‘ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଅକ୍ଷୟତୃତୀୟା କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଜାଣୁ କି ? ଘରେ କ'ଣ ଆଉ କେମିତି ପାଳନ ହୁଏ ତା’ ବିଷୟରେ କିଛି ଜାଣୁ?' ସକାଳୁ ମୋ ଶାଶୂଙ୍କ କଥା ଶୁଣି ମୁଁ କହିଲି ‘ହଁ, ହେଲେ ଏଇଦିନ କ'ଣ ହୁଏ କି ମା’? ଏତେ ଗରମରେ କି ଚାଷକାମ ହେଉଥିବ ଯେ?' ‘ଏହି ଦିନଟି ନୂଆ ଫସଲ ବୁଣିବାର ଆରମ୍ଭ ପାଇଁ ଶୁଭ ବୋଲି ଧରାଯାଏ । କୃଷକମାନେ ଏହି ଅବସରରେ "ମୁଠାବୁଣା’ ପରମ୍ପରା ପାଳନ କରନ୍ତି, ଯେଉଁଥିରେ ଧାନ, ମୁଗ, ବିରି ଆଦି ବିହନ ବୁଣାଯାଏ । ଏହି କାର୍ଯ୍ୟ ସହିତ ସମୃଦ୍ଧ ଅମଳ ଓ ପ୍ରକୃତିର ଆଶୀର୍ବାଦ ପାଇବାର ଆଶା ରହିଥାଏ' । ମା’ କହିଲେ । ‘ଆଜିକାଲି ଆଉ କ'ଣ ଏହିସବୁ ହୁଏ? ଭଲ ଖତ, ସାର ଏଇସବୁ ଦେଇ ଚାଷ କଲେ, ଭଲ ଫସଲ ହେବ' । ମୁଁ ପୁଣି କହିଲି । ‘ନା, ବୋହୂ । ଆମ ସଂସ୍କୃତିର ବଡ଼ ମହତ୍ତ୍ୱ । ତା'ର ପୌରାଣିକ ଓ ଐତିହାସିକ କାରଣ ଥାଏ । ତୁମେମାନେ କେବଳ ଉପରଠାଉରିଆ ଭାବରେ କହିଲେ ଚଳିବ? ଆମ ହଜାର ହଜାର ବର୍ଷର ପୁରୁଣା ସଂସ୍କୃତି!' କହିଲେ ଶାଶୂ । କାଇଁ ମୁଁ ତ କୋଉଠି ପଢ଼ିନି।
ମୁଁ ଆଜି ଅପେକ୍ଷା କରି ରହିଛି ଗହଣା କିଣିବା ପାଇଁ । ଆଉ କ'ଣ ହୁଏ ଜାଣିନି' । ମୁଁ ମୁହଁ ଫୁଲେଇ କହିଲି । ‘ଗହଣା କିଣାହୁଏ ଯେ, କିନ୍ତୁ ପବିତ୍ର ଦିନଗୁଡ଼ିକରେ ବଡ଼ମାନେ ସ୍ନେହର ପ୍ରତୀକ ଭାବେ କିଛି ଗହଣା, ଲୁଗା ଓ ମିଠା ଜିନିଷ ଉପହାର ଭାବରେ ଦେବା ଆମ ପରମ୍ପରା । ଏମିତି ନୁହଁ, ତୁମେ ନିଜେ ଗହଣା କିଣି, ବାହାରେ ଖିଆପିଆ କରି ଫେରିବ' । ଶାଶୂ ହସି ହସି କହିଲେ । ମୁଁ ମନେମନେ କେତେ କ'ଣ ଭାବିସାରିଥାଏ । କିଭଳି ଗହଣା କିଣିବି ଓ ତା' ପିନ୍ଧି ଫଟା ଉଠାଇବି, ସାଙ୍ଗସାଥୀଙ୍କୁ ଦେଖାଇ ବାହାବା ନେବି । କିନ୍ତୁ ଏଠି