ମୁମ୍ବାଇ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଏବଂ ସେଠାରେ ରହୁଥିବା ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛି । ସୀମାପାର ଆତଙ୍କବାଦ ପାଇଁ ଭାରତରେ କିଭଳି ଅଶାନ୍ତି ସୃଷ୍ଟି ହେଉଛି ଏବଂ ଏଥିରେ ପାକିସ୍ତାନର ଭୂମିକାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଆସିଛି । ଅଉ ଏବେ ଅପରେସନ୍ ସନ୍ଦୂରର ସଫଳତା ଏବଂ ପାକିସ୍ତାନର ଦୋମୁଁହା ନୀତିକୁ ପଦାରେ ପକାଇବାକୁ ଭାରତ ସରକାର ନୂଆ ଯୋଜନା କରିଛନ୍ତି । ଏହି ପ୍ରସଙ୍ଗକୁ ବିଶ୍ବସ୍ତରରେ ପ୍ରସାର କରିବାକୁ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଛି । ବିଶ୍ବର ପ୍ରାୟ ୩୨ଟି ଦେଶକୁ ସାଂସଦଙ୍କୁ ନେଇ ଗଠିତ ପ୍ରତିନଧିମଣ୍ଡଳୀ ଯିବେ ଏବଂ ସେଠାରେ ପାକିସ୍ତାନର ପୋଲ୍ ଖୋଲିବେ । କେନ୍ଦ୍ରର ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ଦଳ ପ୍ରଶଂସା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ସ୍ୱାଗତ କରିଛନ୍ତି । ସେପଟେ ଶିବେସନା (ୟୁବିଟି) ନେତା ସଞ୍ଜୟ ରାଉତ ବିଷ ଉଗାରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ସଂଜୟ ରାଉତ । କିନ୍ତୁ ସଞ୍ଜୟ ରାଉତଙ୍କ ମନ୍ତବ୍ୟ ଉପରେ ଶରଦ ପାଓ୍ବାର କଡ଼ା ଆପତ୍ତି ଉଠାଇଛନ୍ତି । ସ୍ଥାନୀୟ ରାଜନୀତିକୁ ଅନ୍ତର୍ଜାତୀୟ ପ୍ରସଙ୍ଗ ସହିତ ଯୋଡ଼ିବା ଅନୁଚିତ ବୋଲି କହି ସଞ୍ଜୟଙ୍କୁ ଆଇନା ଦେଖାଇଛନ୍ତି ଶରଦ ।
ଶିବସେନା (UBT) ନେତା ସଞ୍ଜୟ ରାଉତ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ସହିତ ପ୍ରତିନିଧିମଣ୍ଡଳୀକୁ 'ବରଯାତ୍ରୀ' ସହିତ ତୁଳନା କରିଥିଲେ । ଗୋଟିଏ ଦିନ ପୂର୍ବରୁ ସଂଜୟ ରାଉତ ବିଭିନ୍ନ ଦେଶକୁ ପ୍ରତିନିଧିମଣ୍ଡଳୀ ପଠାଇବା ପାଇଁ କେନ୍ଦ୍ରର ପଦକ୍ଷେପକୁ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ । କିନ୍ତୁ ତାଙ୍କର ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ବାର । ଶରଦ ପାଓ୍ବାର ପୁରୁଣା କଥା ମନେ ପକାଇଛନ୍ତି । ଯେବେ ସେ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସମ୍ହା ରାଓଙ୍କ ଦ୍ୱାରା ମିଳିତ ଜାତିସଂଘକୁ ପଠାଯାଇଥିବା ପ୍ରତିନିଧିମଣ୍ଡଳୀର ସଦସ୍ୟ ଥିଲେ । ପାୱାର କହିଛନ୍ତି, ‘ଯେତେବେଳେ ଅନ୍ତର୍ଜାତୀୟ ପ୍ରସଙ୍ଗ ଆସେ, ଦଳ ସ୍ତରୀୟ ରାଜନୀତି କରାଯିବା ଉଚିତ୍ ନୁହେଁ । କେନ୍ଦ୍ର କିଛି ପ୍ରତିନିଧିମଣ୍ଡଳୀ ଗଠନ କରିଛି ଏବଂ ସେମାନଙ୍କୁ କିଛି ଦେଶ ଗସ୍ତ କରି ପହଲଗାମ ଆକ୍ରମଣ ଉପରେ ଭାରତର ମତ ଏବଂ ଏହା ପରେ ପାକିସ୍ତାନ ଦ୍ୱାରା କରାଯାଇଥିବା କାର୍ଯ୍ୟକଳାପ ବିଷୟରେ ଅବଗତ କରାଇବା ପାଇଁ ଦାୟିତ୍ୱ ଦିଆଯାଇଛି।’
ଏହା ପୂର୍ବରୁ ରବିବାର ସଞ୍ଜୟ ରାଉତ କହିଥିଲେ ଯେ, ବିରୋଧୀ ଇଣ୍ଡି ମେଣ୍ଟ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବର୍ଜନ କରିବା ଉଚିତ । ଶରଦ ପାୱାର କହିଛନ୍ତି ଯେ, ରାଉତଙ୍କର ନିଜ ମତାମତ ପ୍ରକାଶ କରିବାର ଅଧିକାର ଅଛି। କିନ୍ତୁ ତାଙ୍କ ଦଳର (ଶିବସେନା-ୟୁବିଟି) ଜଣେ ସଦସ୍ୟ ପ୍ରତିନିଧିମଣ୍ଡଳୀର ଅଂଶ । ମୁଁ ଭାବୁଛି ଏହି ପ୍ରସଙ୍ଗରେ ଆଞ୍ଚଳିକ ସ୍ତରୀୟ ରାଜନୀତି କରିବା ଉଚିତ ନୁହେଁ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗଠନ କରାଛନ୍ତି । ଏହି ଡେଲିଗେସନ୍ କାଶ୍ମୀର, ଆତଙ୍କବାଦ ଏବଂ ଅପରେସନ ସିନ୍ଦୂର ଉପରେ ଭାରତର ଦୃଷ୍ଟିକୋଣକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ । ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ଜଣେ ଜଣେ ନେତାଙ୍କ ନେତୃତ୍ୱରେ ବିଭିନ୍ନ ଦେଶକୁ ଯିବେ। ସେମାନେ ବ୍ରିଟେନ, ୟୁଏଇ, ଦକ୍ଷିଣ ଆଫ୍ରିକା ଏବଂ ଜାପାନ ଭଳି ବିଭିନ୍ନ କିଛି ଦେଶକୁ ଯିବେ ଏବଂ ଭାରତର ପକ୍ଷ ଉପସ୍ଥାପନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଟିମ୍ ମଧ୍ୟରେ ସମନ୍ୱୟ ରଖିବା ଲାଗି କାର୍ଯ୍ୟ କରୁଛନ୍ତି। ଏନସିପିର କାର୍ଯ୍ୟକାରୀ ସଭାପତି ଏବଂ ବାରାମତୀ ସାଂସଦ ସୁପ୍ରିୟା ସୁଲେ ଏକ ପ୍ରତିନିଧିମଣ୍ଡଳୀର ଅଂଶ । ତାଙ୍କ ସହିତ ଶିବସେନା (UBT) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଅଛନ୍ତି । ଶିବେସନା ନେତା ପ୍ରତିନିଧିମଣ୍ଡଳୀରେ ଥିବା ସତ୍ତ୍ବେ ସଞ୍ଜୟ ରାଉତଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି ।