ନୂଆଦିଲ୍ଲୀ,୧୯।୫: ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲାରେ ମଧ୍ୟପ୍ରଦେଶର ମନ୍ତ୍ରୀ କୁଁୱାର ବିଜୟ ଶାହଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସୋମବାର ସୁପ୍ରିମକୋର୍ଟ ଏହି ମାମଲାରେ ଆଇପିଏସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ ଶାହାଙ୍କ ଆବେଦନ ଉପରେ ଖଣ୍ଡପୀଠ ମଧ୍ୟ ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ସୁପ୍ରିମକୋର୍ଟରେ କର୍ଣ୍ଣେଲ ସୋଫିଆଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ। ଏହି ମାମଲାରେ ଖଣ୍ଡପୀଠ ବିଜୟ ଶାହଙ୍କ ଓକିଲଙ୍କୁ ପଚାରିଥିଲେ ଯେ ହାଇକୋର୍ଟ ଏକ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ? ଏହା ପରେ ଏହି ମାମଲାରେ କ’ଣ ଘଟିଲା? କୌଣସି ତଦନ୍ତ ହୋଇଛି କି? ସେ ଏହା ମଧ୍ୟ ପଚାରିଲେ ଯେ ତୁମେ କଣ କ୍ଷମା ମାଗିଛ? ଏହା ଉପରେ ବିଜୟ ଶାହଙ୍କ ଓକିଲ କହିଛନ୍ତି ଯେ ସେ କ୍ଷମା ମାଗିଛନ୍ତି।
ଏହାପରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ପଚାରିଥିଲେ ଆପଣ କିଭଳି କ୍ଷମା ମାଗିଛନ୍ତି। ବହୁବାର ଲୋକ ଫଳାଫଳରୁ ବଞ୍ଚିବା ପାଇଁ କ୍ଷମା ମାଗୁଥିବାର ଦେଖାଣିଆ କରନ୍ତି। ଆମେ ଜାଣିବାକୁ ଚାହୁଁଛୁ ଆପଣ କିଭଳି କ୍ଷମା ମାଗିଲେ। କୋର୍ଟ ମଧ୍ୟ ପ୍ରଦେଶ ବାହାରର ତିନି ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସ୍ବତନ୍ତ୍ର ତଦନ୍ତକାରୀ କମିଟି(ଏସ୍ଆଇଟି) ଘଠନ କରିବାକୁ କହିଛନ୍ତି। ଏହା ସହ କୋର୍ଟ ମଧ୍ୟ ପ୍ରଦେଶ ସରକାରଙ୍କୁ ଏହି ମାମଲାରେ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲା ଉପରେ ମଧ୍ୟ ନଜର ରଖିବେ। ଏହା ସହ ସେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। କୋର୍ଟଙ୍କୁ ଏହି ମାମଲାରେ ୨୮ ମଇ ପର୍ଯ୍ୟନ୍ତ ଷ୍ଟାଟସ୍ ରିପୋର୍ଟ ଜମା କରିବାକୁ କୁହାଯାଇଛି।