ସେଦିନ ସକାଳୁ ମୁଁ ନିଧି ମଉସାଙ୍କ ଘର ରାସ୍ତାରେ ଯାଉଥିଲାବେଳେ ହଠାତ୍ ଦେଖିଲି ନିଧି ମଉସା ହାତରେ ଖଣ୍ଡେ ଧଡ଼ା ଉଚାଇ ଗୋଟିଏ ହୃଷ୍ଟପୁଷ୍ଟ ଷଣ୍ଢ ପଛରେ ଧାଉଁଥାନ୍ତି, ଆଉ ସୁବିଧା ପାଇଲେ ନିର୍ଘାତ ପାହାର ଦବାକୁ ପଛାଉନଥାନ୍ତି । ଷଣ୍ଢଟି ପ୍ରାଣ ବିକଳରେ ଦୌଡୁଥାଏ, ମଝିରେ ମଝିରେ ଫଁ ଫଁ ହେଇ ମୁଣ୍ଡ ହଲାଇ ଦୌଡ଼ୁଥାଏ । ହଠାତ୍ ତା’ ସାମନାରେ ମାଉସୀଙ୍କୁ ପାଇ ଗୋଟିଏ ଶିଙ୍ଗରେ ଭୁସିଦେବାରୁ ମାଉସୀ ତଳେ ପଡ଼ିଗଲେ । ମୁଁ ହାଁ ହାଁ କରିବାରୁ ମଉସା ଟିକେ ଅଟକିଗଲେ । ମୁଁ ମଉସାଙ୍କୁ ଷଣ୍ଢର ଅପରାଧ ବିଷୟରେ ପଚାରି ଯାହା ବୁଝିଲି, ମଉସା ସକାଳୁ ଉଠିବା ପୂର୍ବରୁ ଷଣ୍ଢଟି ମଉସାଙ୍କ ବାରିରେ ଲଗାଇଥିବା ଗୁଣ୍ଠେ ଜମିରେ ଫୁଲ ଧରିଆସୁଥିବା କଅଁଳ ଛନଛନ ବାଇଗଣ ଗଛଗୁଡ଼ିକ ସିନ୍ଦୂରା ଫାଟିଲା ପୂର୍ବରୁ ଜୋଇଁପୁଅ ଭଳି ଆସି ଚଳୁ କରିଦେଇଛି । ତେଣୁ ମଉସାଙ୍କର ଏ ରାଗ । ମତେ ଦେଖି ଉଚ୍ଚସ୍ୱରରେ ପଚାରିଲେ, ପୁଅ ଏ ଷଣ୍ଢର ମାଲିକ କିଏ, ଆଉ ତା’ ଠିକଣା କହିପାରିବୁ? ନିଧି ମଉସା ଟିକେ ଶିଖଚିଲିଆ ଲୋକ ହୋଇଥିବାରୁ ସେ ସମସ୍ତଙ୍କ ସାଙ୍ଗରେ ଲାଗନ୍ତି । ଆଜି ମତେ ତାଙ୍କ ସାଙ୍ଗରେ ଲାଗିବାକୁ ମଉକା ମିଳିଗଲା । ମୁଁ କହିଲି ମଉସା, ଏ ଷଣ୍ଢର ମାଲିକ ହେଉଛନ୍ତି ମହାଦେବ, ଠିକଣା ହଉଛି ସର୍ବସାଧାରଣଙ୍କ ରାସ୍ତା ଓ ଘରବାରି । ମୁଁ କହିଲି, ମଉସା ଷଣ୍ଢକୁ ବାଡେଇ କାହିଁକି ପାପ କରୁଛନ୍ତି?
