ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପାହାଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସୁରକ୍ଷା ଏଜେନ୍ସିମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ସହ ଜଡ଼ିତ ଥିବା ଅଭିଯୁକ୍ତ ଗୁଇନ୍ଦାଙ୍କ ବିରୋଧରେ ଏକ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ପାକିସ୍ତାନୀ ଗୁଇନ୍ଦାଙ୍କୁ ଭାରତର ଜାତୀୟ ସୁରକ୍ଷା ଏବଂ ସୈନ୍ୟ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ରହିଛି।
ଗିରଫ ଅଭିଯୁକ୍ତଙ୍କ ବିବରଣୀ
ଜ୍ୟୋତି ମଲହୋତ୍ରା
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପ୍ରସିଦ୍ଧ ଯୁଟ୍ୟୁବର, ଜଣେ ସୁରକ୍ଷା ପ୍ରହରୀ, ଜଣେ ଆପ୍ ଡେଭେଲପର ଏବଂ ଅନ୍ୟାନ୍ୟ ଛାତ୍ର ଓ ସାଧାରଣ ବ୍ୟକ୍ତି ଅଛନ୍ତି। ସବୁଠାରୁ ଚର୍ଚ୍ଚିତ ଗିରଫଦାରୀ ହେଉଛି ହରିୟାଣାର ଯୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କର। ଜ୍ୟୋତି, ଯିଏକି ‘ଟ୍ରାଭେଲ ଉଇଥ ଜୋ’ ନାମକ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି ଏବଂ ତାଙ୍କର ୩.୮୫ ଲକ୍ଷ ସବସ୍କ୍ରାଇବର ରହିଛନ୍ତି। ତାଙ୍କୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ୨୦୨୩, ୨୦୨୪ ଏବଂ ୨୦୨୫ ମାର୍ଚ୍ଚରେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ପାକିସ୍ତାନ ହାଇ କମିଶନର ଜଣେ ଅଧିକାରୀ ଏହସାନ-ଉର-ରହିମ (ଦାନିଶ) ସହ ଯୋଗାଯୋଗରେ ଥିଲେ। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତିଙ୍କୁ ପାକିସ୍ତାନୀ ଏଜେଣ୍ଟମାନେ ଗୁଇନ୍ଦା ନେଟୱାର୍କରେ ‘ବ୍ରାଣ୍ଡ ଆମ୍ୱାସଡର’ ଭାବେ ବିକଶିତ କରୁଥିଲେ।
ଗଜାଲା ଏବଂ ୟାମିନ୍ ମହମ୍ମଦ
ଜ୍ୟୋତି ମଲହୋତ୍ରାଙ୍କ ସହିତ, ପୋଲିସ ୩୨ ବର୍ଷୀୟ ବିଧବା ଗଜାଲା ଏବଂ ପଞ୍ଜାବର ମାଲେରକୋଟଲାର ୟାମିନ୍ ମହମ୍ମଦଙ୍କୁ ଟଙ୍କା ବିନିମୟରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସୂଚନା ବାଣ୍ଟିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତମାନେ ପାକିସ୍ତାନୀ ହାଇକମିଶନର ପୂର୍ବତନ କର୍ମଚାରୀ ଦାନିଶଙ୍କ ସହ ଆର୍ଥିକ କାରବାର ଏବଂ ଭିସା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସହଯୋଗ କରିଥିଲେ।
ଗିରଫ ହେବା ପରେ, ଜଣାପଡିଥିଲା ଯେ ଦାନିଶ ସେମାନଙ୍କୁ ପ୍ରାୟ ସମୟରେ ଭେଟିଥିଲେ। ସେମାନେ ପାକିସ୍ତାନୀ ଭିସା ପାଇବା ପାଇଁ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଏହା ବ୍ୟତୀତ, ତାଙ୍କ ମାଧ୍ୟମରେ ସେମାନଙ୍କ ମୋବାଇଲ୍ ଫୋନ୍କୁ ଅନଲାଇନରେ ଟଙ୍କା ସ୍ଥାନାନ୍ତର କରାଯାଉଥିଲା। ସେମାନଙ୍କର କାମ ଥିଲା ସେମାନଙ୍କର ଗୁପ୍ତଚର ନେଟୱାର୍କକୁ ଟଙ୍କା ପଠାଇବା।
ଦେବେନ୍ଦ୍ର ସିଂହ
ପଞ୍ଜାବର ପଟିଆଲାର ଖାଲସା କଲେଜର ୨୫ ବର୍ଷୀୟ ରାଜନୀତି ବିଜ୍ଞାନ ଛାତ୍ର ଦେବେନ୍ଦର ସିଂହଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ହରିୟାଣାର କୈଥଲରେ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ସେ ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ସୂଚନା ସେୟାର କରିଥିବା ଜଣାପଡିଛି, ଯେଉଁଥିରେ ପଟିଆଲା ସାମରିକ ଛାଉଣୀର ଫଟୋ ମଧ୍ୟ ସାମିଲ ରହିଛି।