ତ' ସବୁ ଅଲଗା ଲାଗୁଥାଏ । ତେବେ ଉତ୍ସୁକ ଭାବରେ ପଚାରିଲି- ପୌରାଣିକ କ'ଣ, କାରଣ ଅଛି କି ମା’? ‘ପୁରାଣ ଅନୁସାରେ, ଅକ୍ଷୟତୃତୀୟା ଦିନ ତ୍ରେତାଯୁଗର ଆରମ୍ଭ ହୋଇଥିଲା । ଏହି ଯୁଗରେ ଭଗବାନ ବିଷ୍ଣୁ ରାମ ଅବତାର ହୋଇଥିଲେ, ଯାହା ଏହି ଦିନକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କରିଥାଏ ।
ଅକ୍ଷୟ ତୃତୀୟା ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ପରଶୁରାମଙ୍କ ଜନ୍ମଦିବସ ଭାବେ ମଧ୍ୟ ପାଳନ କରାଯାଏ । ତେଣୁ ଏହିଦିନ ପରଶୁରାମଙ୍କ ପୂଜା ଓ ଉତ୍ସବ ସହ ଜଡ଼ିତ । କେତେକ ପୁରାଣ ଅନୁସାରେ, ଅକ୍ଷୟତୃତୀୟା ଦିନ ଗଙ୍ଗାନଦୀ ସ୍ୱର୍ଗରୁ ପୃଥିବୀକୁ ଅବତରଣ କରିଥିଲେ, ଯାହା ଏହାକୁ ଏକ ଧାର୍ମିକ ଦିନ ବୋଲି ଆମେ କହୁଛେ' । ଶାଶୂ କହିଲେ । ମୋ ମୁଣ୍ଡ କାମ କରୁନଥାଏ । ଯାହାକୁ ମୁଁ ଅଳ୍ପ ପାଠୁଆ ଭାବି ହେୟ ମନୋଭାବ ଦେଖାଏ, ତାଙ୍କ ଜ୍ଞାନ ଅକଳନୀୟ । ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ନଇଁ ଆସୁଥାଏ । ‘ମା'! ତାହେଲେ ଏତେ ଶୁଭ ଏହି ଦିନଟି । କିନ୍ତୁ ଅକ୍ଷୟତୃତୀୟା ନାମକରଣ କାହିଁକି ହେଇଛି?' ମୁଁ ପଚାରିଲି । ‘ଏହିଦିନ ପାଣ୍ଡବମାନେ ଅକ୍ଷୟପାତ୍ର (ଯେଉଁଥିରେ ଖାଦ୍ୟ କେବେ ସରିବ ନାହିଁ) ପାଇଥିଲେ, ଯାହା ଭଗବାନ ସୂର୍ଯ୍ୟଙ୍କ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରୁ ଅକ୍ଷୟତୃତୀୟାର ନାମକରଣ ହେଇଛି' । ମା’ କହିଲେ । ‘ଆହା! କେତେ କ’ଣ ଆମ ପୌରାଣିକ ଲେଖାଗୁଡ଼ିକରେ ରହିଛି । ମତେ ମନେହୁଏ ପୁରାଣ ସବୁ ଇତିହାସ ଭଳି । ଆମେ ସ୍କୁଲ କଲେଜରେ ଇତିହାସ ଯେ ଏମିତି ଆମ ପୁରୁଣା ସଂସ୍କୃତି, ଐତିହ୍ୟ ଓ ରାଜାମାନଙ୍କ କଥା ପଢୁଥିଲୁ । କିନ୍ତୁ ପୁରାଣରେ ତା’ଠାରୁ ପୁରୁଣା କଥାସବୁ ଲେଖାହେଇଛି । ବହୁତ ଖୁସି ମୁଁ ଏସବୁ ଶୁଣି’ । ଖୁସିରେ ଛଳଛଳ ହେଇ କହିଲି । ‘ଏହା ଏକ କୃଷିଭିତ୍ତିକ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ ।
ଚାଷୀମାନେ ଏହିଦିନ ଚାଷକାର୍ଯ୍ୟ ଆରମ୍ଭ କରନ୍ତି, ହଳ ପୂଜା କରନ୍ତି ଏବଂ ବିହନ ବୁଣନ୍ତି, କାରଣ ଏହା ଶୁଭ ଓ ଫଳପ୍ରଦ ବୋଲି ବିଚାର କରାଯାଏ । ଏହିଦିନ ନୂଆ ବ୍ୟବସାୟ, ବିବାହ, ଗୃହପ୍ରବେଶ ଓ ସୁନା କିଣା ପାଇଁ ମଧ୍ୟ ଶୁଭ ବୋଲି ବିଶ୍ୱାସ କରାଯାଏ' । ଶାଶୂ କହିଲେ । ‘ଓଃ! ଏତେ ବଡ଼ ଭଲ ଦିନଟିଏ ନା । କିନ୍ତୁ କେବଳ ଗହଣା କିଣାରେ ଆଜିକାଲି ସୀମିତ କାହିଁକି ଏତେ ବଡ଼ ସାଂସ୍କୃତିକ ଓ ପୌରାଣିକ ମାନ୍ୟତା ରଖୁଥିବା ଦିନଟି'? ମୁଁ ଆଶ୍ଚର୍ଯ୍ୟର ସହ କହିଲି । ‘ଅକ୍ଷୟତୃତୀୟାର ଇତିହାସ ପୌରାଣିକ ଘଟଣା, ଧାର୍ମିକ ଭାବନା ଏବଂ କୃଷି ପରମ୍ପରାର ଏକ ମିଶାମିଶି ଧାରା । ଏହା ସମୃଦ୍ଧି, ନୂଆ ଆରମ୍ଭ ଏବଂ ଖୁବ୍ ଶୁଭ ଦିନ ବୋଲି ଏହିଦିନ ଜଗନ୍ନାଥ ମହାପ୍ରଭୁଙ୍କ ରଥ ତିଆରି ଆରମ୍ଭ ହୁଏ' । ଶାଶୂଙ୍କ କଥା ମନ୍ତ୍ରମୁଗ୍ଧ ହୋଇ ଶୁଣୁଥାଏ । ‘କେତେ ବଡ଼ ଦିନଟିଏ ସତରେ' । ମୁଁ କେବଳ ଏତିକି କହିପାରିଲି । ‘କିନ୍ତୁ ତୋ ଗହଣା କିଣା ଯେ ବାକି ରହିଗଲା । ମନ ଦୁଃଖ କରୁନୁ ତ'? ଶାଶୂ ହସି ପଚାରିଲେ । ‘ଆଜି ଯୋଉ ଗହଣା ପାଇଲି ଏହା ମୁଁ ସବୁଦିନ, ସବୁ ସମୟରେ ପିନ୍ଧି ରହିପାରିବି । ଏଇ ଆମ ଐତିହାସିକ କଥାସବୁ ମୋ ଭିତରେ ରହିଲା । ମତେ ଗହଣା ପିନ୍ଧିବାଠାରୁ ଅଧିକ ଖୁସି ଦେଇଛି ଆପଣଙ୍କ ଏହି କଥା ସବୁ' । ମୁଁ ଖୁସିରେ କହିଲି । ‘ସତ କହୁଛୁ ମା’? ମୁଁ ଭାବିଲି ପୁରୁଣାକାଳିଆ କଥା ବୋଲି ପସନ୍ଦ କରିବୁନି' । କହିଲେ ଶାଶୂ । ମା’ ଚାଲନ୍ତୁ ଆମେ ଆଜି ଗୋଟିଏ ଗଛ ଲଗେଇ ଆମ ପରମ୍ପରା ପାଳନ କରିବା- ଖୁସିରେ ମୁଁ କହିଲି । ଅକ୍ଷୟତୃତୀୟାରେ ଏହା ମୋର ସବୁଠାରୁ ଦାମୀ ଓ ସୁନ୍ଦର ଗହଣା ଥିଲା ।