ଲୋକେ ପରା ଷଣ୍ଢକୁ ପୂଜା କରନ୍ତି । କିଛି ଲୋକ ଧର୍ମ ପାଇଁ ହେଉ ବା ନିଜର ତଥା ନିଜ ପିଲାଙ୍କର ଯଶା ପୀଡ଼ା କାଟିବା ପାଇଁ ଷଣ୍ଢକୁ ଭକ୍ତିରେ ବୃଷଭ, ନନ୍ଦି ମହାରାଜ ବା ବାବା ବୋଲି ଡାକନ୍ତି । ଆମ ମାଉସୀ ପରା ପ୍ରତିଦିନ ସକାଳୁ ଶ୍ରଦ୍ଧାରେ ଷଣ୍ଢକୁ ଡାକି ସକାଳୁ ରୁଟି, କଦଳୀ, ଦୂବ, ଚାଉଳ ପ୍ରଭୃତି ଦେଇ ଲାଙ୍ଗୁଡ଼କୁ ଛୁଇଁ ମୁଣ୍ଡିଆ ମାରିବା ଆପଣ କ’ଣ ଜାଣିନାହାନ୍ତି? ପ୍ରତିଦିନ ମାଉସୀ ସସମ୍ମାନେ ଷଣ୍ଢକୁ ନିମନ୍ତ୍ରଣ କରି ଖାଇବାକୁ ଦେଉଥିବା ବେଳେ, ଦିନେ ଯଦି ଷଣ୍ଢ ଆପଣାଛାଏଁ ପଶି ବାଇଗଣ କିଆରି ଖାଇଦେଲା ଆପଣ କାହିଁକି ରାଗୁଛନ୍ତି? ସିଏ ଟିକେ ଆଖି ତରାଟି ମତେ ଆଉ କ’ଣ କହିଆସୁଥିଲେ, କିନ୍ତୁ ମତେ ଦେଖି ମୋ ସାହସରେ ମାଉସୀ ତଳୁ ଉଠିପଡ଼ି ଝାଡ଼ିଝୁଡ଼ି ହୋଇ ଓଲଟା ମୋ ସହ ମିଶି ମଉସାଙ୍କ ଉପରେ ପ୍ରତିଆକ୍ରମଣ ଆରମ୍ଭ କରିଦେଇ କହିଲେ, ପୁଅ ବୁଝିଲୁ ତୋ ମଉସାଙ୍କର ବୃଦ୍ଧ କାଳେ ବୁଦ୍ଧି ବାମ ହେଲାଣି । ଏ ବୁଢ଼ାଟା ତ ତା’ ପରିବାରର ନୁହେଁ । ତେଣୁ ଷଣ୍ଢକୁ ବାଡ଼େଇ ପାପ କମେଇବନି ତ କ’ଣ କରିବ? ସିଏ ପଶୁଟିଏ ହେଲେ ମଧ୍ୟ ମହାଦେବଙ୍କ ପରିବାରରେ ଷଣ୍ଢଠାରୁ ଆରମ୍ଭ କରି ସାପ, ମୟୂର, ମୂଷା, ସିଂହ ଓ ଦେବତା କିଭଳି ମିଶି ଚଳନ୍ତି ସେଇଟା ସମସ୍ତେ ଶିଖିବା କଥା । ଯଦି ବୃଷଭ ମହାରାଜ ଖାଇଦେଲେ କି ଶିଙ୍ଗ ବୁଲେଇ ଦେଲେ କ’ଣ ସରିଗଲା? ଏକଥା ଶୁଣି ମଉସା ଆହୁରି ରାଗିଯାଇ କହିଲେ, ବାଇଗଣ କିଆରିରୁ ଗଣ୍ଡା ବାଇଗଣ ବାହାରିଥାନ୍ତା, ହେଲେ ଏଠି ମୋ ଘରେ ଷଣ୍ଢ ସେବା ଚାଲିଛି । କହିବି କାହାକୁ?
ଭାଗ୍ୟ । ସେ ଷଣ୍ଢ ସେବାରୁ କ’ଣ ମିଳୁଛି? ମଉସା ଷଣ୍ଢକୁ ଷଣ୍ଢ ବୋଲି କହି ହେତୁବାଦୀଙ୍କ ଭଳି ବ୍ୟବହାର କରୁଥିବାବେଳେ, ମୁଣ୍ଡିଆ ଖାଇ ତଳେ ପଡ଼ିଲା ପରେ ବି ମାଉସୀ ଷଣ୍ଢକୁ ଭକ୍ତି ଓ ଶ୍ରଦ୍ଧାପୂର୍ବକ ମହାଦେବଙ୍କ ବୃଷଭ କହୁଥାନ୍ତି । ଦୁହିଁଙ୍କ ଭିତରେ ଜୋରସୋର୍ ଝଗଡ଼ା ଚାଲିଥିବାବେଳେ ମୁଁ ନିରବରେ ଏହି ମଜାଦାର ଝଗଡ଼ାକୁ ଉପଭୋଗ କରୁଥାଏ । ମଉସା କହିଲେ, ମତେ ଷଣ୍ଢ ଓ ମହାଦେବଙ୍କର ଆଦର୍ଶ ପରିବାର କଥା କହି ତୋ ମାଉସୀ ମତେ ପାଠ ପଢ଼ାଉଛି । ମତେ ଚାହିଁ କହିଲେ, ବୁଝିଲୁ ପୁଅ ଷଣ୍ଢ ଏହି ଗୁଣରୁ ଜୀବନଯାକ ଲକ୍ଷେ ଷଣ୍ଢପଣିଆ ଦେଖେଇହେଲେ ଆଉ ଲକ୍ଷେ ସନ୍ତାନ ସନ୍ତତି ଥିଲେ କ’ଣ ହେବ, ମଲାବେଳକୁ ବାଉଁଶବୁଦା ମୂଳେ ପଡ଼ିଥିଲାବେଳେ ପାଣି ଦବାକୁ କେହି ନଥାନ୍ତି । ନା ଥାନ୍ତି ପିଲା, ନା ପତିଆରା, ନା ପରାକ୍ରମ । ତାର କାରଣ ହେଉଛି ଏମିତି ଉପୁରି ଖାଇ ଖାଇ, ଆ’ ତା’ ବାଡ଼ିରେ ପଶି ଖାଇବା ସହ ଗୃହସ୍ଥର ଦୁଆର ମୁହଁକୁ ଅସନା କରିବା ତାର ଅଭ୍ୟାସ । କଥା କଥାକେ ଶିଙ୍ଗ ଆଉ ନାଲିଆଖି ଦେଖେଇବା ସହ ଜୀବନକାଳ ମଧ୍ୟରେ ତା’ ଶିଙ୍ଗଭୁସାରେ ଅତି କମ୍ରେ ମାଉସୀ ଭଳି ଦୁଇଟି ଖଣ୍ଡେ ଶ୍ରଦ୍ଧାଳୁଙ୍କ ଜୀବନ ନବା ସହ ଅନ୍ତତଃ ଆଠ ଦଶଟି ଲୋକଙ୍କୁ ଆହତ କରିବାର ରେକର୍ଡ ଯା’ର ଥିବ ତାକୁ କିଏ ପଚାରିବ?
