ସିନ୍ଧୁ-ସତଲେଜ ଜଳଚୁକ୍ତି ଅସ୍ୱୀକାର କରିଛି । ଏହି ପଦକ୍ଷେପ ଯଦି କାର୍ଯ୍ୟକାରୀ ହୁଏ ତେବେ ପାକିସ୍ତାନର ବିଦ୍ୟୁତ ଉତ୍ପାଦନ, କୃଷିବାଧିତ ହେବ ଏବଂ ପାନୀୟଜଳର ଅଭାବ ମଧ୍ୟ ସୃଷ୍ଟିହେବ । କିନ୍ତୁ ଏହି ନିଷ୍ପତ୍ତି ଭାରତୀୟ ଜାତୀୟ ନ୍ୟାୟବୋଧକୁ ସନ୍ତୁଷ୍ଟ କରିବନାହିଁ । ତେଣୁ ଏପରି କିଛି କ୍ଷତି ପାକିସ୍ତାନକୁ ଦେବାକୁ ହେବ, ଯାହାଦ୍ୱାରା ପାକିସ୍ତାନ ଭବିଷ୍ୟତରେ ଭାରତକୁ ଆଘାତ ଦେବାରୁ କ୍ଷାନ୍ତ ରହିବ । ଉରି ଆକ୍ରମଣ ପରେ ଯେଉଁ ସର୍ଜିକାଲ ଷ୍ଟ୍ରାଇକ ହେଇଥିଲା ଓ ବାଲାକୋଟ ଉପରେ ଯେଉଁ ବୋମା ଆକ୍ରମଣ ହୋଇଥିଲା ତାକୁ ପାକିସ୍ତାନ ବେଖାତିର କରି ‘ଗଦୱା ଏ ହିନ୍ଦ୍’ କାର୍ଯ୍ୟକ୍ରମ ଚାଲୁରଖି ଭାରତକୁ କ୍ଷତବିକ୍ଷତ କରୁଛି । ତେଣୁ ସମସ୍ତେ ଚାହାନ୍ତି ଯେ, କିଛି ଆଖିଦୃଶିଆ ଆକ୍ରମଣ ହେଉ, ଯାହାଦ୍ୱାରା ପାକିସ୍ତାନ କ୍ଷତିଗ୍ରସ୍ତ ହେବ ଏବଂ ଭାରତ ବିରୋଧୀ କାର୍ଯ୍ୟକ୍ରମ ସବୁଦିନ ପାଇଁ ବନ୍ଦ କରିବ । ଅର୍ଥାତ୍ ପାକିସ୍ତାନକୁ ପଙ୍ଗୁ କରାଯାଉ ବୋଲି ଭାରତର ଅନ୍ତତଃ ୧୦୦କୋଟି ଜନତା ଚାହାନ୍ତି । କିନ୍ତୁ ଭାରତକୁ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଜଳଚୁକ୍ତି ବାତିଲକୁ ଯୁଦ୍ଧଭାବେ ଗ୍ରହଣ କରିଛି । ବିଲାୱେଲ ଭୁଟ୍ଟୋ କହିଛନ୍ତି ଯେ, ଯଦି ସିନ୍ଧୁରେ ଜଳ ଆସିବନାହିଁ, ଭାରତୀୟଙ୍କର ରକ୍ତ ବୋହିବ । ଏହି ଆହ୍ୱାନ ଦେବା ପଛରେ ପାକିସ୍ତାନର ଅଣୁ ବୋମା ଶକ୍ତି ରହିଛି । ଭାରତ ପ୍ରଥମ ବ୍ୟବହାର କରିବ ନାହିଁ ବୋଲି ଆଗରୁ କହିଛି । କିନ୍ତୁ ପାକିସ୍ତାନ ସେପରି କୌଣସି ପ୍ରତିଶ୍ରୁତି ଦେଇନାହିଁ ।
ତେଣୁ ଯଦି ଯୁଦ୍ଧ ହୁଏ ଖୁବ୍ ଶୀଘ୍ର ପାକିସ୍ତାନ ଅଣୁବୋମା ପ୍ରୟୋଗ କରିପାରେ । ପରେ ଅବଶ୍ୟ ଭାରତ ପାକିସ୍ତାନର ଅସ୍ତିତ୍ୱ ବିଲୋପ କରିପାରେ । ଭାରତ ଏହି କ୍ଷତି ସହିବା ଲାଗି ପ୍ରସ୍ତୁତ କି? ଏପରି ପ୍ରଶ୍ନ ଅବଶ୍ୟ କିଛି ବିରୋଧୀମାନେ ପଚାରନ୍ତି ଏବଂ ଯୁଦ୍ଧ ଅନୁଚିତ ଅତିଚାର ହେବ ବୋଲି ଟିପ୍ପଣୀ କରିଛନ୍ତି । କିନ୍ତୁ ଯୁଦ୍ଧ ହେଲେ କ୍ଷତି ହେବ ଏବଂ ଏକଥା ଭାରତ ସରକାର ନିଶ୍ଚୟ ବିଚାର କରି କଳ୍ପନାତୀତ ଦଣ୍ଡ ଦେବେ ବୋଲି ଘୋଷଣା କରିଛନ୍ତି । ତେଣୁ କ୍ଷତି ବିଚାର ବର୍ତ୍ତମାନ ଅର୍ଥହୀନ । ଅବଶ୍ୟ ଅନ୍ୟ ଏକ ପ୍ରଶ୍ନ ଉଠେ । ଭାରତ ସବୁବେଳେ ଏକ ଶାନ୍ତିପ୍ରିୟ ଦେଶ । ଭାରତ ଇତିହାସରେ କୌଣସି ଆକ୍ରମକ ଭୂମିକା ଗ୍ରହଣ କରିନାହିଁ । କ୍ଷମା ଭାରତୀୟ ଜୀବନାଦର୍ଶର ଏକ ଅଭିନବ ସମ୍ପଦ । ଭାରତ କାହିଁକି କ୍ଷମା ନ କରିବ? ବର୍ତ୍ତମାନ କ୍ଷେତ୍ରରେ କ୍ଷମା ଯୁଦ୍ଧର ବିକଳ୍ପ ନୁହେଁ । କାରଣ ପାକିସ୍ତାନ କ୍ଷମା ପାଇବାର ଯୋଗ୍ୟତା ହରାଇଛି । ହିନ୍ଦୁକୁ ବାଛି ବାଛି ହତ୍ୟା କରିଛି । ପାକିସ୍ତାନ ସେନାଧ୍ୟକ୍ଷ ମୁନିର ଖୋଲାଖୋଲି ଭାବେ ହିନ୍ଦୁ ଧ୍ୱଂସ କଥା କହିଛନ୍ତି ତାଙ୍କ ଦେଶବାସୀଙ୍କୁ । ଏହି ଘୋଷଣା ପରେ ପହଲଗାମ ଘଟଣା ଘଟିଛି । ତେଣୁ ଏହି ଇଚ୍ଛାକୃତ ଆକ୍ରମଣ ଭାରତର ସନାତନୀ ପରମ୍ପରା, ଅସ୍ମିତା ଓ ଐତିହାସିକ ଗୌରବ ଉପରେ । ଏଠି କ୍ଷମା ବିଚାର ଅସଙ୍ଗତ ଓ ମୂଲ୍ୟହୀନ । ଏଥର ଯଦି କ୍ଷମା ଦିଆଯାଏ, ଭାରତ ଏକ ଭୀରୁ ରାଷ୍ଟ୍ରର ପରିଚୟ ପାଇବ । ୧୪୦ କୋଟିର ଐତିହାସିକ ଭାରତ ନପୁଂସକର ପରିଚୟ ପାଇବ ।
ଏହା ରାଜନୀତି ଦୃଷ୍ଟିରୁ ଆତ୍ମଘାତୀ ହେବ । ତେଣୁ ଯୁଦ୍ଧ ଅପରିହାର୍ଯ୍ୟ । ଯୁଦ୍ଧରେ ନିଶ୍ଚୟ କିଛି କ୍ଷତି ହେବ, କିନ୍ତୁ ଭାରତର ମର୍ଯ୍ୟାଦା ଲାଭ କ୍ଷତି ହିସାବର ବହୁତ ଊଦ୍ଧ୍ୱର୍ରେ । ଯାହା ବା କ୍ଷତି ହେବ ତାହା ଭାରତର ସ୍ୱାଭିମାନୀ ଅସ୍ମିତା ରକ୍ଷାପାଇଁ ଏକ ଉତ୍ସର୍ଗ ଭାବେ ଗ୍ରହଣ କରାଯିବ । କିନ୍ତୁ ମୋ ବିଶ୍ୱାସରେ ଭାରତ ପାକିସ୍ତାନକୁ ବେଲୁଚିସ୍ତାନ ପସ୍ତନିସ୍ତାନ କରିଦେବା ଲାଗି ଯୁଦ୍ଧ କରିବ । କାଶ୍ମୀରର ଯେଉଁ ଅଂଶ ପାକିସ୍ତାନ ଅଧିକାର କରିଛି ତାକୁ ଭାରତ ସହିତ ମିଶାଇ ଦିଆଯାଇପାରେ । ଯେଉଁମାନେ ଚୀନର ଭୟ ଦେଖାଇଛନ୍ତି ସେମାନେ ଜାଣନ୍ତି ନାହିଁ ଯେ, ଚୀନ ଯୁଦ୍ଧକ୍ଷେତ୍ରକୁ ଆସିବ ନାହିଁ । ପାକିସ୍ତାନ ଯେହେତୁ ସାରା ବିଶ୍ୱରେ ଆତଙ୍କବାଦୀ ଅସ୍ଥିରତା ସୃଷ୍ଟି କରୁଛି ତାକୁ ଏକ ନିର୍ଣ୍ଣାୟକ ଦଣ୍ଡ ଦେବାକୁ ହେବ ଏବଂ ଭାରତ ସେଥିପାଇଁ ବିଶ୍ୱପ୍ରଶଂସିତ ହେବ ନିଶ୍ଚୟ ।