ନୂଆଦିଲ୍ଲୀ: ତାଜିକିସ୍ତାନ ଗାୟକ ଏବଂ ବିଗ୍ ବସ୍ ଷ୍ଟାର ଅବଦୁ ରୋଜିକ୍ଙ୍କୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ତାଙ୍କୁ ଚୋରି ଅଭିଯୋଗରେ ଗିରଫ କରାଯାଇଛି । ଶନିବାର ସକାଳ ପ୍ରାୟ ୫ଟାରେ ମଣ୍ଟେନେଗ୍ରୋରୁ ଦୁବାଇ ପହଞ୍ଚିବା ପରେ କର୍ତ୍ତୃପକ୍ଷ ଅବଦୁଙ୍କୁ ଅଟକାଇଥିଲେ। ତାଙ୍କ ପରିଚାଳନା କମ୍ପାନୀ 'ଖାଲିଜ୍ ଟାଇମ୍ସ'କୁ ଏହି ଖବର ନିଶ୍ଚିତ କରିଛି । ତେବେ ଅବଦୁଙ୍କୁ କେଉଁ ଚୋରି ପାଇଁ ଗିରଫ କରାଯାଇଛି ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ସେପଟେ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ସରକାରୀ ବିବୃତ୍ତି ମଧ୍ୟ ଜାରି କରାଯାଇ ନାହିଁ । ଅବଦୁଙ୍କ କମ୍ପାନୀ ପକ୍ଷରୁ କୁହାଯାଇଛି, ‘ଆମେ ଜାଣୁ ଯେ ତାଙ୍କୁ ଚୋରି ଅଭିଯୋଗରେ ଗିରଫ କରାଯାଇଛି। ୨୧ ବର୍ଷୀୟ ଅବଦୁ ରୋଜିକ୍ ତାଙ୍କର ଉଚ୍ଚତା କମ ସତ୍ତ୍ୱେ ମଧ୍ୟପ୍ରାଚ୍ୟର ପ୍ରସିଦ୍ଧ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ । ତାଙ୍କର UAE ଗୋଲ୍ଡେନ ଭିସା ଅଛି ଏବଂ ସେ ବହୁ ବର୍ଷ ଧରି ଦୁବାଇରେ ରହୁଛନ୍ତି। ସେ ତାଙ୍କର ଗୀତ, ଭାଇରାଲ ଭିଡିଓ ଏବଂ 'ବିଗ୍ ବସ୍ ୧୬' ଭଳି ରିଆଲିଟି ଶୋ' ମାଧ୍ୟମରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଅବଦୁ ରୋଜିକ୍ ବିବାଦରେ ଫସିଛନ୍ତି। ୨୦୨୪ରେ, ସେ ଦୁବାଇର କୋକା-କୋଲା ଆରେନାରେ ବକ୍ସିଂ ଡେବ୍ୟୁ କରିଥିଲେ ଏବଂ ୟୁକେରେ ତାଙ୍କର ରେଷ୍ଟୁରାଣ୍ଟ ବ୍ରାଣ୍ଡ 'ହାବିବି' ଲଞ୍ଚ କରିଥିଲେ। ଏହି ବର୍ଷ ତାଙ୍କୁ ଏକ ଆତିଥ୍ୟ ସଂସ୍ଥା ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ସମନ କରାଯାଇଥିଲା ।