ମାଉସୀ କଥା ଅନୁଯାୟୀ ଷଣ୍ଢସେବା ଯଦି ପୁଣ୍ୟର କଥା, ଯେଉଁମାନେ ଷଣ୍ଢ ଆକ୍ରମଣରେ ଆହତ ତଥା ମୃତ ହେଲେ ତାହେଲେ ତ ସେ ତ ସିଧା ବୈକୁଣ୍ଠ ପ୍ରାପ୍ତି ହେଲେ । ତାହେଲେ ଧର୍ମ ହବା ପାଇଁ ତୋ ମାଉସୀ ଷଣ୍ଢକୁ ଖୁଆଇ, ତା’ ଲାଞ୍ଜକୁ ମୁଣ୍ଡିଆ ନମାରି ଷଣ୍ଢ ଆଗରେ ଠିଆହୋଇ ଷଣ୍ଢ ଶିଙ୍ଗକୁ ମୁଣ୍ଡିଆ ମାରି ଷଣ୍ଢଠାରୁ ଆଶୀର୍ବାଦ ନଉନାହିଁ କାହିଁକି? ଯିଏ ଷଣ୍ଢଟିକୁ ମାନସିକ କରି ଛାଡ଼ିଦେଇଛି ସିଏ ତାର ଖାଇବା ପିଇବା ନବୁଝି ଛାଡ଼ିଦେଇ, ପର ବାଡ଼ିରେ ପଶିବାକୁ ଛାଡ଼ିଦେବା କୋଉ ପୁଣ୍ୟର କଥା? ଯଦି ଷଣ୍ଢଟି ଦେବତା, ତେବେ ସମ୍ମାନ ପାଇବା ଭଳି ଦିବ୍ୟ ଆଚରଣ କରିବା ଉଚିତ୍, ଅନ୍ୟଥା ସମ୍ମାନ ପାଇ ପରର ଖାଇ, ପର ଦାଣ୍ଡ ଅସନା କରିବା କେତେଦୂର ସମୀଚୀନ? ମୁଁ ଷଣ୍ଢ ସପକ୍ଷରେ ଓ ବିପକ୍ଷରେ ମଉସା ମାଉସୀଙ୍କର ଯୁକ୍ତି ଶୁଣୁଥିଲି, ମତେ ଲାଗିଲା ମଉସା କିଛି ଭୁଲ୍ କଥା କହିନାହାନ୍ତି । ମୁଁ ତାଙ୍କୁ ଟିକେ ଥଣ୍ଡା କରିବାକୁ ଯାଇ କହିଲିମଉସା !
ଷଣ୍ଢ ତ ପଶୁଟିଏ, ହେଲେ ମଣିଷ ତ ତାଠୁ ନ୍ୟୁନ । ଆଶ୍ଚର୍ଯ୍ୟ ଲାଗେ, ଆମେ ସମ୍ମାନ ବା ସ୍ନେହ କରୁଥିବା ବ୍ୟକ୍ତିଟି ଯଦି ତାର ଅନ୍ତର୍ନିହିତ ସ୍ୱାର୍ଥ ଆପଣଙ୍କଠାରୁ ପୂରଣ ହେଇଗଲେ, ଆଉ କିଛି ପୂରଣ ହେବାର ଆଶା ନଥିଲେ କାହିଁକି ଆପଣଙ୍କର ଚରିତ୍ର ସଂହାର କରି ଆପଣଙ୍କୁ ଅସୁବିଧାରେ ପକାଇବା ସହ ଦାଣ୍ଡ ଅସନା କାର୍ଯକ୍ରମ ଭଳି ଏଭଳି କୂଟକପଟ ତଥା ଛଳନାପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି, ସେମାନଙ୍କୁ ଷଣ୍ଢ ନା ବୃଷଭ ଶ୍ରେଣୀରେ ଗଣିବା ଠିକ୍ ହେବ କୁହନ୍ତୁ? ମଉସା କହିଲେ- ଠିକ୍ କଥା, ମଣିଷ ଶ୍ରେଷ୍ଠ ଜୀବ । ବୃଷଭ ପରି ହୋଇ ଯଦି ଷଣ୍ଢ ଭଳି ବ୍ୟବହାର କରେ, ତେବେ ସେ ମଧ୍ୟ ଷଣ୍ଢ ଭଳି ବ୍ୟବହାର ପାଇବା ଉଚିତ୍ । ଯେସାକୁ ତେସା ନୀତି ପାଳନ ହେବା ବିଧେୟ ।