ସେଦିନ ମୋର ଦୁଇ ବାନ୍ଧବୀ ଆସି ପହଞ୍ଚିଲେ । କୌଣସି କାରଣରୁ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ସଂଯୋଗବଶତଃ, ଦୁହେଁ ମତେ ନଜଣାଇ ଏକାସଙ୍ଗେ ପହଞ୍ଚିଛନ୍ତି । ଆମ ମହିଳାମାନଙ୍କର କେଉଁ କଥା! ଘର ପରିବାର ରନ୍ଧାବଢ଼ା ଏଇସବୁ କଥା ତ । ପଚାରିଲି ଆଜି ସକାଳେ କ’ଣ ଜଳଖିଆ କରିଥିଲ? ଜଣେ ଉତ୍ତର ଦେଲା- ନା’ରେ ଆମ ଘରେ ଏମିତି ସକାଳୁ କେହି ଜଳଖିଆ ଖାଆନ୍ତି ନାହିଁ, ରାତିର ବାସିରୁଟି, ଚୁଡ଼ା, ଛତୁଆରେ ଚଳିଯାଏ । କେବେ କେମିତି ଚକୁଳି କି ଉପମା କରେ । ଏ କଥାଟି ଶୁଣୁ ଶୁଣୁ ଆର ଜଣକ କହିଲା- ବାସିରୁଟି, ଆରେ ବାପ୍ରେ ମୋର ଛୁଆବେଳୁ ଆଜିପର୍ଯ୍ୟନ୍ତ ଆମେ କେବେ ବାସିରୁଟି ଖାଇନୁ । ତାୱା ଉପରୁ ଗୋଟେ ଗୋଟେ ଗରମ୍ ରୁଟି ଆସିବ ଆଉ ଆମେ ଖାଇବୁ । ଏକଥା ଶୁଣି ଆର ବାନ୍ଧବୀଟି ଚୁପ୍ ହେଇଗଲା । ମତେ ଭାରି ଅପ୍ରସ୍ତୁତ ଲାଗିଲା । ମୁଁ କଥାକୁ ଅଲଗା ଆଡ଼େ ବୁଲାଇ ନେଲି ।
ମାତ୍ର ଏହି କଥାର ଦିନ କେଇଟା ଯାଇନି, ଉକ୍ତ ବାନ୍ଧବୀର ସ୍ୱାମୀଙ୍କର ବଦଳି ହେଇଗଲା ଅନ୍ୟ ସହରକୁ । ସେ ଯାଇ ଯୋଗ ଦେଇନଥାନ୍ତି । କିନ୍ତୁ ତାଙ୍କ ଘରେ କାମ କରୁଥିବା ପିଅନମାନେ ଓହରିଗଲେ । ଆଉ ଏଇ ସମୟରେ ମୁଁ ତାଙ୍କ ଘରେ ପହଞ୍ଚିଲି । ଆଶ୍ଚର୍ଯ୍ୟ ହେଲି, ଗରମ ଗରମ ରୁଟି ଖାଉଥିବା ମଣିଷଟି ସକାଳେ ଏକାଥରେ ଦିନ ଓ ରାତି ପାଇଁ ହାଣ୍ଡିଏ ଭାତ ରାନ୍ଧି କଂସାରେ ବାଢ଼ି ଫ୍ରିଜ୍ରେ ଥୋଇଦେଇଚି । ପିଲାଏ ଖାଇବାକୁ ମାଗିଲେ କଂସାକୁ କାଢ଼ି ଗ୍ୟାସ୍ ଉପରେ ରଖି ସାମାନ୍ୟ ଉଷୁମ କରି ଖାଇବାକୁ ଦେଉଛି । ହାଏ! କିଛି ଦିନ ଆଗରୁ ଗର୍ବ ଭରି କହିଥିବା କଥାଟିକୁ ରଖିବା ପାଇଁ ଈଶ୍ୱର ଅବସର ସୁଦ୍ଧା ଦେଲେନାହିଁ । ଏକଥା ଦେଖି ମୋର ମନେ ପଡ଼ିଥିଲା କିଛିଦିନ ତଳର ଘଟଣାଟିଏ । ବୃଦ୍ଧ ଜଣେ ଫୋନ କରି ତାଙ୍କ ପାଇଁ ବୃଦ୍ଧାଶ୍ରମଟିଏ ବୁଝିଦେବାକୁ କହିଲେ । ମୁଁ ନିକଟରେ ଥିବା ଡେ’ କେୟାର ସେଣ୍ଟରରେ ଯାଇ ପଚାରିଲି । ସେଠାରେ ଥିବା ତତ୍ତ୍ୱାବଧାରିକା କହିଲେ- ନା ନା ଆମେ ଏଠାରେ କେବଳ ଦିନବେଳେ କିଛି ଧ୍ୟାନ, ଯୋଗ ଆଦି ଶିଖାଇଥାଉ । ସେ ବୁଢ଼ାମାନଙ୍କୁ ସମ୍ଭାଳିବା କମ୍ କଷ୍ଟ କି? କିଏ କେବେଠୁ ଅବସର ନେଲେଣି, ହେଲେ ଆଜିବି ମୁଁ ଅବସରପ୍ରାପ୍ତ ଅମୁକ... କହିଲାବେଳେ ଗର୍ବରେ ଫାଟି ପଡ଼ନ୍ତି । ସେମାନେ ତ କାହା ସହିତ ମିଶିପାରନ୍ତି ନାହିଁ, ଓଲଟା ପ୍ରତି କଥାରେ କେଁ କାଢ଼ିବା ସହିତ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବ ହୋଇଥାଏ ଯେ ତାଙ୍କୁ ସମ୍ଭାଳିବା କାଠିକର ପାଠ ହୋଇପଡ଼େ ।
ସେଠାରୁ ଫେରିଲାବେଳେ ଭାବୁଥିଲି, ସ୍ୱାଭିମାନ ଓ ଅଭିମାନ ଭିତରେ ଥିବା ଅଦୃଶ୍ୟ ଲକ୍ଷ୍ମଣରେଖାଟି ଏତେ ପତଳା ଯେ ସେଥିପ୍ରତି ସଚେତନ ରହିବା ଏତେ ସହଜ ନୁହେଁ । କ୍ଷମତା, ପ୍ରତିପତ୍ତି ଓ ଅର୍ଥ ସହିତ ସହଚର ରୂପେ ଅଯାଚିତ ଭାବେ ଆସେ ଅହଙ୍କାର (କ୍ୱଚିତ ଏଇ ଚାରିଟିର ସଠିକ୍ ପରିଚାଳନା କରିପାରନ୍ତି) । ଏସବୁ ଗଲାବେଳେ ସାଙ୍ଗରେ ଅହଙ୍କାରକୁ ତ ଘେନି ଯାଏ, ତା’ ସହିତ ତୁଟାଇ ଯାଏ ଅମୂଲ୍ୟ ସମ୍ପର୍କ ଗୁଡ଼ିଏ । ସାମାନ୍ୟ ଟିକେ ମୁଣ୍ଡ ନୁଆଁଇ ଦେଲେ ଯେଉଁଠି ଅନେକ ସମସ୍ୟାର ସମାଧାନ ସହଜ ହୁଏ, ସେଠି ଏହି ଅହଙ୍କାରର ଅଦୃଶ୍ୟ ବୋକଚାଟି ତାଙ୍କୁ ମୁଣ୍ଡ ନନୁଆଇଁବାକୁ ବାଧ୍ୟ କରିଦିଏ । ପ୍ରକୃତ କଥା ହେଲା, ମୁଣ୍ଡ ଭାରୀ ଥିଲେ ହିଁ ତ ମୁଣ୍ଡ ନଇଁଯାଏ, ଅନ୍ୟଥା ଖାଲି ମୁଣ୍ଡଟି ହାଲୁକା ଥିବାରୁ ନଇଁବା ଅସହଜ ହେବା ସ୍ୱାଭାବିକ । ପିମ୍ପୁଡ଼ି ଦୀପରୁଖାକୁ ଚଢ଼ିଗଲେ ସ୍ୱର୍ଗ ପାଇଗଲା ପରି ସେମାନଙ୍କୁ ଲାଗେ ଆମେ ହେଉଛୁ ହର୍ତ୍ତା କର୍ତ୍ତା ଦୈବ ବିଧାତା । ମୁଁ "ଅମୁକ’ର ଗୋଟିଏ ଅଦୃଶ୍ୟ ବୋଝକୁ ମୁଣ୍ଡରେ ବୋହି ସେମାନେ ଭ୍ରମରେ ରୁହନ୍ତି ଯେ, ସେମାନେ ନହେଲେ କାଳେ ଏ ପୃଥିବୀ ଧ୍ୱଂସ ହୋଇଯିବ । ମୁଁ ଯାହା କରୁଛି, ଯାହା କହୁଛି, ସବୁ ହେଉଛି ବେଦର ଗାର । ମୋ କଥାକୁ ଭୁଲ୍ ବୋଲି କହିଦେବ, ଏପରି କୌଣସି ବାପ୍ କା ବେଟା ଏ ଧରାରେ ଜନ୍ମ ହେଇନି । ହେଲେ ସେମାନେ ଭୁଲିଯାଆନ୍ତି ଯେ ବାଘ ଉପରେ ଫାଘଟିଏ ଥାଏ ବୋଲି । "ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ହେଳେ ପକାନ୍ତି ପାସୋରି’ । ତେବେ ଘରର ପୋଷା ଜନ୍ତୁଟିକୁ ଖାଦ୍ୟ ପାନୀୟ ଓ ସ୍ନେହଶ୍ରଦ୍ଧା ଦେଇ ଲାଳନପାଳନ କଲା ପରି, ଏମାନେ ବି ନିଜ ବୋକଚାଟିକୁ ବେଶ୍ ଯତ୍ନ ସହକାରେ ପାଳନ୍ତି । ଟିକିଏ କଥାରେ କୁହନ୍ତି- ଆରେ ସିଂହ ମରିଯିବ ସିନା ଘାସ ଖାଇବ ନାହିଁ । ମୁଁ ଅମୁକ, ଏମିତି କରିବି, ସେମିତି ଖାଇବି, ଆରେ ମତେ କ’ଣ ପାଇଲ କି! ଅନେକ ତ ମାଆବାପାଙ୍କର ଏମିତିଆ ନିଶ ଥିଲା ବୋଲି କହି ନିଜ ନାକ ତଳ ଅନୁର୍ବର ଭୂଇଁକୁ ସାଉଁଳି ଦେଇ ବାହାସ୍ଫୋଟ ମାରନ୍ତି । ମାତ୍ର ସେମାନେ ଭୁଲିଯାଆନ୍ତି ଯେ, ତାଙ୍କ ଦାମ୍ ମାଟି ମୁଠାକର ବି ନୁହେଁ । ମହାପ୍ରତାପୀ, ବୀରବର, ଦିଗ୍ବିଜୟୀ, ମହାଜ୍ଞାନୀ, ବିଶ୍ୱସୁନ୍ଦରୀ ଇତ୍ୟାଦିର ବୋକଚା ବୋହି ଦିନେ ଧରାକୁ ସରା ମଣୁଥିବା କେତେ ଯେ ଏ ମାଟିରେ ଶୋଇଯାଇଛନ୍ତି ତାର ହିସାବ ନିଜେ ମାଟି ବି ରଖିନାହିଁ । ମୋର ମୋର କହି ଆବୋରି ଥିବା, ଛଡ଼େଇ ଆଣିଥିବା ମାଟି ଚକଡ଼ାଟି ବି ଶେଷରେ ତାର ହୋଇପାରିନାହିଁ ।