ଦେବେନ୍ଦର ସିଂହ ଗିରଫ ହେବା ସମୟରେ ଫେସବୁକରେ ପିସ୍ତଲ ଏବଂ ବନ୍ଧୁକର ଫଟୋ ଅପଲୋଡ୍ କରିଥିଲେ ବୋଲି ଅଭିଯୋଗ ହୋଇଛି। ପଚରାଉଚରା ସମୟରେ ଜଣାପଡିଥିଲା ଯେ ସେ ଗତ ବର୍ଷ ନଭେମ୍ବରରେ ପାକିସ୍ତାନ ଗସ୍ତ କରିଥିଲେ।
ଅରମାନ
ନୁହର ଜଣେ ୨୬ ବର୍ଷୀୟ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଉକ୍ତ ଯୁବକଙ୍କ ନାମ ଅରମାନ ବୋଲି ଚିହ୍ନଟ କରାଯାଇଛ। ସେ ଆଉ ଜଣେ ସନ୍ଦିଗ୍ଧ ଗୁପ୍ତଚର ଥିଲେ ଯାହାକୁ ଜ୍ୟୋତି ମାଲହୋତ୍ରାଙ୍କ ସହିତ ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସାମରିକ କାର୍ଯ୍ୟକଳାପ ବିଷୟରେ ପାକିସ୍ତାନ ସହିତ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସ ତାଙ୍କ ଫୋନରୁ ପାକିସ୍ତାନୀ ନମ୍ବରଗୁଡ଼ିକୁ ପଠାଯାଇଥିବା କଥାବାର୍ତ୍ତା, ଫଟୋ ଏବଂ ଭିଡିଓ ଉଦ୍ଧାର କରିଛି।
ତାରିଫ
ଗୁପ୍ତଚର କାର୍ଯ୍ୟକଳାପ ପାଇଁ ଗିରଫ ହୋଇଥିବା ନୁହରୁ ତାରିଫ ଦ୍ୱିତୀୟ ବ୍ୟକ୍ତି ଥିଲେ। ପଚରାଉଚରା ସମୟରେ, ତାରିଫ ପ୍ରକାଶ କରିଥିଲେ ଯେ ସେ ପାକିସ୍ତାନ ଦୂତାବାସର ଦୁଇଜଣ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ। ଯେଉଁମାନେ ତାଙ୍କୁ ସିମ୍ କାର୍ଡ ଯୋଗାଇଥିଲେ। ସେ ପ୍ରାୟତଃ ପାକିସ୍ତାନ ଯାତ୍ରା କରୁଥିଲେ। ଶେଷରେ, ଦୂତାବାସ ଅଧିକାରୀମାନେ ତାଙ୍କୁ ସିରସା ଯାଇ ବିମାନବନ୍ଦରର ଫଟୋଗ୍ରାଫ୍ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ ଅଧିକ ପଚରାଉଚରା ଜାରି ରହିଛି।
ଏହାଛଡା ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପଞ୍ଜାବର ଗୁରୁଦାସପୁରରୁ ସୁଖପ୍ରୀତ ସିଂହ ଓ କରନବୀର ସିଂହ ଅଛନ୍ତି, ଯେଉଁମାନେ ଅପରେସନ ସିନ୍ଦୁର ସମୟରେ ସୈନ୍ୟ ଗତିବିଧି ଏବଂ ରଣନୈତିକ ସ୍ଥାନ ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ISIକୁ ପ୍ରଦାନ କରୁଥିଲେ। ଉତ୍ତରପ୍ରଦେଶର କୈରାନାର ଇଲାହୀ ଏବଂ ରାମପୁରର ଶେହଜାଦ ମଧ୍ୟ ବାରମ୍ବାର ପାକିସ୍ତାନ ଗସ୍ତ କରି ଗୁଇନ୍ଦା କାର୍ଯ୍ୟକଳାପ ସହ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପଞ୍ଜାବର ଜଲନ୍ଧରରୁ ମହମ୍ମଦ ମୁର୍ତଜା ଅଲୀଙ୍କୁ ଏକ ମୋବାଇଲ ଆପ୍ ମାଧ୍ୟମରେ ଗୁଇନ୍ଦା କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି।
ପୋଲିସ ଏବଂ ଗୁଇନ୍ଦା ଏଜେନ୍ସିମାନେ ଜଣାଇଛନ୍ତି ଯେ, ଅଭିଯୁକ୍ତମାନେ ସୋସିଆଲ ମିଡିଆ, ଆର୍ଥିକ ପ୍ରଲୋଭନ, ମିଥ୍ୟା ପ୍ରତିଶ୍ରୁତି ଏବଂ ପାକିସ୍ତାନକୁ ବ୍ୟକ୍ତିଗତ ଭାବେ ଗସ୍ତ କରି ଗୁଇନ୍ଦା ନେଟୱାର୍କରେ ସାମିଲ ହୋଇଥିଲେ। ଯୁବକମାନଙ୍କୁ, ବିଶେଷକରି ୨୦ ରୁ ୩୦ ବର୍ଷ ବୟସର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କୁ, ଏହି ନେଟୱାର୍କରେ ସାମିଲ କରାଯାଉଥିବା ଦେଖାଯାଇଛି। ଯାହା ଗୁଇନ୍ଦା କାର୍ଯ୍ୟକଳାପର ଏକ ନୂଆ ବିକଶିତ ପ୍ରକ୍ରିୟାକୁ ଦର୍ଶାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଉପରେ ଜୋର ଦେଇଛନ୍ତି। ପାକିସ୍ତାନ ସହ ଲିଙ୍କ ଥିବା ଗୁଇନ୍ଦା କାରବାର କରୁଥିବା ଲୋକଙ୍କ ଉପରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ସରକାରୀ ଅଧିକାରୀଙ୍କ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ଏଜେନ୍ସିମାନେ ଆଗାମୀ ଦିନରେ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ଗୁଇନ୍ଦା କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି।