ନୂଆଦିଲ୍ଲୀ: ଭାରତ କୌଣସି ଧର୍ମଶାଳା ନୁହେଁ ଯେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଲୋକ ଆସି ଏଠାରେ ଶରଣ ନେବେ । ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଶରଣ ଆବେଦନକୁ ଖାରଜ କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ଦୁନିଆର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦେଶୀଙ୍କୁ ଭାରତରେ ଶରଣ ଦେବା ସମ୍ଭବ ନୁହେଁ । କାରଣ ଆମ ଦେଶରେ ୧୪୦ କୋଟି ଲୋକ ସଂଘର୍ଷ କରୁଛନ୍ତି ।
ସୋମବାର ଜଷ୍ଟିସ୍ ଦୀପାଙ୍କର ଦତ୍ତ ଓ ଜଷ୍ଟିସ୍ ବିନୋଦ ଚନ୍ଦ୍ରନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଶରଣ ଆବେଦନର ଶୁଣାଣି କରିଥିଲେ । ଯାହାଙ୍କୁ ୨୦୧୫ରେ ଲିବରେସନ ଟାଇଗର୍ସ ଅଫ୍ ତାମିଲ୍ ଈଲମ୍ ବା ଏଲଟିଟିଇ ସହିତ ଜଡ଼ିତ ଥିବାର ସନ୍ଦେହରେ ଗିରଫ କରାଯାଇଥିଲା । ଯାହା ସେତେବେଳେ ଶ୍ରୀଲଙ୍କାରେ ଏକ ସକ୍ରିୟ ଆତଙ୍କବାଦୀ ସଂଗଠନ ଥିଲା ।
ଆବେଦନକାରୀ କ’ଣ ତର୍କ ରଖିଥିଲେ?
ଆବେଦନକାରୀ UAPA ଓ ବିଦେଶୀ ଅଧିନିୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସଜା ପୂର୍ଣ୍ଣ ହେବା ପରେ ଏବେ ସେ ଭାରତରେ ଶରଣାର୍ଥୀ ଭାବେ ରହିବାକୁ ଚାହୁଁଛନ୍ତି । କାରଣ ସେ ପୁଣି ଥରେ ଶ୍ରୀଲଙ୍କା ଫେରିଲେ ସେଠାରେ ତାଙ୍କୁ ହତ୍ୟା କରି ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ନିଜ ଆବେଦନରେ କୋର୍ଟଙ୍କୁ ଜଣାଇଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବେଞ୍ଚ୍ ଏହା ଉପରେ ବିଚାର କରିବାକୁ ନା କହିବା ସହିତ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି, ଯଦି ନିଜ ଦେଖକୁ ଫେରିଲେ ଜୀବନ ପ୍ରତି ବିପଦ ରହିଛି, ତେବେ ଅନ୍ୟ କୌଣସି ଦେଶକୁ ଚାଲିଯାଅ ।
ପୂରା ଘଟଣା କ’ଣ ଥିଲା?
୨୦୧୮ ମସିହାରେ ଶ୍ରୀଲଙ୍କାର ନାଗରିକଙ୍କୁ ଟ୍ରାଏଲ୍ କୋର୍ଟ ବେଆଇନ ଗତିବିଧି ଅଧିନିୟମ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ୨୦୨୨ରେ ମଦ୍ରାସ ହାଇକୋର୍ଟ ତଳ କୋର୍ଟଙ୍କ ସଜାକୁ ହ୍ରାସ କରି ୭ ବର୍ଷ କରି ଦେଇଥିଲେ । ହେଲେ ଏବେ ସଜା ପୂର୍ଣ୍ଣ ହେବା ପରେ ଭାରତ ଛାଡ଼ିବାକୁ କୁନ୍ଥୁ କୁନ୍ଥୁ ଶ୍ରୀଲଙ୍କା ନାଗରିକ । ଘରକୁ ଫେରିବା ବଦଳରେ ଭାରତରେ ଶରଣାର୍ଥୀ କେନ୍ଦ୍ର ରହିବାକୁ କୋର୍ଟରେ ଅବେଦନ କରିଛନ୍ତି । ଯାହାକୁ ସର୍ବୋଚ୍ଚ ଅଦାଲତ ଖରାଜ କରିଦେଇଛନ୍ତି ।...