ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କାହାକୁ କହିବା, ଶୁଣିବ କିଏ ?

Published By : Prameya | May 3, 2025 12:22 PM

ସରକାରୀ ଅବହେଳାରୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ପେଦାୱଲଡ଼ା ପଞ୍ଚାୟତରେ ୪୨ଜଣ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ ହେଲେ । ଶିକ୍ଷାଗ୍ରହଣ ନକରି ସେମାନେ ଘରକାମରେ ସାହାଯ୍ୟ କରୁଛନ୍ତି ନା ଗାଈ ଛେଳି ଚରାଉଛନ୍ତି, ତାହାର ସୂଚନା ଶିକ୍ଷା ବିଭାଗ ନିକଟରେ ମଧ୍ୟ ନାହିଁ । ଏହି ପଞ୍ଚାୟତର ୧୨ଟି ଗାଁରେ ସର୍ଭେ କରିବା ପରେ ୫୦୨ଜଣ ୬ରୁ ୧୪ବର୍ଷ ଭିତରେ ଥିବା କଥା ଜଣାପଡ଼ିଛି । ସେଥିରୁ ୪୬୦ଜଣ ପିଲା ଗାଁ ବିଦ୍ୟାଳୟ କିମ୍ବା ଗାଁ ବାହାରେ ଥିବା ଆଶ୍ରମ ବିଦ୍ୟାଳୟରେ ପଢୁଛନ୍ତି । ବାକି ୪୨ଜଣ ଏଯାଏଁ ବିଦ୍ୟାଳୟ ମାଟି ମାଡ଼ିନାହାନ୍ତି । କ’ଣ ହୋଇପାରେ ଏହାର କାରଣ! ବୁଝାବୁଝି କରିବାରୁ ଜଣାପଡ଼ିଲା, ଏମାନଙ୍କର ଆଧାରକାର୍ଡ଼ ନାହିଁ । ପିଲାଙ୍କର ପାଠପଢ଼ିବା ବୟସ ହୋଇସାରିଥିଲେ ମଧ୍ୟ ଆଧାରକାର୍ଡ଼ର ଅଭାବ ଶିକ୍ଷାଗ୍ରହଣରେ ବାଧା ସୃଷ୍ଟି କରିଛି । ଶିଶୁ ଜନ୍ମ ହେବାର ୬ମାସ ମଧ୍ୟରେ ଜନ୍ମ ପ୍ରମାଣପତ୍ର ତିଆରି କରିବାର ନିୟମ ରହିଛି । ଏହି ଆଧାରରେ ଶିଶୁଙ୍କ ଆଧାରକାର୍ଡ଼ ତିଆରି ହେଲେ ସେମାନେ ବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ସକ୍ଷମ ହେବେ । ଏମିତି ନୁହେଁ ଯେ ଅଭିଭାବକମାନେ ଏ ଦିଗପ୍ରତି ସଚେତନ ନୁହଁନ୍ତି । ସେମାନେ ଆଧାରକାର୍ଡ଼ ସଂଗ୍ରହର ଉଦ୍ୟମ କରିଛନ୍ତି, ମାତ୍ର ଆଧାରକାର୍ଡ଼ କେନ୍ଦ୍ରରେ ଜନ୍ମ ପ୍ରମାଣପତ୍ର ମଗାଯାଉଛି । ମମତା କାର୍ଡ ନେଇ ସେମାନେ ଡାକ୍ତରଖାନାକୁ ଗଲେ ସେମାନଙ୍କ ନାଁ ପଞ୍ଜିକରଣ ହୋଇନାହିଁ ବୋଲି କୁହାଯାଉଛି । 

କେବଳ ଏତିକି ନୁହେଁ, ଅନଲାଇନରେ ମଧ୍ୟ ଶିଶୁଙ୍କ ତଥ୍ୟ ଅପଲୋଡ୍‌ ହୋଇନାହିଁ କିମ୍ବା ଏଏନ୍‌ଏମ୍‌ ମଧ୍ୟ କୌଣସି ସୂଚନା ଡାକ୍ତରଖାନାକୁ ଦେଇନାହାନ୍ତି ବୋଲି କହୁଛନ୍ତି । ବିଡ଼ମ୍ବନା ହେଲା ମମତା କାର୍ଡ ଅନୁସାରେ ଶିଶୁର ଜନ୍ମ ଆନ୍ଧ୍ରରେ ହୋଇଛି ବୋଲି ଦର୍ଶାଇ ଜନ୍ମ ପ୍ରମାଣପତ୍ର ଦିଆଯାଇପାରୁନାହିଁ । କାର୍ଡ ଅନୁଯାୟୀ ଆନ୍ଧ୍ରରେ ଜନ୍ମ ହୋଇଥିବା ପିଲା ଓଡ଼ିଶା ବିଦ୍ୟାଳୟରେ ଶିକ୍ଷା କେମିତି ଆରମ୍ଭ କରିବ? ଏହାର ସମାଧାନ ବାଟ କଢ଼ାଯାଇ କୋର୍ଟରେ ସତ୍ୟପାଠ କରିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଉଛି । ସତ୍ୟପାଠ ପାଇଁ ୧୦ରୁ ୨୦ହଜାର ଟଙ୍କା ମଧ୍ୟ ମଗାଯାଉଛି । ଏତେ ହଇରାଣ ହରକତ ହୋଇ ସରଳ ଆଦିବାସୀ ଅଭିଭାବକମାନେ ନିରାଶ ହୋଇ ଆଧାରକାର୍ଡ଼ ପାଇବା ପାଇଁ ଚେଷ୍ଟା କରିବା ଛାଡ଼ିଦେଲେଣି । ଏତ ଗଲା କୋରାପୁଟ ଜିଲ୍ଲାର ଗୋଟିଏ ବ୍ଲକ କଥା । ଏବେ କଥା ହେବା ଭୁବନେଶ୍ୱର ବସ୍ତି ଅଞ୍ଚଳରେ ରହୁଥିବା କିଛି ଗରିବ ପିଲାଙ୍କ ବିଷୟରେ, ଯେଉଁମାନେ ପାଠପଢ଼ିବାର ଇଚ୍ଛା ଥାଇ ମଧ୍ୟ ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିପାରୁ ନାହାନ୍ତି, କେବଳ ମାତ୍ର ତାଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ବା ଆଧାରକାର୍ଡ଼ ନାହିଁ ବୋଲି । 

୨୦୨୩ ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିଲା ଯେ ଆଧାରକାର୍ଡ଼ ଅଭାବ ଦର୍ଶାଇ ପିଲାଙ୍କ ବିଦ୍ୟାଳୟ ଶିକ୍ଷାଗ୍ରହଣରେ ରୋକ୍‌ ଲଗାଯାଇ ପାରିବନାହିଁ । ବିଦ୍ୟାଳୟ ଏବଂ ଜନଶିକ୍ଷା (ଏସଏମଇ) ସଚିବ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଙ୍କୁ ଲିଖିତ ପତ୍ର ମାଧ୍ୟମରେ ଏ ବିଷୟରେ ଅବଗତ କରାଯାଇଥିଲା । ବିଭାଗ ଆଶ୍ୱସ୍ତି ପ୍ରଦାନ କରିଥିଲା ଯେ ବିଦ୍ୟାର୍ଥୀମାନଙ୍କ ପ୍ରବେଶ ସମସ୍ୟାମୁକ୍ତ ଏବଂ ସହଜ ହେବା ଜରୁରି । ଯେକୌଣସି ପରିସ୍ଥିତିରେ ସେମାନଙ୍କର ଅଭିଭାବକମାନେ ନାମ ଲେଖାଇବାରେ ଅସୁବିଧାର ସମ୍ମୁଖୀନ ହେବେନାହିଁ । ମାତ୍ର ଉଦାହରଣ ରହିଛି, ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀମାନେ ପିଲାଙ୍କ ନାମଲେଖା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରିବା ଉପରେ ଜୋର୍‌ ଦେଉଛନ୍ତି । ଶିକ୍ଷା ଶିଶୁଟିଏର ମୌଳିକ ଅଧିକାର, ଏଣୁ ପ୍ରଥମେ ତାକୁ ପଢ଼ିବାର ସୁଯୋଗ ଦିଆଯାଉ, ପରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ସହିତ ସହଯୋଗ ସ୍ଥାପନ କରି ଆଧାରକାର୍ଡ଼ ପ୍ରସ୍ତୁତି ପାଇଁ ଚେଷ୍ଟା କରାଯାଇ ପାରିବ । ୨୦୧୮ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଆଧାରକାର୍ଡ଼ ଅଭାବରେ ପିଲାଙ୍କୁ ଶିକ୍ଷା ଭଳି ଏକ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବନାହିଁ । ତଥାପି କୋରାପୁଟ ଓ ଭୁବନେଶ୍ୱରର ଘଟଣା ନିଶ୍ଚୟ ଚିନ୍ତା ଉଦ୍ରେକକାରୀ । 

