ନୂଆଦିଲ୍ଲୀ: ଭାରତ ବିରୋଧରେ ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେବା ଓ ପାକିସ୍ତାନ ସପକ୍ଷରେ ନିଜ ୟୁଟ୍ୟୁବ ଚ୍ୟନେଲରେ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଅପରାଧରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ବଡ ଅପଡେଟ। ପୋଲିସ ହେପାଜତରେ ଥିବା ଜ୍ୟୋତି ନିଜେ କରିଥିବା ଭୁଲକୁ ମାନୁ ନଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ଏତିକି ନୁହେଁ ସେ ପାକିସ୍ତାନ ସପକ୍ଷରେ କରିଥିବା କଣ୍ଟେଣ୍ଟ ତାଙ୍କ ବାକ୍ ସ୍ୱାଧିନତାର ଅଧିକାର ବୋଲି କହିଥିବା ଜଣାପଡିଛି।
ଆପଣଙ୍କୁ ଜଣାଇରଖୁ ଯେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଜ୍ୟୋତି ନିଜ ୟୁଟ୍ୟୁବ ଚ୍ୟାନେଲରେ ପାକିସ୍ତାନ ସମର୍ଥନରେ ଏକ ଭଡିଓ ଜାରି କରିଥିଲେ। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସବସ୍କ୍ରାଇବରଙ୍କ ସଂଖ୍ୟା ୩.୮୫ ଲକ୍ଷ ଥିବା ବେଳେ ଏହି ଆକ୍ରମଣରେ କୌଣସି ପାକିସ୍ତାନୀଙ୍କ ଦୋଷ ନଥିବା ନେଇ ସେ ଦାବି କରିଥିଲେ। ଏହାସହ ସେ ନିଜ ଚ୍ୟାନେଲ ମାଧ୍ୟମରେ ଭାରତରେ ପ୍ରୋ-ପାକିସ୍ତାନ ନେରେଟିଭର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ।
ଏନେଇ ଅଧିକାରୀମାନେ ଜ୍ୟୋତଙ୍କୁ ପଚରାଉଚରା କଲାବେଳେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ “ଜ୍ୟୋତି ଦେଶଦ୍ରୋହ ମାମଲାରେ ଯାଞ୍ଚର ସମ୍ମୁଖିନ ହେଉଥିଲାବେଳେ ତାଙ୍କ ନିକଟରେ ଅନୁତାପର କୌଣସି ଚିହ୍ନବର୍ଣ୍ଣ ନାହିଁ। ଓଲଟା ସେ ନିଜ ସମର୍ଥନରେ ଯୁକ୍ତି ଦବାରେ ବ୍ୟସ୍ତ ରହୁଛନ୍ତି। ଦେଶ ବିରୁଦ୍ଧରେ ଏହା ଏକ ନୂଆ ପ୍ରକାରର ଯୁଦ୍ଧ ଆରମ୍ଭ ହୋଇଛି। ଯାହାର ସାମ୍ନା କରିବାକୁ ଆମ ବିଭାଗ ସଦା ପ୍ରସ୍ତୁତ ରହିଛି।”
ବର୍ତ୍ତମାନ ଜ୍ୟୋତଙ୍କ ସହ ପାକିସ୍ତାନ ହ୍ୟାଣ୍ଡଲର ମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ତଦନ୍ତ ଜାରି ରହିଛି। ଏନେଇ କୌଣସି ସୂଚନା ମିଳିବା ପରେ ଜ୍ୟୋତି ଭାରତ ସହ ଜଡିତ କୌଣସି ସାମରିକ ଓ ଅଣ-ସାମରିକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନ ସହସେୟାର କରିଛନ୍ତି କି ନାହିଁ ତା ଉପରେ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି। ଏହାଛଡା ଜ୍ୟୋତିଙ୍କ ସାଙ୍ଗ ଖାସକରି ଯେଉଁମାନେ ନିକଟ ଭବିଷ୍ୟତରେ ପାକିସ୍ତାନ ଗସ୍ତ କରିଥିଲେ କିମ୍ୱା ପାକିସ୍ତାନ ସପକ୍ଷରେ ଭିଡିଓ ବନେଇଥିଲେ ସେମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି।
ସୂଚନା ମୁତାବକ, ଜ୍ୟୋତି ପାକିସ୍ତାନକୁ ୩ଥର ଗସ୍ତ କରିଛନ୍ତି। ପ୍ରଥମେ ୨୦୨୩ ମସିହା ତାପରେ ୨୦୨୪ ମସିହା ଓ ଶେଷଥର ପାଇଁ ଗତ ମାର୍ଚ୍ଚ ମାସରେ ସେ ପାକିସ୍ତାନ ଯାଇଥିଲେ। ଏହାଛଡା ପହଲଗାମ ଆକ୍ରମଣ ପୂର୍ବରୁ ମଧ୍ୟ ସେ ଜମ୍ମୁ ଓ କାଶ୍ମୀର ଗସ୍ତ କରିଥିଲେ। ତେଣୁ ତାଙ୍କ ଟ୍ରାଭେଲ ଭିଡିଏ ଗୁଡିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହାଛଡା ହରିୟାନା ଶିଖ ଗୁରୁଦ୍ୱାରା ମ୍ୟାନେଜମେଣ୍ଟ କମିଟିର ହରକିରତ ନାମକ ଜଣେ କମିଟି ମେମ୍ୱର ଜ୍ୟୋତିଙ୍କୁ ଦୁଇଥର ପାକିସ୍ତାନ ଭିସା ପାଇବାରେ ସହଯୋଗ କରିଥିବା ଜଣାପଡିଛି। ଏଣୁ ପୋଲିସ ହରକୀରତଙ୍କ ଫୋନକୁ ଜବତ କରିବା ସହ ଏ ଦିଗରେ ଯାଞ୍ଚ ଜାରି ରଖିଛି।