ମିଛ ଅହମିକା ଟିକକ ଏପରି ଏକ ଅନ୍ଧପୁଟୁଳି ବାନ୍ଧିଦିଏ ଯେ, ଭଲ ମନ୍ଦ ବାରିବାର ବିଚାର ଶକ୍ତି ବି ସେମାନେ ହରାଇ ବସନ୍ତି । ହେଲେ, ଯିଏ ଦେଇ ଦେଇ ନିଜକୁ ନିଃସ୍ୱ କରିଛି, ମୋର ବୋଲି କହି ଗର୍ବ କରିବାକୁ ମୋ ବଂଶରେ କେହି ନରହୁ ବୋଲି କହିଚି, ନିଜ ଜୀବନର ପ୍ରତିବଦଳରେ ସମଗ୍ର ବିଶ୍ୱ ପାଇଁ କଲ୍ୟାଣର ଭିକ୍ଷା କରିଛି, ତାକୁ ଏ ମାଟି ମୁଣ୍ଡରେ ବସାଇଛି । ମୃତ୍ୟୁ ବି ତାକୁ ମାରିପାରିନାହିଁ, କାଳ ବି ତାକୁ କରିପାରିନାହିଁ କାଳାତୀତ । ଏହା ହିଁ ଏ ମାଟିର ବିଶେଷତ୍ୱ । ଏଠି ରାବଣ ପରି ପରାକ୍ରମୀ, ସ୍ୱର୍ଣ୍ଣ ଲଙ୍କାର ରତ୍ନସିଂହାସନର ଅଧିପତି, ମହାବଳଶାଳୀ, ମହାଭୋଗୀ ନୁହେଁ ଶ୍ରୀରାମଙ୍କ ପରି ଅଯୋଧ୍ୟାର ରାଜଗାଦିକୁ ଗୋଟିଏ ମୁହୂର୍ତ୍ତରେ ମୂର୍ଚ୍ଛିଦେଇ ପାରୁଥିବା ମହାତ୍ୟାଗୀର ଚରଣ ବନ୍ଦନା ହୁଏ । ଆଉ ଏଇ ମିଛ ଅହମିକା ଉପରେ ସୁନ୍ଦର କାହାଣୀଟିଏ ଆମେ ସମସ୍ତେ ସାନ ବେଳେ ପଢ଼ିଛେ ‘ମାଆ ବେଙ୍ଗର ପେଟ ଫାଟିଲା’ ନାମରେ । କିନ୍ତୁ ତାକୁ ମନେରଖି ତାର ତାତ୍ପର୍ଯ୍ୟକୁ ଅନୁସରଣ କରି କେତେଜଣ ବା ନିଜ ଦୃଷ୍ଟିଭଙ୍ଗୀକୁ ବଦଳେଇ ପାରିଛେ! ମାଆ ବେଙ୍ଗ ଯଦି ନିଜ ପିଲାଙ୍କ ଆଗରେ ବଡ଼ିମା ଦେଖାଇବାକୁ ଯାଇ, ମୁଁ ସବୁଠାରୁ ବଡ଼ ବୋଲି ନକହି, ହଁ ଆମଠାରୁ ଆହୁରି ବଡ଼ ବଡ଼ ଜୀବଜନ୍ତୁ ଏ ଧରାରେ ଅଛନ୍ତି ବୋଲି ସ୍ୱୀକାର କରି, ତାଙ୍କୁ ଦେଖି ନିଜକୁ ରକ୍ଷା କରିବାର କୌଶଳ ଶିକ୍ଷା ଦେଇଥାନ୍ତା, ତେବେ ନିଜ ପିଲାଙ୍କ ସହିତ ସେ ସୁଖରେ କାଳାତିପାତ କରିଥାନ୍ତା । କିନ୍ତୁ "ମୁଁ ସବୁଠୁ ବଡ଼’ର "ବୋକଚା’ ତାକୁ ତାହା କରାଇଦେଲା କି? ତେବେ ଏହା ସମ୍ପୂର୍ଣ୍ଣ ରୂପେ ଆମର ବ୍ୟକ୍ତିଗତ ନିଷ୍ପତ୍ତି ଯେ, ଆମେ ଆମ ବୋକଚାଟି ଭିତରେ କ’ଣ ରଖିବା! ଅହଙ୍କାର ପରି ହାଲୁକା ଚିଜ ରଖି ମୁଣ୍ଡ ଉଠାଇ, ଛାତି ଫୁଲାଇ ଏକୁଟିଆ ଚାଲିବା ନା ସ୍ନେହଶ୍ରଦ୍ଧା ଓ ଦୟା ପରି ଭାରୀ ଚିଜ ରଖି, ମୁଣ୍ଡ ସାମାନ୍ୟ ନୁଆଁଇ ଦେଇ ଜୀବନକୁ ଆଗେଇନେବା ସମସ୍ତଙ୍କ ସାଥିରେ ।