କଥା ହେଉଛି, ପିଲାଙ୍କ ଶିକ୍ଷା ଆରମ୍ଭ କରିବାର ବୟସ କ୍ରମେ ଗଡ଼ିଯାଉଛି । ବିଦ୍ୟାଳୟକୁ ନଯିବାରୁ ପିଲାମାନେ ଅଶିକ୍ଷିତ ରହୁଛନ୍ତି କିମ୍ବା କୁଶିକ୍ଷା ଦ୍ୱାରା ପ୍ରଭାବିତ ହେଉଛନ୍ତି । ପାଠପଢ଼ି ନିଜ ଭବିଷ୍ୟତ ଗଢ଼ିବା ବୟସରେ ସେମାନେ ଘରକାମ, ପଶୁପାଳନ, ଶିଶୁଶ୍ରମିକ ଭାବରେ କେଉଁଠି ଶାରୀରିକ ଶ୍ରମ କରିବା ଦେଖାଯାଉଛି । କିଛି ତ କୁସଙ୍ଗରେ ପଡ଼ି ଅସାମାଜିକ ଓ ଅପରାଧପ୍ରବଣ ହେଉଛନ୍ତି । ତା’ହେଲେ ଏହି ପିଲାଙ୍କର ଅନିଶ୍ଚିତ ଭବିଷ୍ୟତ ଏବଂ ଆଗକୁ ସୃଷ୍ଟିହେବାକୁ ଯାଉଥିବା ଏକ ବିକୃତ ସମାଜ ପାଇଁ ଦାୟୀ କିଏ? ଆଧାରକାର୍ଡ଼ର ବ୍ୟବହାର ପିଲାଙ୍କ ବିଷୟରେ ସବିଶେଷ ତଥ୍ୟଗୁଡ଼ିକ ଯାଞ୍ଚ ହେବା ଦରକାର, ନୁହେଁ କି ଶିକ୍ଷା ପ୍ରାପ୍ତ କରିବାପାଇଁ ପ୍ରବେଶ ପଥରେ ବାଧା ସୃଷ୍ଟି କରିବା । ଆଧାରକାର୍ଡ଼ ପାଇଁ ଜନ୍ମ ପ୍ରମାଣପତ୍ର ଏବଂ ଘରର ଠିକଣା ଥିବା ପ୍ରମାଣର ଆବଶ୍ୟକତା ଥାଏ, ଯାହା ସମାଜର ଦୁର୍ବଳବର୍ଗଙ୍କ ସହ ଜଡ଼ିତ ଶିଶୁମାନଙ୍କ ପାଖରେ ନଥାଏ । କାର୍ଯ୍ୟକର୍ତ୍ତାମାନେ କୁହନ୍ତି, ଗ୍ରାମୀଣ କ୍ଷେତ୍ରରେ ଆଧାର ପଞ୍ଜିକରଣ ଦିଗରେ ଅନେକ ବାଧା ଆସୁଛି । କାରଣ ଆଧାରକାର୍ଡ଼ ପାଇଁ ଆବଶ୍ୟକୀୟ ପ୍ରକ୍ରିୟାଗୁଡ଼ିକରେ ସଠିକ୍‌ ଉପଯୋଗ କରିବାପାଇଁ ଗ୍ରାମବାସୀ ସେତେ ସଚେତନ, ତତ୍ପର ଓ ଅଭିଜ୍ଞ ନୁହଁନ୍ତି । 

ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ସର୍ବଭାରତୀୟ ସ୍ତରରେ ବିଦ୍ୟାଳୟରେ ପ୍ରବେଶ କରୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀ ପାଇଁ ଏକ (ଅପାର ଆଇଡି) ବା ଅଟୋମେଟେଡ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟର ପ୍ରସ୍ତୁତ କରାଯିବ, ଯାହା ଆଧାରକାର୍ଡ ସହ ସଂଯୁକ୍ତ । ଯାହାର ଆଧାରକାର୍ଡ଼ ନାହିଁ, ତାର ଆଇଡି ତିଆରି ହୋଇପାରିନାହିଁ । ଏଣୁ ସେମାନେ ଅପାର ଆଇଡି ନଥିବାରୁ ବିଦ୍ୟାଳୟରେ ପିଲାଙ୍କର ନାମ ଲେଖାଇ ପାରୁନାହାନ୍ତି । ତେବେ କିଭଳି ଏ ସମସ୍ୟାର ସମାଧାନ ବାହାର କରାଯାଇପାରିବ? ଏହି ସମସ୍ୟା ବିଷୟରେ ଉପଯୁକ୍ତ କ୍ଷମତା ଅଧିକାରୀଙ୍କୁ ଲିଖିତ ବିବରଣୀ ଦେବାକୁ ହେବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ହେବ । ଏହାର ଆଇନ ସମ୍ବନ୍ଧୀୟ ଦିଗ କ’ଣ ରହିଛି ଜାଣିଲେ ସମସ୍ୟାର ସମାଧାନ ପାଇଁ ନୂଆ ବାଟ ଖୋଜାଯାଇପାରିବ । 

ସୂଚନା ଅଧିକାର ଅଧିନିୟମ (ଆରଟିଆଇ) ଅନୁଯାୟୀ ସାଧାରଣ ନାଗରିକମାନେ ସରକାରୀ ବିଭାଗ ବିଷୟରେ ସୂଚନା ଗ୍ରହଣ କରିବାର ଅଧିକାର ରଖନ୍ତି । ଆହୁରି ଅଧିକ ଜାଣିବାକୁ ଚାହିଁଲେ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡ଼ାଯାଇପାରେ । ଏସବୁ ସହ ଜନସାଧାରଣଙ୍କ ଭିତରେ ସଚେତନତା ମଧ୍ୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଶିକ୍ଷା ଭଳି ଏକ ମୌଳିକ ଅଧିକାରରୁ ପିଲାଙ୍କୁ ବଞ୍ଚିତ କରିବାର ଅଧିକାର କାହାର ନାହିଁ, ଏଣୁ ଯେତେ ଶୀଘ୍ର ସେମାନଙ୍କର ଆଧାରକାର୍ଡ଼ ଜନିତ ସମସ୍ୟା ଦୂରୀଭୂତ ହେବ, ସେମାନେ ବିଦ୍ୟାଳୟକୁ ଯାଇ ଶିକ୍ଷା ଆରମ୍ଭ କରିପାରିବେ, ଏ ଦିଗରେ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରାଯାଇପାରିଲେ କିଛି ସୁଫଳ ମିଳିବ ବୋଲି ଆଶା କରାଯାଇପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.