ବେଙ୍ଗାଲୁରୁ, ୧୫/୦୭: ବର୍ଷୀୟାନ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଗତ କିଛିଦିନ ଧରି ପୀଡିତ ଥିଲେ । ସେ ବେଙ୍ଗାଲୁରୁର ମାଲେଶ୍ୱରମସ୍ଥିତ ନିଜ ବାସଭବନରେ ଅଚେତ ଅବସ୍ଥାରେ ମିଳିଥିଲେ । ପରିବାର ଲୋକେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉଲ୍ଲେଖନୀୟ ଅଭିନୟ ପାଇଁ ଦକ୍ଷିଣ ଭାରତୀୟ ସିନେମା ଜଗତରେ ସେ ଥିଲେ ଏକ ଚର୍ଚ୍ଚିତ ନାମ । ଦୀର୍ଘ ୭୦ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । କନ୍ନଡ ସମେତ ତାମିଲ, ତେଲୁଗୁ ଓ ହିନ୍ଦୀ ଫିଲ୍ମରେ ମଧ୍ୟ ସେ ନଜର ଆସିଛନ୍ତି ।
୧୯୩୮ ଜାନୁଆରୀ ୭ରେ ବେଙ୍ଗାଲୁରୁରେ ଜନ୍ମିତ ସରୋଜା ଦେବୀ ମାତ୍ର ୧୭ ବର୍ଷ ବୟସରେ ୧୯୫୫ରେ କନ୍ନଡ ଫିଲ୍ମ ମହାକବି କାଳିଦାସ ମାଧ୍ୟମରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ସତୁରି ଦଶକ ପର୍ଯ୍ୟନ୍ତ ସିନେମା ଜଗତରେ ସେ ବେଶ୍ ପରିଚିତ ଥିଲେ । ଭାରତ ସରକାର ତାଙ୍କୁ ୧୯୬୯ରେ ପଦ୍ମଶ୍ରୀ ଓ ୧୯୯୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସରେ ସରୋଜା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତୀୟ ସିନେମା ଜଗତକୁ ସରୋଜା ଦେବୀଙ୍କ ଅବଦାନ ବହୁ ପିଢ଼ି ପର୍ଯ୍ୟନ୍ତ ମନେରହିବ ବୋଲି ମୋଦି ଉଲ୍ଲେଖ କରିଛନ୍ତି । ସେହିଭଳି ରଜନୀକାନ୍ତ, କମଲ ହାସନ ଓ ଖୁସବୁ ସୁନ୍ଦରଙ୍କ ଭଳି କଳାକାରମାନେ ସରୋଜା ଦେବୀଙ୍କ ପରଲୋକରେ ସୋସିଆଲ ମିଡିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।